ଭୁବନେଶ୍ୱର: ସହାୟତାରେ ରାଜ୍ୟରେ ଚାଲିଥିବା ଆର୍.ଆଇ.ଡି.ଏଫ୍ (Rural Infrastructure Development Fund) ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୬୮ଟି ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା।
ଅନୁମୋଦିତ ହୋଇଥିବା ମୋଟ ୧୯୨ଟି ଆର୍.ଆଇ.ଡି.ଏଫ୍ ପ୍ରକଳ୍ପ ମଧ୍ୟରୁ ୧୨୪ଟି ପ୍ରକଳ୍ପ ସମାପ୍ତି ହୋଇଥିବାବେଳେ ବାକିଥିବା ୬୮ଟି ପ୍ରକଳ୍ପର ସ୍ଥିତି ଓ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଏହି ୬୮ଟି ପ୍ରକଳ୍ପ ମଧ୍ୟରେ ୪୪ଟି ସେତୁ ପ୍ରକଳ୍ପ ରହିଥିବାବେଳେ ୨୪ଟି ରାସ୍ତା ପ୍ରକଳ୍ପ ରହିଛି। ଏହି ସମୀକ୍ଷାରେ ବିଶେଷ କରି ୟୁଟିଲିଟି ସିଫଟିଂ, ଜଙ୍ଗଲ ଜମି ଅନୁମୋଦନ, ଜମି ଅଧିଗ୍ରହଣ ଆଦି ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ କହିଲେ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟର ଭିତ୍ତିଭୂମି ଓ ଜନହିତକାରୀ ପ୍ରକଳ୍ପଗୁଡ଼ିକର ଶୀଘ୍ର ପରିସମାପ୍ତି ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଏହି ଦୃଷ୍ଟିରୁ ବାକିଥିବା ୬୮ଟି ଆର୍.ଆଇ.ଡି.ଏଫ୍ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ସମୀର ହୋତା, ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ସାହୁ, ଉପଶାସନ ସଚିବ ଇଂ. ସୁନ୍ଦର ମାଧବ ପାଢ଼ୀ, ମୁଖ୍ୟଯନ୍ତ୍ରୀ (ସେତୁ-୧) ଇଂ ପ୍ରଭାସ କୁମାର ମାଝୀ ଏବଂ ମୁଖ୍ୟଯନ୍ତ୍ରୀ (ସେତୁ-୨) ଇଂ ତପନ କୁମାର ବେହେରାଙ୍କ ସମେତ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
