ଲଗାଣ ବର୍ଷା ଓ ବନ୍ୟା କ୍ଷୟକ୍ଷତି ଆକଳନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା କ୍ଷୟକ୍ଷତି ଆକଳନ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତିl କ୍ଷୟକ୍ଷତି ଆକଳନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରାୟ ପ୍ରଭାବିତ ଜିଲ୍ଲାମାନଙ୍କର ରିପୋର୍ଟ ଇତିମଧ୍ୟରେ ରାଜ୍ୟସରକାରଙ୍କ ହସ୍ତଗତ ହୋଇଛି; ତେବେ କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ୟାଜଳ ପ୍ରଭାବ ହ୍ରାସ ହୋଇନଥିବାରୁ ପରିସ୍ଥିତିରେ ସୁଧାର ଆସିବା ପରେ ଯଥାଶୀଘ୍ର ସେ ସମସ୍ତ ଜିଲ୍ଲାର ରିପୋର୍ଟ ପଠାଇବାକୁ ସମ୍ପୃକ୍ତ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛିl ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲାପ୍ରଶାସନ ଏବଂ ପ୍ରଭାବିତ ଅଞ୍ଚଳର ବିଡିଓ, ତହସିଲଦାରମାନଙ୍କ ସହ ମଧ୍ଯ କ୍ଷୟକ୍ଷତି ଆକଳନ ଏବଂ କ୍ଷତିପୂରଣ ବଣ୍ଟନ ସମ୍ପର୍କରେ ପଚାରି ବୁଝିବା ସହ ବିଶଦ ଆଲୋଚନା କରିଥିଲେl କ୍ଷୟକ୍ଷତି ଆକଳନ ଚୂଡାନ୍ତ ରିପୋର୍ଟ ପ୍ରଦାନ ସହ କ୍ଷତିପୂରଣ ପ୍ରଦାନ ତ୍ୱରାନିତ କରିବାକୁ ମନ୍ତ୍ରୀ ସମସ୍ତ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି l

ବନ୍ୟାରେ ପ୍ରାୟ ୨୩ ଜିଲ୍ଲା ଆଂଶିକ ବା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ସ୍ଥିତି କ୍ରମଶଃ ସ୍ଵାଭାବିକ୍ ଅବସ୍ଥାକୁ ଆସୁଛିl ଅଦ୍ୟାବଧି ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ୩୫୬୭ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୩୭,୨୯୭ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛିl ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହା ଅଧିକ ହୋଇପାରେ। ଏହି ପରିପ୍ରେକ୍ଷୀରେ ଆସନ୍ତା ଦିନେ ଦୁଇଦିନ ଭିତରେ ସମସ୍ତ ଜିଲ୍ଲାର ଚୂଡ଼ାନ୍ତ ରିପୋର୍ଟ ସହ ସମ୍ପୂର୍ଣ୍ଣ ତଥ୍ୟ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି l ଜିଲ୍ଲାପାଳମାନେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବା ସହ ବନ୍ୟା ମୁକାବିଲା ପାଇଁ ପ୍ରଦତ୍ତ ଆର୍ଥିକ ସହାୟତାରୁ ତ୍ଵରିତ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛିl ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାହା ମଧ୍ଯ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛିl ପ୍ରକାଶ ଥାଉ କି, ରାଜ୍ୟସରକାର ସମୁଦାୟ ୧୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଏହା ସିଧାସଳଖ କ୍ଷତିଗ୍ରସ୍ତ ବ୍ୟକ୍ତିବିଶେଷ ବା ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଅଧିକୃତ କରାଯାଇଛିl ସେହିପରି କ୍ଷତିଗ୍ରସ୍ତ ଜନସାଧାରଣଙ୍କ ଡାଟାବେସ୍ ପ୍ରସ୍ତୁତ କରି ବିଭାଗକୁ ପଠାଇବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛିl

ବନ୍ୟା ମୁକାବିଲା ବ୍ୟବସ୍ଥାର ବିସ୍ତୃତ ଆଲୋଚନା କରି ବନ୍ୟାର ପ୍ରଚ୍ଛଦ ପରିସ୍ଥିତି ଓ କାରଣ, ଚଳିତ ବର୍ଷ ଏକାସାଙ୍ଗରେ ଏକାଧିକ ନଦୀରେ ବନ୍ୟା ଆସିବା, ଜଳ ନିଷ୍କାସିତ ହେବାରେ ରହିଥିବା ସମସ୍ୟା, ଘେରି ବନ୍ଧର ଆବଶ୍ୟକତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ମନ୍ତ୍ରୀ ଶ୍ରୀ ପୂଜାରୀ ଆଲୋଚନା କରିଥିଲେ l ସେହିପରି ଯେଉଁ ଜାତୀୟ ରାଜପଥ ତଥା ଅନ୍ୟାନ୍ୟ ରାସ୍ତାମନେ ବନ୍ୟା ଜଳ ଆସିଲେ ପ୍ରଭାବିତ ହେଉଛନ୍ତି, ସେଇ ସବୁ ରାସ୍ତାର ମରାମତି ତଥା ଅନ୍ୟ ସମାଧାନ ବ୍ୟବସ୍ଥା ନିମନ୍ତେ ମଧ୍ଯ ପୂର୍ତ୍ତ ତଥା ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ସହ ଆଲୋଚନା କରାଯାଇଛିl ସେହିସବୁ ରାସ୍ତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେବା ପରେ ସେଥିନିମନ୍ତେ ମଧ୍ଯ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ପାଣ୍ଠି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତିl ଶକ୍ତି ବିଭାଗ , ମହିଳା ଏବଂ ଶିଶୁ ବିକାଶ, ପଞ୍ଚାୟତିରାଜ ବିଭାଗ ଏବଂ ଅନ୍ୟ ବିଭାଗ ମାନଙ୍କୁ ମଧ୍ଯ ତାଙ୍କର କ୍ଷୟକ୍ଷତି ରିପୋର୍ଟ୍ ଦେବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ପ୍ରସ୍ତୁତ ରିପୋର୍ଟ ମୁତାବକ ଆଗାମୀ ବଜେଟରୁ ଏଥିପାଇଁ ଅର୍ଥ ରାଶି ଭରଣା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି l

ଏଥିସହିତ ବିପର୍ଯ୍ୟୟ ମୁକାବିଲା ସଙ୍ଗେସଙ୍ଗେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତିl ଜଳବାୟୁ ପରିବର୍ତ୍ତନର ସ୍ୱରୂପକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଖସଡ଼ା ପ୍ରସ୍ତୁତ ହେଉଛିl ସହରାଞ୍ଚଳ ବନ୍ୟା ତଥା ଜଳବନ୍ଦୀ ଅବସ୍ଥାର ମୁକାବିଲା ପାଇଁ ୧୦ଟି ସହରାଞ୍ଚଳକୁ ମଡେଲ ସହର ଭାବେ ଗ୍ରହଣ କରି ଆବଶ୍ୟକ ଅର୍ଥରାଶି ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଛି l

ବୈଠକରେ ସ୍ପେଶାଲ୍ ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଯାମିନୀ ଷଡଙ୍ଗୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଗିରିଶ ଏସ୍. ଏନ୍, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପୂର୍ତ୍ତ ବିଭାଗ, ଶକ୍ତି ବିଭାଗ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (RO NHAI), ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ (SRC), ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *