ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଓ ଏନସିଏଫ୍ଇ ମଧ୍ୟରେ ଏମ୍ଓୟୁ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍‌ଶ୍ରୀ ସ୍କୁଲ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ। ସେମାନେ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଜ୍ଞାନ ଆହରଣ କରିବେ। ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର (ଏନ୍‌ସିଏଫ୍‌ଇ) ସହ  ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ( ପିଏସଏସଏସ) ମଧ୍ୟରେ ଏକ ଚୁକ୍ତିନାମା ସୋମବାର ସ୍ୱାକ୍ଷରିତ ହୋଇଛି।

ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ ଡା. ଏନ୍.  ତିରୁମାଲା ନାୟକଙ୍କ ଉପସ୍ଥିତିରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ପକ୍ଷରୁ ଏହାର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକ ଅନନ୍ୟା ଦାସ ଓ ଏନସିଏଫ୍ଇ ପକ୍ଷରୁ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ଚନ୍ଦ୍ର ଜେନା ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁସାରେ, ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ସହ ସମନ୍ୱୟ ରଖି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୭୩୬ଟି ବିଦ୍ୟାଳୟରେ ପ୍ରଚଳନ କରାଯିବ। ଏହି କାର୍ଯ୍ୟକ୍ରମର ବ୍ୟାପକ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ପ୍ରଚାର କରିବା ସହ ସେମାନଙ୍କ ମଧ୍ୟରେ ଆର୍ଥିକ କାରବାର ପରିଚାଳନା ଦକ୍ଷତାର ବିକାଶ କରିବା ଯାହାଦ୍ବାରା ସେମାନଙ୍କର ଉଦ୍ୟୋଗିକ ଦକ୍ଷତା ବୃଦ୍ଧି ପାଇବ।

ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକସ୍ତରରୁ ଟଙ୍କା, ସଞ୍ଚୟ, ବଜେଟ୍ ପରିଚାଳନା, ବ୍ୟାଙ୍କିଂ, ନିବେଶ,  ଟିକସ, ଅର୍ଥ କାରବାର  ଓ ଆର୍ଥିକ ଦାୟିତ୍ୱବୋଧ ସମ୍ପର୍କିତ ଜ୍ଞାନ ଆହରଣ କରିବ । ଏହା ତାଙ୍କୁ ଭବିଷ୍ୟତରେ ସଚେତନ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳିବ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟରେ ଲାଗୁ ହେବା ପୂର୍ବରୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଆର୍ଥିକ ସାକ୍ଷରତା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏହାଦ୍ବାରା ସେମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଭାବରେ ଶିକ୍ଷା ଦାନ କରିପାରିବେ। ଏନସିଏଫ୍ଇ ଅଧୀନରେ ଚିହ୍ନଟ ବିଦ୍ୟାଳୟଗୁଡ଼ିକୁ “ମନି ସ୍ମାର୍ଟ ସ୍କୁଲ୍”ଭାବେ ପ୍ରମାଣିତ କରାଯିବାର ବ୍ୟବସ୍ଥା ରହିଛି।

ଏହି ସହଯୋଗ ଓଡ଼ିଶା ସରକାରଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଦକ୍ଷତାରେ ସଶକ୍ତ କରିବାରେ ଆଉ ଗୋଟିଏ ମାଇଲଖୁଣ୍ଟ । ଏହି ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ପିଏସଏସଏସର ମୁଖ୍ୟ ପରିଚାଳନା ଅଧିକାରୀ ରାଜଲକ୍ଷ୍ମୀ ଦାଶ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *