ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ସୁଶାସନ, ଯୋଜନାବଦ୍ଧ ବିକାଶ ଓ ଉନ୍ନତ ନାଗରିକ ସେବାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ  ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଅଡିଟୋରିୟମୀରେ ‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମୀକ୍ଷା ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା  ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରାଯିବା ସହ ଆଗାମୀ ଦିନର ପ୍ରାଥମିକତା ନେଇ ବିସ୍ତୃତ ଆଲୋଚନା ହୋଇଛି|

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ମାନ୍ୟବର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ମତାମତ ରଖିଥିଲେ ଯେ, ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ,  ବିଶେଷଜ୍ଞଙ୍କ ସହ ମିଶି ଡ୍ରେନେଜ୍ ସିଷ୍ଟମର ସୁଧାର ଓ ଜଳର ପୁନଃବ୍ୟବହାର (Reuse) ଉପରେ କାର୍ଯ୍ୟ କରାଯାଉଛି।  ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା” ଏବଂ PMAY 2.0 ଅଧୀନରେ ଗରୀବ ଓ ଭୂମିହୀନଙ୍କ ପାଇଁ ଶୀଘ୍ର ଗୃହ ନିର୍ମାଣ ସହ ‘ଟାଉନ୍ ପ୍ଲାନିଂ ସ୍କିମ୍’ ଓ 24/7 ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରାଯାଉଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ପରିମଳ କର୍ମଚାରୀଙ୍କ ସୁରକ୍ଷା, ଆବାସ ଓ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ସରକାର ସଂକଳ୍ପବଦ୍ଧ |

ଏହି ଅଧିବେଶନରେ ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ ଅତିରିକ୍ତ  ମୁଖ୍ୟ ଶାସନ ସଚିବ ଉଷା ପାଢୀ ବିଭାଗ ପକ୍ଷରୁ ଉପସ୍ଥାପନ କରିଥିଲେ| ଅଧିବେଶନରେ ବଜେଟ୍‌ ଓ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୌରସଂସ୍ଥାର ଗୁଡ଼ିକର ରାଜସ୍ୱ ବୃଦ୍ଧି, ବ୍ୟୟ ବିଶ୍ଳେଷଣ, ଭୂମିକା ଓ ଦାୟିତ୍ୱ ସହ କମ୍ ପ୍ରଦର୍ଶନ କରୁଥିବା ସଂସ୍ଥାଗୁଡ଼ିକର ସମୀକ୍ଷା କରାଯାଇଥିଲା ଓ ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକ ପାଇଁ ଟାଉନ ପ୍ଲାନିଂ ଯୋଜନାର ଏସଓପି , ସମୃଦ୍ଧ ସହର, ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଏବଂ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ଅଧୀନରେ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରାଯାଇଛି।

ସହର ଭିତ୍ତିଭୂମି ବିକାଶ ଅଧିବେଶନରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ପଥଚାରୀଙ୍କ ପାଇଁ  ଅନୁକୂଳ ରାସ୍ତା, କ୍ରୁଟ୍  ଅଧୀନରେ ଆମ ବସ୍ ସେବାର ସମ୍ପ୍ରସାରଣ ,ଅମୃତ-୨.୦ ଅଧୀନରେ ଜଳାଶୟ ପୁନରୁଦ୍ଧାର ଓ ଜଳାଶୟ ଅଞ୍ଚଳର ବିକାଶ ଆଦି ଉପରେ ଆଲୋଚନା ହୋଇଥିଲା। ଏଥିସହ ସହରରେ ବନ୍ୟା ନିୟତ୍ରଣ, ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ଓ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତି ନେଇ ବୈଷୟିକ ଆଲୋଚନା ହୋଇଥିଲା ଓ ପିଏମ୍‌ ସ୍ୱନିଧି, ସହରୀ ଗୃହହୀନଙ୍କ ପାଇଁ ଆଶ୍ରୟସ୍ଥଳ, ସହାୟତା ଓ ସହଯୋଗ ଏବଂ ଆହାର ଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ସେହିପରି ପିଏମ୍‌ ଆବାସ ଯୋଜନା-୨.୦, ପିଏମ୍‌ ଆବାସ ସହର ବନ୍ଧୁ, ସୁଲଭ ଭଡ଼ା ଆବାସ;‘ସୁଯୋଗ’ବ୍ୟବସ୍ଥାର ସମସ୍ୟା ଓ ଆଗାମୀ ପଦକ୍ଷେପ ଉପରେ ଏବଂ ସୁଲଭ ଆବାସ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସହରୀ ଗରିବ ଓ ଆବାସ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ଯୋଜନାଗୁଡ଼ିକର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ରହିଥିଲା।

ନାଗରିକମାନଙ୍କୁ ସରକାରୀ ସେବା ଅଧିକ ସରଳ, ଶୀଘ୍ର ଓ ସ୍ୱଚ୍ଛ ଭାବେ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନାଗରିକଙ୍କ ପାଇଁ ସୁବିଧାଜନକ ଓ ସୁଲଭ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି।

ସ୍ୱଚ୍ଛତା ଓ ବ୍ୟବହୃତ ଜଳ ପରିଚାଳନାରେ ଫୋକସ୍‌ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ନଗର ସଂସ୍ଥା ପକ୍ଷରୁ ଶ୍ରେଷ୍ଠ ପ୍ରଚଳିତ ପଦ୍ଧତି ଉପରେ ଉପସ୍ଥାପନା କରାଯାଇଥିଲା। କମ୍ ପ୍ରଦର୍ଶନ କରୁଥିବା ନଗର ସଂସ୍ଥାଗୁଡ଼ିକୁ ପ୍ରତ୍ୟେକ ଅଧିବେଶନରେ ଡାକି ସେମାନଙ୍କ ସମସ୍ୟା, ଚ୍ୟାଲେଞ୍ଜ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ସିଧାସଳଖ ଆଲୋଚନା କରାଯାଇଥିଲା। ସମଗ୍ର ଭାବେ, ଯୋଜନାବଦ୍ଧ ସହରୀକରଣ, ଦକ୍ଷ ନଗର ପ୍ରଶାସନ, ଉନ୍ନତ ଭିତ୍ତିଭୂମି, ସ୍ୱଚ୍ଛତା, ଗୃହ ଓ ଗଣପରିବହନକୁ ଗୁରୁତ୍ୱ ଦେଇ ଓଡ଼ିଶାର ସହରଗୁଡ଼ିକୁ ଅଧିକ ସୁନ୍ଦର, ସ୍ୱଚ୍ଛ, ସୁସ୍ଥ ଓ ନାଗରିକ-ଅନୁକୂଳ କରିବା ଦିଗରେ ଏହି ନଗର ସମାବେଶ ଏକ ନୂଆ ଦିଗ ଦେଇଛି| ଏହି ସମ୍ମିଳନୀରେ ବରିଷ୍ଠ ପ୍ରଶାସକ, ନଗର ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ଏକତ୍ରିତ ହୋଇ ଜାରି ରହିଥିବା ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ|

Leave a Reply

Your email address will not be published. Required fields are marked *