ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଷଷ୍ଠ ସଂସ୍କରଣ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ରାଜନୀତି ବିଜ୍ଞାନ, ସଂସ୍କୃତ ଓ ଅର୍ଥଶାସ୍ତ୍ରର ୧୨୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଦଘାଟନୀ ଅଧିବେଶନରେ ୟୁନିସେଫ୍ ର ରାଜ୍ୟ ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ,  ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳି,  ଉପନିର୍ଦ୍ଦେଶକ ସି.ଏଚ୍. ବିଜୟଲକ୍ଷ୍ମୀ, ୟୁନିସେଫ୍ ର ରାଜ୍ୟ ଶିକ୍ଷା ପରାମର୍ଶଦାତା ଜୟାଜ୍ୟୋତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। 

ଏହି ଅବସରରେ ମୁଖ୍ୟ ଅତିଥି ଲଳିତା ପଟ୍ଟନାୟକ ଶିକ୍ଷା ପ୍ରଦାନ ନିମନ୍ତେ ଶିକ୍ଷା ଗ୍ରହଣର ଆବଶ୍ୟକତା ରହିଥିବା କହିଛନ୍ତି। କର୍ମଶାଳା ପିଜିଟିମାନଙ୍କ କାର୍ଯ୍ୟଶୈଳୀ ବୁଝିବାରେ ସାହାଯ୍ୟ କରିଥାଏ। ଜାତୀୟ ଶିକ୍ଷା ନୀତି ୨୦୨୦ ଛାତ୍ରକୈନ୍ଦ୍ରୀକ ଶିକ୍ଷା  ଉପରେ ଧ୍ୟାନ ଦେଇଆସିଛି ତେଣୁ କର୍ମଶାଳାରେ ଅଂଶଗ୍ରହଣ କରି ଏହାର ଲାଭ ଉଠାଇବାକୁ ଶ୍ରୀମତୀ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ କର୍ମଶାଳାଟି ସମସ୍ତଙ୍କ ଆବଶ୍ୟକତାକୁ ନେଇ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିଗଦର୍ଶନ କର୍ମଶାଳା ମାଧ୍ୟମରେ ଶିକ୍ଷକମାନେ ଯାହା ଶିଖିକି ଯାଇଥାନ୍ତି, ତାହା ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରିବାରେ ସହାୟକ ହୋଇଥାଏ। ଏଥିସହ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ମାଳି ସ୍ବାଗତ ଅଭିଭାଷଣ ରଖି କର୍ମଶାଳାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉପନିର୍ଦ୍ଦେଶକ ସି.ଏଚ୍ ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ୟୁନିସେଫ୍  ରାଜ୍ୟ ଶିକ୍ଷା ପରାମର୍ଶଦାତା ଶ୍ରୀମତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ ଦିଗଦର୍ଶନ କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୪ ରେ ଶେଷ ହୋଇଥିବା ବେଳେ  ଦ୍ବିତୀୟ ପର୍ଯ୍ୟାୟ କର୍ମଶାଳା ଜୁଲାଇ ୨୭ ରୁ ଜୁଲାଇ ୩୧  ତାରିଖ ଯାଏଁ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଅର୍ଥଶାସ୍ତ୍ର ଓ ସଂସ୍କୃତର ୧୨୦ ଜଣ ପିଜିଟି ଯୋଗ ଦେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ରାଜନୀତି ବିଜ୍ଞାନ ଏବଂ କିଛି ଅର୍ଥଶାସ୍ତ୍ର ଓ ସଂସ୍କୃତର ଆଉ  ୧୨୦ ଜଣ ପିଜିଟି ଯୋଗ ଦେଇଛନ୍ତି।  ଏହି କର୍ମଶାଳାରେ ଜାତୀୟ ଶିକ୍ଷା ନୀତି ୨୦୨୦ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ଆଇସିଟିର ବ୍ୟବହାର, ଓଡିଶା ଏଜୁକେସନ୍ ରୁଲ୍, ସାମ୍ସ ଓ ଶିକ୍ଷାଜ୍ୟୋତି ପୋର୍ଟାଲର ବ୍ୟବହାର, ପୋଶ୍ ଆକ୍ଟ, ଛାତ୍ରବୃତ୍ତି, ପ୍ରଶାସନିକ ଭୂମିକା, ପରୀକ୍ଷା ଏବଂ ମୂଲ୍ୟାଙ୍କନ ଯୋଜନା, କ୍ୟାରିଅର ମାର୍ଗଦର୍ଶନ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *