ସିବିଏସଇ ଦଶମ ପରୀକ୍ଷାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ରେକର୍ଡ ପାସ୍ ହାର

ଭୁବନେଶ୍ୱର: ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) 2025-26 ଶିକ୍ଷାବର୍ଷରେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। 27 ଟି ଶିକ୍ଷାନୁଷ୍ଠାନରୁ ମୋଟ 1480 ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ 1466 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷର ପାସ୍ ହାର 96.45% କୁ ବୃଦ୍ଧି ପାଇଥିବା ବେଳେ ଗତ ବର୍ଷର 93.07% ଥିଲା। ଲଗାତାର ଦ୍ୱିତୀୟ ବର୍ଷ ପାଇଁ କୌଣସି ଛାତ୍ର ପରୀକ୍ଷାରେ ଫେଲ୍ ହୋଇ ନାହାଁନ୍ତି।

ଶତ ପ୍ରତିଶତ ପାସ୍ ହାର ହାସଲ କରୁଥିବା ବିଦ୍ୟାଳୟ ସଂଖ୍ୟା ମଧ୍ୟ ପୂର୍ବ ବର୍ଷ 9 ରୁ ଚଳିତ ବର୍ଷ 12 କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ, 90% ରୁ 99% ମଧ୍ୟରେ ପାସ୍ ହାର ଥିବା ସ୍କୁଲ ସଂଖ୍ୟା 11 ରୁ 13 କୁ ବୃଦ୍ଧି ପାଇଛି । 90% ରୁ କମ୍ ପାସ୍ ହାର ଥିବା ସ୍କୁଲଗୁଡ଼ିକ 7 ରୁ ମାତ୍ର 2 କୁ ହ୍ରାସ ପାଇଛି। ରାଜ୍ୟସ୍ତରରେ ହାରାହାରି ପାସ୍ ହାର 93.66% ରହିଥିବା ବେଳେ ଜାତୀୟ ପାସ୍ ହାର 93.70% ରହିଛି କିନ୍ତୁ  ଓଡ଼ିଶା ଏହାର ଉତ୍କୃଷ୍ଟ ପ୍ରଦର୍ଶନ କରି 96.45% ଫଳାଫଳ ସହିତ ଉଭୟ ହାରାହାରିକୁ ଅତିକ୍ରମ କରିଛି।

ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ EMRS, ଧାଙ୍ଗେରାର ମହେଶ ଭୂପତି ହେମ୍ବ୍ରମ ଏବଂ ହୀରାମଣି ବାସ୍କେ ପ୍ରତ୍ୟେକେ 94% ହାସଲ୍ କରିଛନ୍ତି। EMRS, ବହଲଦାର ଦୁଷ୍ମନ୍ତ ମାଝୀ 93.6% ରଖିଛନ୍ତି। EMRS କରଞ୍ଜିଆର ଆଲିନା ଆଲାମ 92.63% ପାଇଛନ୍ତି। EMRS ହିର୍ଲିର ଲକ୍ଷ୍ମୀକାନ୍ତ ଭତ୍ରା ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରି 91.8% ପାଇଛନ୍ତି। ଏହି ସଫଳତା ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଆହୁରି ଉତ୍ସାହିତ କରିବ ଏବଂ ସମଗ୍ର ଓଡ଼ିଶାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଏକଲବ୍ୟ ବିଦ୍ୟାଳୟର ଭୂମିକାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *