ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍

ଭୁବନେଶ୍ବର : ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍ ୨୦୨୫-୨୬ ର ୧୭ ବର୍ଷରୁ କମ୍ ପ୍ରତିଯୋଗିତାରେ ବାଳିକା ବର୍ଗରେ ଓଡିଶା ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଳକ ବର୍ଗରେ ବିହାର ଟିମ୍ ଟାଇଟଲ୍ ହାସଲ କରିଛି।  ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଓଡ଼ିଶା ପ୍ରଭାବଶାଳୀ ପ୍ରଦର୍ଶନ କରି ଟ୍ରଫି ଜିତିଛି। ବିହାର ରନର୍ସଅପ୍ ହୋଇଥିବା ବେଳେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ସେହିପରି ୧୭ ବର୍ଷରୁ କମ୍ ବାଳକ ବର୍ଗରେ, ଓଡ଼ିଶା ବିପକ୍ଷରେ ଫାଇନାଲରେ ଦୃଢ଼ ପ୍ରଦର୍ଶନ ପରେ ବିହାର ବିଜେତା ହୋଇଛି, ଓଡିଶା ରନର୍ସଅପ୍ ସ୍ଥାନ ହାସଲ କରିଥିଲା। ମହାରାଷ୍ଟ୍ର ଏବଂ ରାଜସ୍ଥାନ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି।

୧୭ ବର୍ଷରୁ କମ୍ ବର୍ଗ ପାଇଁ ଆୟୋଜିତ ଉଦଯାପନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଡ଼ ୟେଦୁଲା ବିଜୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କରକରା, ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଜ୍ୟୋତି ପ୍ରସାଦ ପରିଡ଼ା, ଟୁର୍ଣ୍ଣାନେଣ୍ଟ ପର୍ଯ୍ୟବେକ୍ଷକ ଅରବିନ୍ଦ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଯୁବ ଖେଳାଳିମାନଙ୍କୁ ସେମାନଙ୍କର ସମର୍ପଣ, ଶୃଙ୍ଖଳା ଏବଂ କ୍ରୀଡା ମନୋଭାବ ପାଇଁ ପ୍ରଶଂସା କରିଥିଲେ। ସେ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆଗକୁ ବିଭିନ୍ନ କ୍ଷେତ୍ରର ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କରିଥିଲେ।  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କରକରା ସ୍ବାଗତ ଅଭିଭାଷଣରେ ବ୍ୟକ୍ତିତ୍ବ ଗଠନରେ ବିଦ୍ୟାଳୟ କ୍ରୀଡାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଚାମ୍ପିଅନସିପ୍ ଆୟୋଜନରେ ସାମିଲ ସମସ୍ତ ଅଂଶୀଦାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଟୁର୍ଣ୍ଣାମେଣ୍ଟ ପର୍ଯ୍ୟବେକ୍ଷକ ଅରବିନ୍ଦ ଯାଦବ ଉଚ୍ଚସ୍ତରୀୟ ପ୍ରତିଯୋଗିତାକୁ ପ୍ରଶଂସା କରିଥିଲେ ଏବଂ ସଫଳତାର ସହିତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଓଡ଼ିଶାକୁ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହିପରି ଚାମ୍ପିଅନସିପ୍ ତୃଣମୂଳ ସ୍ତରରେ ରଗବୀକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସୂଚନାଯୋଗ୍ୟ, ଏପ୍ରିଲ ୯ ଓ ୧୦ ତାରିଖରେ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ଚାମ୍ପିଅନସିପ୍  ଆୟୋଜିତ ହେବ।

Leave a Reply

Your email address will not be published. Required fields are marked *