ଭୁବନେଶ୍ୱର: ଶିକ୍ଷା ପ୍ରଶାସନକୁ ସୁଦୃଢ଼ କରିବା ଏବଂ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବାରେ ଅଭିନବ ପଦକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍’ (NIEPA) ଦ୍ୱାରା ଓଡ଼ିଶାର ସାତ ଜଣ ଶିକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଛି। ଶିକ୍ଷା ପ୍ରଶାସନରେ ନବସୃଜନ ଏବଂ ଉତ୍ତମ ଅଭ୍ୟାସ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।
ନୂଆଦିଲ୍ଲୀରେ NIEPA (ନିପା) ଦ୍ୱାରା ଆୟୋଜିତ ଶିକ୍ଷା ପ୍ରଶାସନରେ ନବସୃଜନ ଏବଂ ଉତ୍ତମ ଅଭ୍ୟାସ ପୁରସ୍କାର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଜାତୀୟ ମାନ୍ୟତା ଶିକ୍ଷା ପ୍ରଶାସକମାନଙ୍କ ଦ୍ୱାରା ଶିକ୍ଷଣ ଫଳାଫଳକୁ ଉନ୍ନତ କରିବା, ବିଦ୍ୟାଳୟ ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ଡ୍ରପ ଆଉଟ୍ କୁ ରୋକିବା ଏବଂ ଶିକ୍ଷାଗତ ସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଇଥିବା ଅଭିନବ ଅଭ୍ୟାସକୁ ସ୍ୱୀକୃତି ଦେଇଥାଏ।
ଓସେପାର ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ସାହୁ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ “FLN ଗ୍ରୀଷ୍ମକାଳୀନ ପାଠ୍ୟକ୍ରମ” ପାଇଁ ସମ୍ମାନିତ ହୋଇଛନ୍ତି। ଝାରସୁଗୁଡାର ଜିଲ୍ଲା ଶିକ୍ଷା ଡକ୍ଟର ରାଧାକାନ୍ତ ଗର୍ତ୍ତିଆଙ୍କୁ “ଉଦୀୟାନ୍ ତାରା”- ଝାରସୁଗୁଡା ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ଫଳାଫଳକୁ ଉନ୍ନତ କରିବାର ଏକ ପଦକ୍ଷେପ ପାଇଁ ପୁରସ୍କାର ମିଳିଥିଲା।
ଗଜପତିର DEO ଡକ୍ଟର ମାୟାଧର ସାହୁଙ୍କୁ “ପ୍ରୟାସ @ ସୁପର 30 ଗଜପତି” ପାଇଁ ସମ୍ମାନିତ କରାଯାଇଥିଲା, ଯାହା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍କର୍ଷତା ହାସଲ କରିବା ଏବଂ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ଶୈକ୍ଷିକ ସହାୟତା ଏବଂ ସୁଯୋଗ ପ୍ରଦାନ କରୁଥିବା ପଦକ୍ଷେପ। ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ “ରିଡିଂ ଟୁର୍ଣ୍ଣାମେଣ୍ଟ୍ ଏବଂ ଡିଅର୍ ପ୍ରୋଗ୍ରାମ୍” ପାଇଁ କେନ୍ଦୁଝର ADEO ଶ୍ରୀକାନ୍ତ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା।
ବଲାଙ୍ଗୀରର ADEO ସେବାଶ୍ରୀ ଭୋଇଙ୍କୁ ସମ୍ବଲପୁର ଜିଲ୍ଲାର ଧନକୌଡା ବ୍ଲକରେ “ମିଶନ୍ ଜିରୋ ଡ୍ରପ୍ ଆଉଟ୍” ପାଇଁ ସମ୍ମାନିତ କରାଯାଇଥିଲା। ଯାଜପୁରର ସମଗ୍ର ଶିକ୍ଷାର ଯୋଜନା ସଂଯୋଜକ ତ୍ରିଲୋଚନ ସାହୁଙ୍କୁ “ବିଦ୍ୟାଳୟ ସୁରକ୍ଷା ଉପରେ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା” ନିମନ୍ତେ ପୁରସ୍କୃତ କରାଯାଇଥିଲା। ସେହିପରି ସବିତା ସାହୁ, ADEO, ଯାଜପୁର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ସମୁଦାୟ ମଧ୍ୟରେ ସଚେତନତା, ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ “ସ୍କୁଲ ସେଫ୍ଟି କରିଡର: ଏ ୱେ ଅଫ୍ ଲାଇଫ୍ ଆଣ୍ଡ ଏ ଷ୍ଟେଟ୍ ଅଫ୍ ମାଇଣ୍ଡ” ପାଇଁ ଜାତୀୟ ସ୍ୱୀକୃତି ପାଇଛନ୍ତି।
ଓଡ଼ିଶାର ଶିକ୍ଷା ଅଧିକାରୀଙ୍କ ଏହି ସଫଳତାକୁ ପ୍ରଶଂସା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ. ତିରୁମାଲା ନାୟକ। ସେ କହିଛନ୍ତି, ସାତ ଜଣ ଅଧିକାରୀଙ୍କ ଜାତୀୟ ମାନ୍ୟତା ଓଡ଼ିଶା ପାଇଁ ଗର୍ବର ବିଷୟ ଏବଂ ଏହା ବିଦ୍ୟାଳୟ ଶିକ୍ଷା ପ୍ରଶାସନକୁ ସୁଦୃଢ଼ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଉନ୍ନତ ଶିକ୍ଷାଗତ ଫଳାଫଳ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ।
