ରାଜ୍ୟ ସାରା କିଶୋର କିଶୋରୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଦିନ ‘ଅଦ୍ୱିକା ବାର୍ତ୍ତା’ ମାଧ୍ୟମରେ ରାଜ୍ୟର କିଶୋର-କିଶୋରୀମାନଙ୍କ ସହ ଏକ ଅଭିନବ ରାଜ୍ୟସ୍ତରୀୟ ଆଲୋଚନାରେ ସାମିଲ ହୋଇଛନ୍ତି। ଶାସନ ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ସଦୃଢ଼ କରିବା ପାଇଁ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (OSCPCR) ଏବଂ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ “ଏ ଡେ ଫର ଚିଲଡ୍ରେନ୍” (A Day for Children) କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଏହି ଆଲୋଚନା ଆୟୋଜିତ ହୋଇଥିଲା।

ରଜ ପର୍ବ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ‘ଅଦ୍ୱିକା’ ଗ୍ରୁପ୍ ସହ ଜଡ଼ିତ କିଶୋର ଓ କିଶୋରୀମାନେ ଏକାଠି ହୋଇଥିଲେ। କିଛି କିଶୋର-କିଶୋରୀ ଭୁବନେଶ୍ୱର ସ୍ଥିତ କନଭେନସନ ସେଣ୍ଟରରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଏଥିରେ ଭାଗ ନେଇଥିବା ବେଳେ, ସମସ୍ତ ୩୦ଟି ଜିଲ୍ଲାର ପ୍ରତିନିଧିମାନେ ଜିଲ୍ଲା ଅଧିକାରୀ ଓ ପ୍ରଶାସକମାନଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଏଥିରେ ଯୋଡ଼ି ହୋଇଥିଲେ।

ଏହି ଦୁଇ ଘଣ୍ଟିଆ ଆଲୋଚନା ଚକ୍ରରେ କିଶୋର-କିଶୋରୀମାନେ ଶିକ୍ଷା, ସୁରକ୍ଷା, ଲିଙ୍ଗଗତ ସମାନତା, ଶିଶୁ ଅଧିକାର, ନେତୃତ୍ୱ ନେବାର ସୁଯୋଗ, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ଭବିଷ୍ୟତର ଆକାଂକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସିଧା ସଳଖ ପ୍ରଶ୍ନ ପଚାରିବା ସହ ନିଜର ଅନୁଭୂତି ବାଣ୍ଟିଥିଲେ। ଏଥିସହିତ ରାଜ୍ୟରେ ଯୁବପିଢ଼ିଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଏବଂ ସେବାଗୁଡ଼ିକୁ ଅଧିକ ମଜବୁତ କରିବା ପାଇଁ ସେମାନେ ନିଜ ନିଜର ମତାମତ ଓ ପରାମର୍ଶ ମଧ୍ୟ ଉପସ୍ଥାପନ କରିଥିଲେ।

ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ପ୍ରଭାତୀ ପରିଡ଼ା କିଶୋର-କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପତ୍ତିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ଦୋହରାଇଥିଲେ। ସେ ଯୁବପିଢ଼ିଙ୍କୁ ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ସହ ଆଗାମୀ ଦିନର ନୀତି ନିର୍ଦ୍ଧାରଣ ଆଲୋଚନାରେ ସେମାନଙ୍କର ସମସ୍ୟା ଓ ସୁପାରିଶଗୁଡ଼ିକୁ ବିଚାରକୁ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ବବିତା ପାତ୍ର,  ୟୁନିସେଫ୍ ଓଡ଼ିଶାର ଚିଫ୍ ଅଫ୍ ଫିଲ୍ଡ ଅଫିସ୍ ପ୍ରଶାନ୍ତ ଦାଶ,ଓଡ଼ିଶା ରାଜ୍ୟ ମହିଳା କମିଶନର  ଅଧ୍ୟକ୍ଷା ସୋଭନା ମହାନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *