ମହିଳା ସଶକ୍ତିକରଣ ଏକ ଜାତୀୟ ଆବଶ୍ୟକତା ଏବଂ ସମାବେଶୀ ବିକାଶ ପାଇଁ ଅତ୍ୟାବଶ୍ୟକ: ରାଜ୍ୟପାଳ

ଭୁବନେଶ୍ୱର : ମହିଳା ସଶକ୍ତିକରଣ ଏକ ଜାତୀୟ ଆବଶ୍ୟକତା ଏବଂ ସମାବେଶୀ ବିକାଶ ପାଇଁ ଅତ୍ୟାବଶ୍ୟକ। ଯେଉଁ ସମାଜ ମହିଳାଙ୍କୁ ସମ୍ମାନ ଦିଏ ଏବଂ ସେମାନଙ୍କର ବିକାଶ କରେ,  ସେହି ସମାଜ ଶକ୍ତି ଓ ମର୍ଯ୍ୟାଦା ସହ ଅଗ୍ରଗତି କରେ ବୋଲି ଓଡିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ରବିବାର ଦିନ ଦ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ‘ନାରୀ ଶକ୍ତି – ଓଡ଼ିଆ ଅସ୍ମିତା’କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I

ଏହି କାର୍ଯ୍ୟକ୍ରମକୁ ସମୟୋପଯୋଗୀ ଓ ଅର୍ଥପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହିତ ଏହା ଓଡ଼ିଶାର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ପରିଚୟ ଗଠନରେ ମହିଳାମାନଙ୍କ ଅବଦାନକୁ ସମ୍ମାନିତ କରୁଛି ବୋଲି ରାଜ୍ୟପାଳ ନିଜ ଉଦବୋଧନରେ କହିଥିଲେ I

ରାଜ୍ୟପାଳ କହିଥିଲେ ଯେ, ମହିଳାମାନେ ପରିବାରର ଭିତ୍ତି, ମୂଲ୍ୟବୋଧର ପ୍ରଥମ ଶିକ୍ଷୟିତ୍ରୀ ଏବଂ ସହାନଭୂତିଶୀଳ  ଓ ପ୍ରଗତିଶୀଳ ସମାଜର ନୀରବ ସ୍ଥପତି। ପରିବର୍ତ୍ତିତ ପରିଦୃଶ୍ୟ ଉପରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଆଜିର ମହିଳାମାନେ ଶାସନ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଉଦ୍ୟମିତା, କ୍ରୀଡ଼ା, କଳା ଏବଂ ସଶସ୍ତ୍ର ବାହିନୀ ଭଳି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ  କରୁଛନ୍ତି। ଆଧୁନିକ ଭାରତୀୟ ମହିଳା ଆତ୍ମବିଶ୍ୱାସୀ, ସକ୍ଷମ ଏବଂ ନିଜ ଅଧିକାରର ନେତୃତ୍ୱ ନେଉଛନ୍ତି ବୋଲି ରାଜ୍ୟପାଳ କହିଥିଲେ।

ଏହି ରୂପାନ୍ତରଣ ରାଜ୍ୟ ଓ କେନ୍ଦ୍ରସ୍ତରରେ ପ୍ରଗତିଶୀଳ ନୀତି ଏବଂ ଦୂରଦର୍ଶୀ ନେତୃତ୍ୱ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରୀ ଶକ୍ତିର ଗୁରୁତ୍ୱ ଉପରେ ପ୍ରାଥମିକତା ଦେଉଛନ୍ତି ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ମହିଳାମାନେ ଆର୍ଥିକ, ସାମାଜିକ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କଲେ ହିଁ ସମାବେଶୀ ବିକାଶ ସମ୍ଭବ। ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବାକୁ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହା ଶାସନରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ାଇ ଗଣତନ୍ତ୍ରକୁ ମଜବୁତ କରିବ।

ଏତତବ୍ୟତୀତ ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଓଡ଼ିଆ ଅସ୍ମିତା ରାଜ୍ୟର ଐତିହ୍ୟରେ ଗଭୀର ଭାବେ ପ୍ରତିଫଳିତ ଏବଂ ମହିଳାମାନେ ଏହାର ସଂରକ୍ଷଣ ଓ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ ଏକ ବିକଶିତ ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଛନ୍ତି। ଏପରି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦ ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ ଏହା ସକରାତ୍ମକ ସାମାଜିକ ପରିବର୍ତ୍ତନକୁ ପ୍ରେରଣା ଯୋଗାଇବ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ସମ୍ମାନିତ ହୋଇଥିବା ମହିଳାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତ କ୍ଷେତ୍ରରେ ମହିଳାଙ୍କ ପାଇଁ ସମାନ ସୁଯୋଗ ନିଶ୍ଚିତ କରିବା ପାଇଁ ସମଷ୍ଟିଗତ ପ୍ରୟାସ ପାଇଁ ମାନ୍ୟବର ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଦ ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ରେସପନ୍ସ ହେଡ୍ ପ୍ରୋଗ୍ୟାବ୍ରତ ବ୍ରହ୍ମ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ୟୁରୋ ଚିଫ୍ ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *