ଭୁବନେଶ୍ୱର: ଯୋଜନା ଓ ସଂଯୋଜନ ବିଭାଗ ଅଧୀନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ (ଡିଇଏଣ୍ଡଏସ୍) ପକ୍ଷରୁ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ଅବସରରେ “ଦକ୍ଷ ଜନସେବା ପ୍ରଦାନ ପାଇଁ ପ୍ରଶାସନିକ ତଥ୍ୟର ସଦୁପଯୋଗ” (Harnessing Administrative Data for Efficient Public Service Delivery) ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆରମ୍ଭ ହୋଇଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI)ର ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ କରିବା ଲକ୍ଷ୍ୟ ସହ ସାମଞ୍ଜସ୍ୟ ରଖି ଏହି କର୍ମଶାଳାର ଆୟୋଜନ କରାଯାଇଛି।
ଏହି ଅବସରରେ ବରିଷ୍ଠ ସରକାରୀ ଅଧିକାରୀ, ପରିସଂଖ୍ୟାନବିତ୍, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ବିକାଶ ସହଯୋଗୀ ସଂସ୍ଥାର ପ୍ରତିନିଧି ଏବଂ ବିଷୟ ବିଶେଷଜ୍ଞମାନେ ଯୋଗଦେଇ ପ୍ରମାଣଭିତ୍ତିକ ଶାସନ ବ୍ୟବସ୍ଥା ଏବଂ ଦକ୍ଷ ଜନସେବା ପ୍ରଦାନରେ ପ୍ରଶାସନିକ ତଥ୍ୟର ଭୂମିକା ଉପରେ ମତ ବିନିମୟ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଭାରତର ଆଧୁନିକ ପରିସଂଖ୍ୟାନ ବ୍ୟବସ୍ଥାର ରୂପକାର ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନବିଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ଉଦ୍ଘାଟନୀ ଅଧିବେଶନରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ସମସ୍ତ ବିଭାଗରେ ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ମହଲାନବିଶଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେଉଛି ତାଙ୍କ ପ୍ରଦର୍ଶିତ ପଥରେ ଅଗ୍ରସର ହେବା ବୋଲି ସେ କହିଥିଲେ। ସେ ପ୍ରଶାସନିକ ତଥ୍ୟର ଅପାର ସମ୍ଭାବନା ସମ୍ପର୍କରେ ଆଲୋକପାତ କରିବା ସହ ସର୍ବେକ୍ଷଣ ତଥ୍ୟ ସହିତ ଏହାର ଯାଞ୍ଚ ଓ ସତ୍ୟାପନ ପରେ ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ।
ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡ଼. ବି. ବି. ନନ୍ଦ ସ୍ୱାଗତ ଅଭିଭାଷଣ ରଖି ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ଦିଗରେ ଡିଇଏଣ୍ଡଏସ୍ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଡିଜିଟାଲ ପଦକ୍ଷେପ ଏବଂ ସେଥିରେ ମିଳିଥିବା ସଫଳତା ସମ୍ପର୍କରେ ଅବଗତ କରାଇଥିଲେ।
ଏହି ଅବସରରେ ଉନ୍ନୟନ କମିଶନର ଶ୍ରୀ ସିଂହ ଡିଇଏଣ୍ଡଏସ୍ର ବିଭିନ୍ନ ନୂତନ ଡିଜିଟାଲ ପଦକ୍ଷେପ ଯଥା ଡାଟା କାଟାଲଗ୍ ଓ ମେଟାଡାଟା ପରିଚାଳନା ପୋର୍ଟାଲ୍, ଏସ୍ଟିଏଟ୍ ଓଡ଼ିଶା ମୋବାଇଲ୍ ଆପ୍ (STATOdisha Mobile Application), ୱେବ୍ ଆଧାରିତ ପ୍ରଗତି ରିପୋର୍ଟିଂ ପ୍ରଣାଳୀ (ଇ-ତଥ୍ୟ), ସମନ୍ୱିତ ଇନଭେଣ୍ଟୋରି ଓ ସମ୍ପତ୍ତି ପରିଚାଳନା ପ୍ରଣାଳୀ, କ୍ୟାପି ପରିଚାଳନା ସୂଚନା ପ୍ରଣାଳୀ (ଏମଆଇଏସ୍) ଡ୍ୟାସବୋର୍ଡ (CAPI Management Information System (MIS) Dashboard), ଆରଆଇପିଏଇଏସ୍ ୱେବସାଇଟ୍ ଓ ଶିକ୍ଷା ପରିଚାଳନା ପ୍ରଣାଳୀ (RIPAE&S Website and Learning Management System), ଆରଆଇପିଏଇଏସ୍ ଓ ଡିଇଏଣ୍ଡଏସ୍ ପୁସ୍ତକାଳୟ ପରିଚାଳନା ପ୍ରଣାଳୀ (Library Management System of RIPAE&S and DE&S) ଏବଂ ଜିଆଇଏସ୍ ସକ୍ଷମ ପରିସଂଖ୍ୟାନ ଡ୍ୟାସବୋର୍ଡ (GIS-enabled Statistical Dashboard of DE&S)ର ଶୁଭାରମ୍ଭ କରିଥିଲେ। ଏହି ପଦକ୍ଷେପଗୁଡ଼ିକ ସରକାରୀ ପରିସଂଖ୍ୟାନର ଉପଲବ୍ଧତା, ଗୁଣବତ୍ତା, ପରିଚାଳନା ଏବଂ ପ୍ରସାରଣକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା।
