ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକାଘର

ବାରିପଦା / ଭୁବନେଶ୍ବର: ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ସୁରକ୍ଷିତ ଏବଂ ସ୍ଥାୟୀ ( ପକା ) ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବାରିପଦା ପୌରପାଳିକା ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) – PMAY-U 2.0 ଅଧୀନରେ ୬୧ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ  ବଣ୍ଟନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ଡ. ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ସହରାଞ୍ଚଳର ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ମୁଣ୍ଡ ଉପରେ ଏକ ସୁରକ୍ଷିତ ଛାତ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ଜୀବନଶୈଳୀରେ ସୁଧାର ଆଣିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ରହିଛି। “ରାଜ୍ୟର ପ୍ରତ୍ୟେକ ପରିବାର ପାଇଁ ଏକ ସ୍ଥାୟୀ ଘରର ସ୍ୱପ୍ନ ସାକାର ହେବା ଉଚିତ। କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ଏଥିରୁ ବଞ୍ଚିତ ନ ହେବେ, ସେଥିପାଇଁ ସରକାର ସମ୍ମିଳିତ ପ୍ରୟାସ କରୁଛନ୍ତି,” ବୋଲି ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି। କାର୍ଯ୍ୟାଦେଶ ପାଇଥିବା ୬୧ ଜଣ ହିତାଧିକାରୀ ପରିବାରକୁ ଶୁଭେଚ୍ଛା ଜଣାଇ ସେ ଆଶା ପ୍ରକଟ କରିଛନ୍ତି ଯେ, ସେମାନଙ୍କର ଏହି ନୂତନ ଗୃହ ସେମାନଙ୍କ ଜୀବନରେ ଖୁସି, ସମ୍ମାନ ଏବଂ ଏକ ଉନ୍ନତ ଜୀବନମାନ ନେଇ ଆସିବ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କଲ୍ୟାଣମୂଳକ ଯୋଜନାର ସୁଫଳ ଯେପରି ସ୍ୱଚ୍ଛ ଓ ଦକ୍ଷତାର ସହ ତୃଣମୂଳ ସ୍ତରରେ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରି ସମାବେଶୀ ସହରୀ ବିକାଶ ଏବଂ ସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ତ୍ୱରାନ୍ୱିତ କରିବାରେ PMAY-U 2.0 ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଏହି କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକାର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମାରାଣୀ ଦାସ, ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, କାଉନସିଲର, ପୌରପାଳିକାର ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ସେମାନଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେl

Leave a Reply

Your email address will not be published. Required fields are marked *