ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟଗୁଡିକ ନିଜ ଅଞ୍ଚଳର ଅନ୍ତତ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସ୍ଥାନୀୟ ଲୋକଙ୍କ ଦକ୍ଷତା ଓ ସମ୍ଭାବନା ଚିହ୍ନଟ କରିବା ସହ ଆବଶ୍ୟକତା ଭିତ୍ତିକ ପ୍ରଶିକ୍ଷଣ ଓ ଔଦ୍ୟୋଗିକ ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲାର ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କ ପାଇଁ ଆୟୋଜିତ ଏକ ଦିନିକିଆ ଅଭିଜ୍ଞତା ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଏହା କହିଥିଲେ I
ଏହି ଅବସରରେ ବାର୍ତାଳାପ କରି ରାଜ୍ୟପାଳ କହିଥିଲେ ଯେ ବିଶ୍ୱବିଦ୍ୟାଳୟମାନେ ନିଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସମ୍ବଳକୁ ବ୍ୟବହାର କରି ତଥା ଗ୍ରାମମାନଙ୍କରେ ଉପଲବ୍ଧ ଦକ୍ଷତା ଓ ସମ୍ଭାବନା ଚିହ୍ନଟ କରି ସେହି ଅନୁସାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଉଚିତ। ଏହିଭଳି ପଦକ୍ଷେପ କେବଳ ତାଲିମ ଉପରେ ସୀମିତ ନ ରହି ଲୋକଙ୍କୁ ସେମାନଙ୍କ ଦକ୍ଷତାକୁ ଜୀବିକା ଓ ଆୟ ସୃଷ୍ଟିକାରୀ ଉଦ୍ୟୋଗରେ ପରିଣତ କରିବାରେ ସାହାଯ୍ୟ କରିବା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ରାଜ୍ୟପାଳ କହିଥିଲେ।
ବିଶ୍ୱବିଦ୍ୟାଳୟମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ସେହି ସୁବିଧା ଉପଲବ୍ଧ କରାଇବାରେ ସହାୟତା କରିବାକୁ ମଧ୍ୟ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ପିଏମ ମୁଦ୍ରା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଯୋଜନା ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ବିଶ୍ୱବିଦ୍ୟାଳୟମାନେ ଗ୍ରାମୀଣ ଗୋଷ୍ଠୀକୁ ଏହିଭଳି ଯୋଜନା ବିଷୟରେ ସୂଚନା ପହଞ୍ଚାଇବା ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ସୁବିଧା ଉପଲବ୍ଧ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।
ପିଏମ-ସୂର୍ଯ୍ୟ ଘର: ମୁଫ୍ତ ବିଜୁଲି ଯୋଜନାକୁ ଏକ ଉନ୍ନତ ଯୋଜନା ବୋଲି ବର୍ଣ୍ଣନା କରି ବିଶ୍ୱବିଦ୍ୟାଳୟମାନଙ୍କୁ ନିଜ ନିଜ ଅଞ୍ଚଳରେ ଏହି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ସହ ଅଧିକ ଲୋକ ଯେପରି ଏହାର ଲାଭ ପାଇପାରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟପାଳ କୁଳପତିମାନଙ୍କୁ ପ୍ରୋତ୍ସାହିତ କରିଥିଲେ।
ସାଂସଦ ଭାବେ ନିଜ କାର୍ଯ୍ୟକାଳ ଓ ଦକ୍ଷତା ବିକାଶ ସମ୍ବନ୍ଧୀୟ ସଂସଦୀୟ କମିଟି ସହିତ ନିଜର ଅଭିଜ୍ଞତାକୁ ସ୍ମରଣ କରି ରାଜ୍ୟପାଳ କହିଥିଲେ ଯେ ସେହି ସମୟରେ ସେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେତେବେଳେ ମଧ୍ୟ ଦକ୍ଷତା ବିକାଶ ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ। ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ମଡେଲକୁ କେବଳ ଅନୁକରଣ ନ କରି ନିଜ ନିଜ ଅଞ୍ଚଳର ସମ୍ଭାବନା, ସମ୍ବଳ ଓ ଦକ୍ଷତା ମୂଲ୍ୟାଙ୍କନ କରି ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ବିକାଶ କରିବାକୁ କୁଳପତିମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏତତବ୍ୟତୀତ ରାଜ୍ୟପାଳ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡିକ ଶିକ୍ଷା ଓ ଦକ୍ଷତାକୁ ସ୍ଥାନୀୟ ଆର୍ଥିକ ସୁଯୋଗ ସହିତ ସଂଯୋଗ କରି ଗ୍ରାମୀଣ ରୂପାନ୍ତରଣର ଗୁରୁତ୍ୱପୂର୍ଣ୍ଣ ଉତପ୍ରେରକ ହୋଇପାରିବେ ଏବଂ ଗୋଷ୍ଠୀକୁ ସ୍ଥାୟୀ ଜୀବିକା ଗଢ଼ିବାରେ ସାହାଯ୍ୟ କରିପାରିବେ। ଏହି ଅବସରରେ କୁଳପତିମାନେ ଏକ୍ସପୋଜର ଭିଜିଟରୁ ନିଜର ଅନୁଭୂତି ବାଣ୍ଟିଥିଲେ ଏବଂ ନିଜର ପର୍ଯ୍ୟବେକ୍ଷଣ ଓ ଶିକ୍ଷା ଉପରେ ଉପସ୍ଥାପନା କରିଥିଲେ। ଏଥି ସହିତ ‘ଆଡ଼ପସନ ଅଫ କ୍ଲିନ ଏନର୍ଜି ଟେକନୋଲୋଜିଜ ଇନ ରୁରାଲ ଓଡିଶା’ ଶୀର୍ଷକ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା।
ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଗୁହା ପୂନମ ତାପସ କୁମାର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ଶାସନ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ ଏବଂ ଉଚ୍ଚ ଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ।
ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରେସିଡେଣ୍ଟ ପ୍ରଫେସର ମୁକ୍ତି କାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