କାର୍ଯ୍ୟକ୍ରମରେ ଏନର୍ଜ ପରିସଂଖ୍ୟାନ ରିପୋର୍ଟ-୨୦୨୫ (Energy Statistics Report – 2025), ମହିଳା ଓ ପୁରୁଷ ଓଡ଼ିଶା ରିପୋର୍ଟ-୨୦୨୫ (Women and Men Odisha Report – 2025), ବାର୍ଷିକ କାର୍ଯ୍ୟକଳାପ ରିପୋର୍ଟ ୨୦୨୫-୨୬ (Annual Activity Report – 2025-26), ଇଆରଏଏସ୍ ପ୍ରାଯୁକ୍ତିକ ରିପୋର୍ଟ (୨୦୨୩-୨୪ ଓ ୨୦୨୪-୨୫) (Technical Reports of EARAS – 2023-24 & 2024-25), ଜଳାଶୟର ପ୍ରଥମ ଜନଗଣନା ରିପୋର୍ଟ (First Census of Water Bodies Report), ସମୀକ୍ଷା ପତ୍ରିକା-୨୦୨୬ (Samikhya Journal – 2026), ୧୩ଟି ଜିଲ୍ଲାର ଜିଲ୍ଲା ପରିସଂଖ୍ୟାନ ହ୍ୟାଣ୍ଡବୁକ୍-୨୦୨୪ (District Statistical Handbook (2024) – 13 districts), ଶିଳ୍ପ ସର୍ବେକ୍ଷଣ ବାର୍ଷିକ ରିପୋର୍ଟ ୨୦୨୧-୨୨ (Annual Survey of Industries Report – 2021-22) ଏବଂ ଶିଳ୍ପ ଉତ୍ପାଦନ ସୂଚକାଙ୍କ-୨୦୨୪ (Index of Industrial Production – 2024) ପ୍ରମୁଖ ପ୍ରକାଶନଗୁଡ଼ିକର ଉନ୍ମୋଚନ କରାଯାଇଥିଲା।
ପରିସଂଖ୍ୟାନ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ବଲପୁର, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ଯୋଜନା ଓ ମନିଟରିଂ ୟୁନିଟ୍ (ଡିପିଏମୟୁ)କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଡିପିଏମୟୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଡିଇଏଣ୍ଡଏସ୍ର ଓଏସଡି ମାନସ ରଞ୍ଜନ ସାମଲ ଧନ୍ୟବାଦ ଜ୍ଞାପନ କରିବା ସହ ଓଡ଼ିଶାରେ ପ୍ରଶାସନିକ ତଥ୍ୟର ସମନ୍ୱୟ କ୍ଷେତ୍ରରେ ଥିବା ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଏକ ଉପସ୍ଥାପନା ଦେଇଥିଲେ।
ଦୁଇଦିନିଆ କର୍ମଶାଳାରେ ପରିସଂଖ୍ୟାନ ବ୍ୟବସ୍ଥାର ଡିଜିଟାଲ ରୂପାନ୍ତରଣ, ମେଟାଡାଟା ପରିଚାଳନା, ତଥ୍ୟର ଗୁଣବତ୍ତା ନିଶ୍ଚିତକରଣ, କ୍ୱାଣ୍ଟମ୍-ସୁରକ୍ଷିତ ତଥ୍ୟ ସୁରକ୍ଷା, ପରିବେଶ ପରିସଂଖ୍ୟାନ ଏବଂ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣରେ ପ୍ରଶାସନିକ ତଥ୍ୟର ଉପଯୋଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶ୍ୱବ୍ୟାଙ୍କ, ବିଭିନ୍ନ ବିକାଶ ସହଯୋଗୀ ସଂସ୍ଥା, କେନ୍ଦ୍ର ସରକାର, ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ସରକାରର ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ଜାତୀୟ ଓ ଆନ୍ତର୍ଜାତିକ ଶ୍ରେଷ୍ଠ ଅଭ୍ୟାସ ସମ୍ପର୍କରେ ମତ ରଖିଥିଲେ। ବନ ଓ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପର୍ଷଦ, ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଏବଂ ଗ୍ରିଡକୋ ପକ୍ଷରୁ ପ୍ରଶାସନିକ ତଥ୍ୟର ଅଭିନବ ବ୍ୟବହାର ଉପରେ ଉପସ୍ଥାପନା କରାଯାଇଥିଲା।
କର୍ମଶାଳାରେ ତଥ୍ୟର ସମନ୍ୱୟ, ପରସ୍ପର ସଂଯୋଗକ୍ଷମତା ଏବଂ ପ୍ରତିଷ୍ଠାନଗତ ସହଯୋଗକୁ ଆହୁରି ସୁଦୃଢ଼ କରି ସମୟୋପଯୋଗୀ, ନିର୍ଭରଯୋଗ୍ୟ ଓ ପ୍ରମାଣଭିତ୍ତିକ ନିଷ୍ପତ୍ତି ଗ୍ରହଣ ପାଇଁ ଏକ ଆଧୁନିକ, ପ୍ରଯୁକ୍ତି ସକ୍ଷମ ପରିସଂଖ୍ୟାନ ବ୍ୟବସ୍ଥା ଗଢ଼ି ତୋଳିବା ଉପରେ ସର୍ବସମ୍ମତି ପ୍ରକାଶ ପାଇଥିଲା। ଏହି କର୍ମଶାଳା ଅନ୍ତର୍ଭୁକ୍ତୀମୂଳକ ଓ ସୁଶାସନ ପାଇଁ ତଥ୍ୟକୁ ଏକ କୌଶଳଗତ ସମ୍ପଦ ଭାବେ ବ୍ୟବହାର କରିବା ଦିଗରେ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପୁନଃଦୋହରାଇଛି।
