ଓଡ଼ିଶାର ବ୍ୟବସାୟିକ ନିୟାମକ ପରିବେଶକୁ ଅଧିକ ସୁଦୃଢ଼ କରିବାକୁ ସରକାର ପ୍ରତିବଦ୍ଧ

ଭୁବନେଶ୍ୱର : ମୁଖ୍ୟଶାସନ, ଓଡ଼ିଶା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବ୍ୟବସାୟିକ ସଂସ୍କାର କାର୍ୟ୍ୟ ଯୋଜନା (ବିଆରଏପି) ୨୦୨୬ ଏବଂ ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ୟ୍ୟ ଯୋଜନା (ଡିବିଆରଏପି) -୨୦୨୫-୨୬ ଅଧୀନରେ ସଂସ୍କାରଗୁଡ଼ିକର କାର୍ୟ୍ୟାନ୍ୱୟନ ସ୍ଥିତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ମାନଦଣ୍ଡ ପାଳନ ପାଇଁ ଆବଶ୍ୟକ ସୂଚନା ପ୍ରଯୁକ୍ତି ଭିତ୍ତିକ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ୨୧ଟି ବିଭାଗର ବରିଷ୍ଠ ଅଧିକାରୀ, ସମ୍ପୃକ୍ତ ବିଭାଗଗୁଡ଼ିକର ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ସମନ୍ୱୟକାରୀ ସଂସ୍ଥା, ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ର ପ୍ରତିନିଧି ଏବଂ ଜାତୀୟ ସୂଚନାବିଜ୍ଞାନ କେନ୍ଦ୍ର (ଏନଆଇସି)ର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ବିଭାଗୱାରୀ ପ୍ରତ୍ୟେକ ସେବା ଏବଂ ସଂସ୍କାରରେ ରହିଥିବା ବିଭିନ୍ନ ଅଭାବଗୁଡ଼ିକର ସମୀକ୍ଷା କରାଯାଇଥିଲା। ଅସମ୍ପୂର୍ଣ୍ଣ ଅନଲାଇନ୍ପୋର୍ଟାଲ ବିକାଶ, ବିଭିନ୍ନ ପ୍ରଣାଳୀର ସମନ୍ୱୟ, ଅନଲାଇନ୍ସେବା ବ୍ୟବସ୍ଥାରେ ଏଣ୍ଟିଟି ଲକ ର୍ସଂଯୋଜନ ଏବଂ ସାର୍ବଜନୀନ ତଥ୍ୟ ପ୍ରଦର୍ଶନପଟ୍ଟ (ପବ୍ଲିକ୍ ଡ୍ୟାସବୋର୍ଡ) ପ୍ରସ୍ତୁତି ସମେତ ବାକି ରହିଥିବା କାର୍ୟ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶିକା ଆବୋଲି ସୁନିଲ ନରୱଣେ ବିଭାଗୱାରୀ ସ୍ଥିତି ଓ କାର୍ୟ୍ୟ ଯୋଜନା ଉପସ୍ଥାପନ କରିଥିଲେ। ସମ୍ପୃକ୍ତ ବିଭାଗଗୁଡ଼ିକର ପ୍ରମୁଖ ଶାସନ ସଚିବ ଏବଂ କମିଶନର-ତଥା-ଶାସନ ସଚିବ ତଥା ବରିଷ୍ଠ ଅଧିକାରୀମାନେ  ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ଶାସନ ସଚିବ ବୈଠକରେ ପ୍ରଯୁକ୍ତିଭିତ୍ତିକ ପଦକ୍ଷେପ ମାଧ୍ୟମରେ ସଂସ୍କାର ସମ୍ପର୍କିତ ଆବଶ୍ୟକତାଗୁଡ଼ିକୁ ପୂରଣ କରି ବ୍ୟବସାୟୀମାନଙ୍କ ପାଇଁ ସରଳ, ସ୍ୱଚ୍ଛ ଏବଂ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଡିଜିଟାଲ ସେବାରେ ପରିଣତ କରିବା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଏହାଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଦପ୍ତରକୁ ବ୍ୟକ୍ତିଗତ ଭାବେ ଯିବାର ଆବଶ୍ୟକତା, ବାରମ୍ବାର ଦଲିଲ ଦାଖଲ ଏବଂ ଏଡ଼ାଇହେବା ଯୋଗ୍ୟ ବିଳମ୍ବକୁ ହ୍ରାସ କରାଯାଇପାରିବ। ଚିହ୍ନଟ ହୋଇଥିବା ବୈଷୟିକ ଅଭାବଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦୂର କରିବା ପାଇଁ ସମ୍ପୃକ୍ତ ବିଭାଗ ଏବଂ ସେମାନଙ୍କର ସିଷ୍ଟମ୍ସମନ୍ୱୟକାରୀ ସଂସ୍ଥାଗୁଡ଼ିକୁ ଜାତୀୟ ସୂଚନାବିଜ୍ଞାନ କେନ୍ଦ୍ର ଏବଂ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ସହିତ ସମନ୍ୱୟରେ କାର୍ୟ୍ୟକରି, ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ବୈଷୟିକ ତ୍ରୁଟି ଓ ଅଭାବ ଦୂର କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ସମୀକ୍ଷାର ଏକ ପ୍ରମୁଖ ବିଷୟ ମଧ୍ୟରେ ବିଭାଗୀୟ ସରକାର-ବ୍ୟବସାୟ (ଜିଟୁବି ) ଏବଂ ସରକାର-ନାଗରିକ (ଜିଟୁସି) ସେବାଗୁଡ଼ିକୁ ଗୋ ସ୍ୱିଫ୍ଟ ଏବଂଓଡ଼ିଶା-ଓ୍ୱାନ୍ସହିତ ସମନ୍ୱିତ କରିବା। ଉପଯୁକ୍ତ ସିଙ୍ଗଲ ଓ୍ୱିଣ୍ଡୋ ମଞ୍ଚ ମାଧ୍ୟମରେ ଆବେଦନଗୁଡ଼ିକ ପ୍ରେରଣ ଏବଂ କାରବାରର ସ୍ଥିତିକୁ ବାସ୍ତବ ସମୟରେ ଅଦ୍ୟତନ କରାଯାଇପାରିବା ପାଇଁ ଦୁଇପାଖିଆ ସୁଗମ ସମନ୍ୱୟ ସୁନିଶ୍ଚିତ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ଏହିପରି ସମନ୍ୱୟ ରାଜ୍ୟସ୍ତରୀୟ ପ୍ରକଳ୍ପ ଅନୁସରଣ ବ୍ୟବସ୍ଥା ମାଧ୍ୟମରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ସ୍ୱୟଂଚାଳିତ ନିରୀକ୍ଷଣ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବୈଠକରେ ବିଭାଗୀୟ ଜି-ଟୁ-ବିପୋର୍ଟାଲଗୁଡ଼ିକରେ ଏଣ୍ଟିଟି ଲକର୍‌ର ବ୍ୟବହାର ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଏଣ୍ଟିଟି ଲକର୍‌କୁ ଏକ ସାଧାରଣ ଦଲିଲ ସଂରକ୍ଷଣ ବ୍ୟବସ୍ଥା ଭାବେ ବିକଶିତ କରାଯାଉଛି, ଯାହା ମାଧ୍ୟମରେ ସରକାରଙ୍କ ନିକଟରେ ପୂର୍ବରୁ ଦାଖଲ କରାଯାଇଥିବା କିମ୍ବା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦଲିଲଗୁଡ଼ିକୁ ସୁରକ୍ଷିତ ଭାବେ ପୁନଃ ପ୍ରାପ୍ତ କରି ବ୍ୟବହାର କରାଯାଇପାରିବ। ଏହାଦ୍ୱାରା ନିବେଶକମାନଙ୍କୁ ବାରମ୍ବାର ସମାନ ଦଲିଲ ଦାଖଲ କରିବାର ଆବଶ୍ୟକତା ହ୍ରାସ ପାଇବ। ବିଆରଏପି୨୦୨୬ ଅଧୀନରେ ଏଣ୍ଟିଟି ଲକର୍‌ ସହିତ ସମନ୍ୱୟ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତା ରହିଛି। ଯେଉଁ ବିଭାଗଗୁଡ଼ିକରେ ଏହି ସମନ୍ୱୟ କାର୍ୟ୍ୟ ଏପର୍ୟ୍ୟନ୍ତ କରାଯାଇପାରି ନାହିଁ, ସେହି ବିଭାଗଗୁଡ଼ିକୁ ନିଜ ନିଜ ସିଷ୍ଟମ ସମନ୍ୱୟକାରୀ ସଂସ୍ଥା ଏବଂ ସମ୍ପୃକ୍ତ ପ୍ରଯୁକ୍ତି ସଂସ୍ଥାଗୁଡ଼ିକ ସହିତ ତୁରନ୍ତ ସମନ୍ୱୟ କରି ଏହି କାର୍ୟ୍ୟ ସମ୍ପୂର୍ଣ୍ଣ କରିବାକୁ  ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟ ଏକ ପ୍ରମୁଖ ବିଷୟ ଥିଲା ଆବେଦନ, ଯାଞ୍ଚ ଏବଂ ଯାଞ୍ଚ ରିପୋର୍ଟ ସମ୍ପର୍କିତ ସାର୍ବଜନୀନ ଡ୍ୟାସବୋର୍ଡର ବିକାଶ ଓ ଅଦ୍ୟତନ। ଆବେଦନପ୍ରାପ୍ତି, ଅନୁମୋଦନ, ବିଚାରାଧୀନ ଆବେଦନ, ଆଇନଗତ ସମୟ ସୀମା ଏବଂ ଆବେଦନ ପ୍ରକ୍ରିୟାକରଣରେ ଲାଗୁଥିବା ସମୟ ସମ୍ପର୍କରେ ଜିଲ୍ଲାୱାରୀ ସୂଚନା ଡ୍ୟାସବୋର୍ଡରେ ପ୍ରଦର୍ଶିତ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ଯାଞ୍ଚ ସମ୍ପର୍କିତ ଡ୍ୟାସବୋର୍ଡରେ ନିର୍ଦ୍ଧାରିତ ସମୟସୀମା ପାଳନର ସ୍ଥିତି ଏବଂ ଯାଞ୍ଚ ରିପୋର୍ଟ ଅପଲୋଡ୍ର ବିବରଣୀ ମଧ୍ୟ ସୁନିଶ୍ଚିତ କରିବାକୁ କୁହାଯାଇଛି।

ସମୀକ୍ଷା ବୈଠକରେ ଅନଲାଇନ୍ଜମିଓ ସମ୍ପତ୍ତି ରେକର୍ଡ, ରାଜସ୍ୱ ଅଦାଲତ ଡ୍ୟାସବୋର୍ଡ, ସମ୍ପତ୍ତିକର ସମ୍ପର୍କିତ ସୂଚନା, ଜିଏସ୍ଟି ନିରୀକ୍ଷଣ, ଗୃହ ନିର୍ମାଣ ଅନୁମୋଦନ, ବିଦ୍ୟୁତ୍ସେବା, ନିଯୁକ୍ତି ସେବା, ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କିତ ଅନୁମୋଦନ ସମେତ“ବିଆରଏପି” ଏବଂ “ଡିବିଆରଏପି” ବ୍ୟବସାୟିକ ସଂସ୍କାର କାର୍ୟ୍ୟ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ସରକାର-ବ୍ୟବସାୟ ସେବା ସମ୍ପର୍କିତ ନିର୍ଦ୍ଦିଷ୍ଟ ସୂଚନା ପ୍ରଯୁକ୍ତିଭିତ୍ତିକ ପଦକ୍ଷେପଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଥିଲା। ପ୍ରତ୍ୟେକ ବକେୟା ପଦକ୍ଷେପ ପାଇଁ ସ୍ପଷ୍ଟଦାୟିତ୍ୱ ନିର୍ଦ୍ଧାରଣ ସହିତ ବିଭାଗ, ସେମାନଙ୍କର ପ୍ରଣାଳୀ ସମନ୍ୱୟକାରୀ ସଂସ୍ଥା, ଜାତୀୟ ସୂଚନା ବିଜ୍ଞାନକେନ୍ଦ୍ର, ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଏବଂ ଇପିକଲ୍ମଧ୍ୟରେ ସୁସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ପୋର୍ଟାଲ ବିକାଶ ଏବଂ ବିଭିନ୍ନ ପ୍ରଣାଳୀର ସମନ୍ୱୟ ସହିତ ସମ୍ପୃକ୍ତ ସଂସ୍କାରଗୁଡ଼ିକୁ ସମସ୍ତ ବିଭାଗ ପ୍ରାଥମିକତା ଦେଇ କାର୍ୟ୍ୟକରିବା ସହ ବୈଷୟିକ ସମନ୍ୱୟ ଉପରେ ନିର୍ଭରଶୀଳ ସମସ୍ତ ବକେୟା କାର୍ୟ୍ୟକୁ ତ୍ଵରିତ ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ସମୀକ୍ଷା କରାଯାଇଥିବା କାର୍ୟ୍ୟାନ୍ୱୟନ ସମୟସୂଚୀ ଅନୁଯାୟୀ, ଲକ୍ଷ୍ୟ ରଖାଯାଇଥିବା ସମସ୍ତ ସୂଚନା ପ୍ରଯୁକ୍ତିଭିତ୍ତିକ ସଂସ୍କାରକୁ ୩୧ ଅଗଷ୍ଟ ୨୦୨୬ ସୁଦ୍ଧା କାର୍ୟ୍ୟକାରୀ କରିବାକୁ ଧାର୍ୟ୍ୟ କରାଯାଇଛି। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଡାଲ୍‌ ବିଭାଗ ଓ ନୋଡାଲ୍‌ ଏଜେନ୍ସି ଭାବେ ଆସନ୍ତା୨୫ ଅଗଷ୍ଟ ୨୦୨୬ରେ ସ୍ଥିତି ଓ ଅଗ୍ରଗତିର ପୁନଃସମୀକ୍ଷା କରିବାସହ ରହିଥିବା ଯେକୌଣସି ବକେୟା ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ଫଳରେ, ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ସଂସ୍କାର କାର୍ୟ୍ୟାନୁଷ୍ଠାନ ଯୋଜନା ସମ୍ପୂର୍ଣ୍ଣ କରାଯାଇପାରିବ।

ସରକାର ପ୍ରଯୁକ୍ତିଭିତ୍ତିକ ସଂସ୍କାର, ଅଧିକ ସ୍ୱଚ୍ଛତା ଏବଂ ସରଳୀକୃତ ସେବା ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାର ବ୍ୟବସାୟିକ ନିୟାମକ ପରିବେଶକୁ ଅଧିକ ସୁଦୃଢ଼ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବ୍ୟବସାୟୀ ଓ ନିବେଶକମାନଙ୍କୁ ସରକାରୀ ବ୍ୟବସ୍ଥା ସହିତ ଅଧିକ ଦ୍ରୁତ, ସରଳ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାଭିତ୍ତିକ ସମ୍ପର୍କ ସୁବିଧା ପ୍ରଦାନ କରିବା ଏହି ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *