ରାଜ୍ୟ ସରକାରଙ୍କ ଏକ ବର୍ଷ ପୂରଣ:  ‘ସବୁ ସ୍ତରରୁ ଆମକୁ ସହଯୋଗ ମିଳିଛି’

ଭୁବନେଶ୍ୱର: ଆମ ସରକାର ଗଠନ ହେବାର ଏକ ବର୍ଷ ପୂରଣ ହେବାକୁ ଯାଉଛି। ଏହି ସ୍ୱଳ୍ପ ସମୟ ଭିତରେ ଆମେ ରାଜ୍ୟର ସାଢେ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ଓ ସଫଳ ହୋଇଛୁ। ଏହାର ସବୁଠାରୁ ବଡ ପ୍ରମାଣ ହେଉଛି ମାତ୍ର କିଛି ଦିନ ଭିତରେ ସାଧାରଣ ଜନତା ନୂତନ ସରକାରକୁ ‘ଲୋକଙ୍କ ସରକାର’ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଭାବେ ଅଭିହିତ କରିଛନ୍ତି। ଏକ ବର୍ଷର ଏହି ସଫଳ ଯାତ୍ରାରେ ସବୁ ସ୍ତରରୁ ଆମକୁ ସହଯୋଗ ମିଳିଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମର ସବୁ ପ୍ରମୁଖ ପ୍ରତିଶ୍ରୁତିକୁ ଆମେ ପୂରଣ କରି ପାରିଛୁ।  ଆମର ପ୍ରତ୍ୟେକ କାର୍ଯ୍ୟକ୍ରମ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ରହିଛି। ଆମର ସବୁ ଉଦ୍ୟମରେ ସେ ଆମ ପାଖକୁ ଆସିଛନ୍ତି ଏବଂ ତାଙ୍କ ପ୍ରେରଣାରେ ଆମର ସବୁ କାର୍ଯ୍ୟକ୍ରମ ସଫଳତାର ଶୀର୍ଷରେ ପହଞ୍ଚିଛି। ତାଙ୍କର ଏହି ଅକୁଣ୍ଠ ସମର୍ଥନ ଏବଂ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ ମୁଁ ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରୁଛି। ଗତ ବର୍ଷ ଜୁନ ୧୨, ୨୦୨୪ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟରେ ନିଆ ଯାଇଥିବା ଚାରିଗୋଟି ଗୁରତ୍ଵପୂର୍ଣ୍ଣ ନିଷ୍ପତ୍ତି ଯେପରିକି ସୁଭଦ୍ରା ଯୋଜନା, ଧାନକିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିବାରୁ ଆରମ୍ଭ ହୋଇଥିଲା।

ଏହି ଉଦ୍ୟମ ଗତ ୧୨ ମାସରେ ନିରନ୍ତର ଭାବେ ଜାରି ରହିଛି ଏବଂ ଆମେ ପ୍ରାୟ ସବୁ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇଛୁ। ମହିଳା ସଶକ୍ତିକରଣ ଦିଗରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିକରି ଭାରତ ବର୍ଷରେ ପ୍ରଥମ ହେବା, କୃଷି କ୍ଷେତ୍ରରେ ସମୃଦ୍ଧ କୃଷି ଯୋଜନା ସହିତ ରେକର୍ଡ ୩୭ ହଜାର ୮୩୮ କୋଟି ଟଙ୍କାର ପ୍ରାବଧାନ, ଶିକ୍ଷା କ୍ଷେତ୍ରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ତଥା ନୂତନ ଶିକ୍ଷା ନୀତିକୁ ଲାଗୁ କରିବା ଏବଂ ଏଥିରେ ଶିଶୁ ବାଟିକାକୁ ଲାଗୁ କରିବା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା, ଭିତ୍ତିଭୂମି ପାଇଁ ରେକର୍ଡ ୬୫,୧୦୨ କୋଟି ଟଙ୍କାର ପ୍ରାବଧାନ, ଜନଜାତି ଏବଂ ଅନୁସୂଚିତ ଜାତି କଲ୍ୟାଣ ପାଇଁ ୬୮ ହଜାର ୮୮୧ କୋଟି ଟଙ୍କା ପ୍ରାବଧାନ ଆମ ସରକାରଙ୍କ ନୀତି ଓ ନିୟତକୁ ଦର୍ଶାଉଛି।

ସବୁଠାରୁ ଉଲ୍ଲେଖନୀୟ ହେଉଛି, ଲୋକଙ୍କୁ ସୁଶାସନ ଦେବା ଏବଂ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା। ଆଜି ପିଅନ ଠାରୁ ଆରମ୍ଭ କରି IAS ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗ୍ରସ୍ତ ଅଫିସର ସୁରକ୍ଷିତ ନୁହନ୍ତି। ଯଦି ଦୁର୍ନୀତି କରିବ, ଜେଲ ଯିବାକୁ ପଡିବ, ଦ୍ଵିତୀୟ ବିକଳ୍ପ ନାହିଁ। ସାଧାରଣ ଜନତା ଏବଂ ଲୋକଙ୍କ ମଧ୍ୟରେ ଥିବା କୃତ୍ରିମ ପ୍ରାଚୀରକୁ ଆମ ସରକାର ଧୂଳିସାତ କରି ଦେଇଛି। ଆଜି ଯେ କୌଣସି ଲୋକ ସେମାନଙ୍କ ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀମାନଙ୍କୁ ଅବାଧରେ ଭେଟି ପାରୁଛନ୍ତି। ଗତ ଏକ ବର୍ଷ ମଧ୍ୟରେ ମୁଁ ଓଡିଶାର ପ୍ରତି ଜିଲ୍ଲାକୁ ଗସ୍ତ କରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରତ୍ୟେକ୍ଷ ଭାବେ ଭେଟି ସେମାନଙ୍କ ସମସ୍ୟା ଶୁଣିଛି, ସୁଖଦୁଃଖରେ ସାମିଲ ହୋଇଛି। ଆଜି ‘ତୃତୀୟ ମହଲା’ ଲୋକଙ୍କ ଦୁଆର ମୁହଁକୁ ଯାଉଛି, ଏହା ହେଉଛି ଆମ ସୁଶାସନର ଏକ ନୂତନ ଦିଗ।

୨୦୨୬ ସୁଦ୍ଧା ଆମେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ ଉଦ୍ୟମ ଆରମ୍ଭ କରିଛୁ। ଏଥି ସହିତ ୫ ଲକ୍ଷ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଗାଇଦେବୁ। ଏକ ବର୍ଷ ମଧ୍ୟରେ ସରକାରୀ ସ୍ତରରେ ପ୍ରାୟ ୨୮ ହଜାର ନିଯୁକ୍ତି ଦେଇଛୁ। ଚଳିତ ବର୍ଷ ଆହୁରି ୪୦ ହଜାର ନିଯୁକ୍ତି ଦେବୁ। ଭିତ୍ତିଭୂମି କ୍ଷେତ୍ରରେ ରେଳ, ଜାତୀୟ ରାଜପଥ ଏବଂ ବିମାନ ସେବା ସବୁଥିରେ ଉନ୍ନତି ଆସିଛି।

୨୦୩୬ ସୁଦ୍ଧା ନିଶ୍ଚିତ ଭାବେ ଓଡିଶା ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟରେ ସ୍ଥାନ ପାଇବ ଏବଂ ଆମେ ଓଡିଶାକୁ ଏକ ୫୦୦ ନିୟତ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବୁ। ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ମାନନୀୟ ମୋଦୀଜୀଙ୍କ ପରିକଳ୍ପିତ ବିକଶିତ ଭାରତ ଗଢିବାରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓଡିଶା ଯେପରି ସବୁ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହେବ ସେଥିପାଇଁ ଆମେ ପରିଶ୍ରମ କରିଚାଲିଛୁ। ସେ ପରିଶ୍ରମର ସୁଫଳ ମିଳିବା ଆରମ୍ଭ କରିଛି। ଓଡିଶା ଧିରେ ଧିରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରି ଚାଲିଛି।

Leave a Reply

Your email address will not be published. Required fields are marked *