୧୧୦୮ ନୂତନ ଫାର୍ମାସି ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଲୋକାଭିମୁଖୀ କରିବା ଦିଗରେ ଫାର୍ମାସି ସେବାର ଗୁରୁତ୍ୱକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏହି କ୍ରମରେ ଦୀର୍ଘ ୩୯ ବର୍ଷର ଦାବିକୁ ସମ୍ମାନ ଜଣାଇ ଫାର୍ମାସି କ୍ୟାଡରର ପୁନର୍ଗଠନ ସହ ଫାର୍ମାସିଷ୍ଟମାନଙ୍କ ପାଇଁ ଜବ୍ ଚାର୍ଟ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ। ଓଡ଼ିଶା ଫାର୍ମାସି ଅଧିକାରୀ ସେବା ସଂଘ ପକ୍ଷରୁ ରମାଦେବୀ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ସାଧାରଣ ପରିଷଦ ବୈଠକ ତଥା ଏକଦିବସୀୟ ବାର୍ଷିକ ରାଜ୍ୟ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି।

ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଥିଲେ, “ଫାର୍ମାସି କ୍ୟାଡରର ପୁନର୍ଗଠନ ଦୀର୍ଘ ୩୯ ବର୍ଷର ଦାବି ଥିଲା। ଏହି ଦାବିକୁ ସମ୍ମାନ ଜଣାଇ ଆମ ସରକାର ଫାର୍ମାସି କ୍ୟାଡରର ପୁନର୍ଗଠନ କରିଛନ୍ତି। ଏଥିସହ ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟ ଓ ଦାୟିତ୍ୱକୁ ସ୍ପଷ୍ଟ କରିବା ପାଇଁ ଜବ୍ ଚାର୍ଟ ପ୍ରସ୍ତୁତ କରାଯାଇଛି। ଏହା ଫାର୍ମାସିଷ୍ଟ ସମୁଦାୟ ପାଇଁ ଏକ ଐତିହାସିକ ପଦକ୍ଷେପ।”ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବସମ୍ବଳକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ବର୍ଗର ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଗୁରୁତ୍ୱ ଦେଇଆସୁଛନ୍ତି। ଫାର୍ମାସି କ୍ୟାଡରର ପୁନର୍ଗଠନ ଏହି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମନ୍ତ୍ରୀ କହିଥିଲେ। ରାଜ୍ୟରେ ଔଷଧ ସେବାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ୧୧୦୮ ନୂତନ ଫାର୍ମାସି ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ ହୋଇସାରିଛି। ଏହି ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ସେହିପରି ୨୦ଟି ରାଜ୍ୟରେ ଲାଗୁ ହୋଇଥିବା ଫାର୍ମାସିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ – ନିଯୁକ୍ତି ଓ ପଦୋନ୍ନତି ସେବା–୨୦୨୫କୁ ଲାଗୁ ନିମନ୍ତେ ଆସୋସିଏସନ କରିଥିବା ଦାବିକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି| ଫାର୍ମାସି ଅଧିକାରୀମାନଙ୍କ କାର୍ଯ୍ୟ ଓ ଦାୟିତ୍ୱକୁ ଅଧିକ ସ୍ପଷ୍ଟ କରିବା ଉଦ୍ଦେଶ୍ୟରେ ସେମାନଙ୍କ କାର୍ଯ୍ୟ ଦାୟିତ୍ୱ (Job Responsibilities) ସମ୍ପର୍କରେ ବିସ୍ତୃତ ଭାବେ ବିଭାଗ ତରଫରୁ ଜଣାଇ ଦିଆଯାଇଛି ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି|

ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ପ୍ରଦାନ, ଔଷଧର ସୁରକ୍ଷିତ ବ୍ୟବହାର, ଔଷଧ ସମ୍ପର୍କିତ ପରାମର୍ଶ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ତେଣୁ ଫାର୍ମାସି ସେବାକୁ ମଜବୁତ କରିବା ଦ୍ୱାରା ରାଜ୍ୟର ସମଗ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଆହୁରି ଉନ୍ନତମାନର ହେବ ବୋଲି ସେ କହିଥିଲେ। ଫାର୍ମାସି କ୍ୟାଡରର ପୁନର୍ଗଠନ ଓ ଜବ୍ ଚାର୍ଟ ପ୍ରସ୍ତୁତି ଦ୍ୱାରା ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟ ଓ ଦାୟିତ୍ୱରେ ସ୍ପଷ୍ଟତା ଆସିବା ସହ ସେମାନଙ୍କ ପେଶାଗତ ଉନ୍ନତି ଓ କ୍ୟାରିୟର ପ୍ରଗତିର ନୂଆ ସୁଯୋଗ ସୃଷ୍ଟି ହେବ।

ଏହି ଅବସରରେ ଫାର୍ମାସି କ୍ୟାଡରର ପୁନର୍ଗଠନ, ଜବ୍ ଚାର୍ଟ ପ୍ରସ୍ତୁତି ଏବଂ ୧୧୦୮ ନୂତନ ଫାର୍ମାସି ଅଧିକାରୀ ପଦବୀକୁ ଅନୁମୋଦନ ଦେଇଥିବାରୁ ଓଡ଼ିଶା ଫାର୍ମାସି ଅଧିକାରୀ ସେବା ସଂଘ ପକ୍ଷରୁ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *