ଭୁବନେଶ୍ୱର : ଭବାନୀପାଟଣାବାସୀଙ୍କ ଦୀର୍ଘଦିନର ଦାବି ସାକାର ରୂପ ନେବାକୁ ଯାଉଛି। ଭବାନୀପାଟଣାବାସୀଙ୍କ ଆବେଗକୁ ଗୁରୁତ୍ୱ ଦେଇ ପୂର୍ତ୍ତ ବିଭାଗ ଭବାନୀପାଟଣା-ଖରିଆର ରାସ୍ତାକୁ ଦୁଇ ଲେନ୍ରୁ ଚାରି ଲେନ୍ ବିଶିଷ୍ଟ କରିବାକୁ ଯାଉଛି। ଏହି ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀ ବିଶେଷ ଭାବେ ଉପକୃତ ହେବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ନୂତନ ଭବାନୀପାଟଣା-ଖରିଆର ରାସ୍ତା ଭବାନୀପାଟଣା ଏବଂ ଖରିଆର ଅଞ୍ଚଳର ଲୋକଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ମଧ୍ୟରେ ଯୋଗାଯୋଗ ତ୍ୱରିତ ଏବଂ ସୁଗମ ହେବା ସହ ସଂଯୁକ୍ତ ଗ୍ରାମଗୁଡ଼ିକର ଜନସାଧାରଣ ସହର ଏବଂ ବଜାରକୁ ମଧ୍ୟ ସହଜରେ ପହଞ୍ଚିପାରିବେ। ଉନ୍ନତ ରାସ୍ତା ଯୋଗୁଁ ଯାତ୍ରୀବାହୀ ବସ୍, ଆମ୍ବୁଲାନ୍ସ ଏବଂ ବ୍ୟକ୍ତିଗତ ଯାନଗୁଡ଼ିକ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ସହ ଇନ୍ଧନ ଏବଂ ସମୟ ଅପଚୟ ହ୍ରାସ ପାଇବ। କୃଷକ ଏବଂ ବ୍ୟବସାୟୀମାନେ ଧାନ, ପନିପରିବା, ଜଙ୍ଗଲଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବଜାରକୁ ସହଜରେ ପରିବହନ କରିପାରିବେ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବ।
ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦୋକାନ, ପେଟ୍ରୋଲ ପମ୍ପ, ହୋଟେଲ, ଗୋଦାମ ଏବଂ କ୍ଷୁଦ୍ର ଶିଳ୍ପକୁ ଆକର୍ଷିତ କରିବ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍କୁଲ, କଲେଜ, ହସ୍ପିଟାଲ ଏବଂ ସରକାରୀ କାର୍ଯ୍ୟାଳୟକୁ ଯିବା ଆସିବା ଅଧିକ ସୁବିଧାଜନକ ହୋଇପାରିବ। ଅଧିକ ପ୍ରଶସ୍ତ ରାସ୍ତା ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିବ। ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯୋଗାଯୋଗ ସୁଗମ ହେବା ସହ ପଶ୍ଚିମ ଓଡ଼ିଶାର ଦୀର୍ଘକାଳୀନ ଅଭିବୃଦ୍ଧିରେ ଏହି ନୂତନ ରାସ୍ତା ବିଶେଷ ଭୂମିକା ନିର୍ବାହ କରିବ।
ଏହି ରାସ୍ତା ମଧ୍ୟରେ ଥିବା ୫ଟି ମୁଖ୍ୟ ସେତୁ ଓ ୧୫ଟି ଛୋଟ ସେତୁର ମଧ୍ୟ ନିର୍ମାଣ କରାଯିବ। ଏଥି ସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ। ପ୍ରାୟ ୭୦ କିଲୋମିଟର ଦୀର୍ଘ ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୬୪୦ କୋଟି ଟଙ୍କା ବ୍ୟୟବରାଦ ରହିଥିବାବେଳେ ସେତୁ ନିର୍ମାଣ ପାଇଁ ପ୍ରାୟ ୯୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
