ବୌଦ୍ଧ ଐତିହ୍ୟ ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ସୁଦୃଢ଼ କରିବା ପାଇଁ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଲୋକସେବା ଭବନଠାରେ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଓଡ଼ିଶାକୁ ବୌଦ୍ଧ ଐତିହ୍ୟ, ଆଧ୍ୟାତ୍ମିକତା, ଗବେଷଣା ଏବଂ ସାଂସ୍କୃତିକ ପର୍ଯ୍ୟଟନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମାନ୍ୟତାପ୍ରାପ୍ତ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ସଂକଳ୍ପ ରହିଛି, ଏହି ଭାଗିଦାରୀ ତାହାକୁ ଆହୁରି ସୁଦୃଢ଼ କରିବ।

ଏହି ବୁଝାମଣାପତ୍ରଟି ଉପମୁଖ୍ୟମନ୍ତ୍ରୀ, ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା; ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା, ସୂର୍ଯ୍ୟବଂଶୀ ସୂରଜ; ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଜିରାଙ୍ଗ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାରର ସଭାପତି ଗ୍ୟେତ୍ରୁଲ ଜିଗ୍ମେ ରିନପୋଛେଙ୍କ ସମ୍ମାନଜନକ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ବରିଷ୍ଠ ପଦାଧିକାରୀ, ବୌଦ୍ଧ ସନ୍ନ୍ୟାସୀ ସମ୍ପ୍ରଦାୟର ସଦସ୍ୟ ଏବଂ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶାର ବୌଦ୍ଧ ଐତିହ୍ୟ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ସାଂସ୍କୃତିକ ସମ୍ପଦ ଏବଂ ଏହାର ପର୍ଯ୍ୟଟନ ସମ୍ଭାବନାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସେ ଉଲ୍ଲେଖ କରିଛନ୍ତି ଯେ ଏହି ମିଳିତ ସହଯୋଗ ସାରା ବିଶ୍ୱର ପର୍ଯ୍ୟଟକମାନଙ୍କ ପାଇଁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିବା ସହିତ ଏହି ଚିରନ୍ତନ ସଂସ୍କୃତିର ସଂରକ୍ଷଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବୌଦ୍ଧ ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଆନ୍ତର୍ଜାତୀୟ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ି ତୋଳିବାରେ ଏହି ସହଭାଗିଦାରୀ ସହାୟକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଓଡ଼ିଶାର ବୌଦ୍ଧ ପରମ୍ପରା ଇତିହାସ, ଦର୍ଶନ ଏବଂ ଜୀବନ୍ତ ସଂସ୍କୃତିର ଏକ ଅନନ୍ୟ ସମନ୍ୱୟ। ସେ କହିଛନ୍ତି ଯେ ଏହି ଭାଗିଦାରୀ କେବଳ ମୂଲ୍ୟବାନ ଐତିହ୍ୟର ସଂରକ୍ଷଣ କରିବାରେ ସାହାଯ୍ୟ କରିବ ନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତି ସହିତ ଗବେଷଣା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଜନସାଧାରଣଙ୍କ ଗଭୀର ସମ୍ପୃକ୍ତିକୁ ମଧ୍ୟ ପ୍ରୋତ୍ସାହିତ କରିବ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆନୁଷ୍ଠାନିକ ସହଯୋଗ ମାଧ୍ୟମରେ ଓଡ଼ିଶାର ବୌଦ୍ଧ ଐତିହ୍ୟକୁ ସୁଦୃଢ଼ କରିବା ପାଇଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ସେ ମତ ଦେଇଛନ୍ତି ଯେ ଏହି ସହଭାଗିଦାରୀ ଐତିହ୍ୟ ସଂରକ୍ଷଣ, ସାଂସ୍କୃତିକ ସୁରକ୍ଷା ଏବଂ ସ୍ଥାୟୀ ପର୍ଯ୍ୟଟନ ପ୍ରତି ସରକାରଙ୍କ ସମନ୍ୱିତ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି।

ଏହି ବୁଝାମଣାପତ୍ର, ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ, ବୌଦ୍ଧ ସନ୍ନ୍ୟାସୀ ଆଶ୍ରମ ଜୀବନଶୈଳୀର ଅନୁଭୂତି ଏବଂ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ସମେତ ପ୍ରକୃତ ଆଧ୍ୟାତ୍ମିକ ଏବଂ ଅନୁଭୂତିପୂର୍ଣ୍ଣ ପର୍ଯ୍ୟଟନ କାର୍ଯ୍ୟକ୍ରମଗୁଡ଼ିକର ବିକାଶ ପାଇଁ ସହଯୋଗର ଏକ ବ୍ୟାପକ ରୂପରେଖ ସ୍ଥାପନ କରୁଛି। ଏହା ସହିତ ଆନ୍ତର୍ଜାତୀୟ ସମ୍ମିଳନୀ, ଗବେଷଣା, ଶିକ୍ଷାଗତ ସହଯୋଗ ଏବଂ ଜ୍ଞାନର ଆଦାନପ୍ରଦାନ ମାଧ୍ୟମରେ ବୌଦ୍ଧ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଏଥିସହ, ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟକଙ୍କ ଉତ୍ତମ ଅନୁଭୂତି ଏବଂ ସ୍ଥାୟୀ ପର୍ଯ୍ୟଟନ ଉପରେ ବିଶେଷ ଗୁରୁତ୍ୱ ଦେଇ ରତ୍ନଗିରି-ଉଦୟଗିରି-ଲଳିତଗିରି-ଜିରାଙ୍ଗ ବୌଦ୍ଧ ସର୍କିଟ୍‌କୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ, ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ଗନ୍ତବ୍ୟ ସ୍ଥଳ ଭାବରେ ସମନ୍ୱିତ ବିକାଶ କରିବାକୁ ଏହା ସହାୟତା ପ୍ରଦାନ କରୁଛି।

Leave a Reply

Your email address will not be published. Required fields are marked *