ଆଇଏଚସି  ଏବଂ ଅଦାନୀ ଗ୍ରୁପ୍‌ ସହିତ ୧୪ଟି ନୂଆ ପ୍ରକଳ୍ପ ପାଇଁ  ବୁଝାମଣା ପତ୍ର ସ୍ୱାକ୍ଷର

ଆବୁଧାବି/ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶା ବିଦେଶୀ ନିବେଶ ଭାଗିଦାରୀକୁ ଆଗେଇ ନେଇଛି। ଏଥିରେ ଏକ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ, ୧୪ଟି ନୂଆ ପ୍ରକଳ୍ପ ପାଇଁ ଏମଓୟୁ ଏବଂ ସହଯୋଗ ଚୁକ୍ତି ବାଣିଜ୍ୟ ଓ ବନ୍ଦର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସେପ୍ଟେମ୍ବର ୮ ରୁ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତରେ ପ୍ରମୁଖ ବ୍ୟବସାୟୀ ଓ ନିବେଶକମାନେ ଏକାଠି ହୋଇଛନ୍ତି।

ଆଇଏଚସି  ଏବଂ ଅଦାନୀ ଭାଗିଦାରିତା ଫଳରେ ୧୪ଟି ନୂଆ ପ୍ରକଳ୍ପ :

ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (ଆଇଏଚସି) ର ବ୍ୟବସାୟିକ ଶାଖା ଏବଂ ସହଯୋଗୀ କମ୍ପାନୀଗୁଡ଼ିକ ସହ ଗୁରୁତ୍ୱପୂର୍ଣ୍ଣ ଗୋଲଟେବୁଲ ବୈଠକରୁ ଆଜିର ଦିନଟି ଆରମ୍ଭ ହୋଇଥିଲା। ୨ଜୁଲାଇ ୨୦୨୬ରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବୁଝାମଣା ପତ୍ରର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅନୁଷ୍ଠିତ ଏହି ବୈଠକରେ  ଆଇଏଚସି ର ପରିଚାଳନା ନିର୍ଦ୍ଦେଶକ, ସିଇଓ ତଥା ବୋର୍ଡ ସଦସ୍ୟ ସୟଦ ବସର ଶୁଏବ, ଅଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନର ପରିଚାଳନା ନିର୍ଦ୍ଦେଶକ କରଣ ଅଦାନୀ ଏବଂ ଅଦାନୀ ଗ୍ରୀନ୍ ଏନର୍ଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାଗର ଅଦାନୀ ଯୋଗଦେଇଥିଲେ। ଆଲୁମିନିୟମ ପ୍ରକଳ୍ପ ପାଇଁ ଅଦାନୀ ଗ୍ରୁପ୍ ହେଉଛନ୍ତି  ମିଳିତ ସହଯୋଗୀ। ଏହି ଗୋଲଟେବୁଲ ବୈଠକରେ ଆଇଏଚସି ର ବ୍ୟବସାୟିକ ଶାଖା ଏବଂ ସହଯୋଗୀ କମ୍ପାନୀଗୁଡ଼ିକର ବରିଷ୍ଠ ପ୍ରତିନିଧିମାନେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ଇଣ୍ଟରନ୍ୟାସନାଲ ରିସୋର୍ସେସ ହୋଲ୍ଡିଂ ( ଆଇଆରଏଚ୍) ର ସିଇଓ ଅଲି ରସିଦ ଅଲ-ରସଦି, ଟୁ ପଏଣ୍ଟ ଜିରୋ  ଗ୍ରୁପର ସିଇଓ ସାମିଆ ବୁଆଜ୍ଜା,  ଟୁ ପଏଣ୍ଟ ଜିରୋର ସିଇଓ ମହମ୍ମଦ ହେସାମ, ଘିଥା ହୋଲ୍ଡିଂର ଗ୍ରୁପ୍ ସିଇଓ ଫଲାଲ ଅମିନ୍, ବୁର୍ଜିଲ ହୋଲ୍ଡିଂସର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡକ୍ଟର ଶମଶୀର ଭାୟାଲିଲ, ଏମଏମଡିସି ଗ୍ରୁପର ଗ୍ରୁପ୍ ସିଇଓ ଡକ୍ଟର ୟାସିର ଜାଗଲୁଲ, ଅଲ ସିର ମେରାଇନର ସିଇଓ ଗାଇ ନିଭେନ୍ସ, ଏମିରେଟ୍ସ ଷ୍ଟାଲିଅନ୍ସ ଗ୍ରୁପର ସିଇଓ କାୟେଦ ଅଲି ଖୋର୍ମା, ସିରିୟସ ଇଣ୍ଟରନ୍ୟାସନାଲ ହୋଲ୍ଡିଂର ସିଇଓ ଅଜୟ ଭାଟିଆ, ଓଡ଼ିଆ ଉଦ୍ୟୋଗୀ ଏବଂ ଏଡିଆଇ  ଫାଉଣ୍ଡେସନର ଆନ୍ଦ୍ରେ ଲାଜୋରେଙ୍କୋ ପ୍ରମୁଖ ସାମିଲ ଥିଲେ।

ଏହି ଆଲୋଚନାରେ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ସମ୍ଭାବ୍ୟ ସ୍ଥାନ ଚୟନ ପ୍ରକ୍ରିୟା ଆଗେଇଛି। ଏଥିପାଇଁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ତହସିଲରେ ‘ଆଲୁମିନା ରିଫାଇନାରୀ’  ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଦର ସୁନ୍ଦରଗଡ଼ ତହସିଲରେ ‘ଆଲୁମିନିୟମ ସ୍ମେଲ୍ଟର’ ପାଇଁ ଜମି ପ୍ରସ୍ତାବ ଦିଆଯାଇଛି। ଏହି ଆଲୋଚନା ଫଳରେ ସହଯୋଗିତାକୁ ବାସ୍ତବ ପ୍ରକଳ୍ପରେ ରୂପାନ୍ତରିତ କରିବା ପାଇଁ ଅଧିକ ଗତି ମିଳିଛି।

 ଓଡ଼ିଶା ସରକାର, ଆଇଏଚସି ଏବଂ ଅଦାନୀ ଗ୍ରୁପ୍‌ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଏହି ଗସ୍ତର ପ୍ରମୁଖ ସଫଳତା। ଏହି ପ୍ରକଳ୍ପଗୁଡ଼ିକରେ ଆନୁମାନିକ ୨,୧୦,୫୦୦ କୋଟି ଟଙ୍କା ନିବେଶ ସହ ପାଖାପାଖି ୮,୬୮,୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଟାଲ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି, ସ୍ଲରୀ ପାଇପଲାଇନ୍, କ୍ରିଟିକାଲ ମିନେରାଲ୍ସ ଓ ରେୟାର ଆର୍ଥ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଛି। ଏହା ଆଲୁମିନିୟମ ପ୍ରକଳ୍ପକୁ ଆଧାର କରି ଆଇଏଚସି ବିଭିନ୍ନ ବ୍ୟବସାୟ ପାଇଁ ଓଡ଼ିଶାକୁ ଏକ ସମ୍ଭାବ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବ। ଏହା ରାଜ୍ୟର ଶିଳ୍ପ ଦକ୍ଷତା ସହିତ ଅନ୍ତର୍ଜାତୀୟ ପୁଞ୍ଜି, ବୈଷୟିକ ଜ୍ଞାନକୌଶଳ ଏବଂ ବିଶ୍ୱ ବଜାରର ସୁଯୋଗକୁ ଯୋଡ଼ିବା ପାଇଁ ନୂଆ ଦ୍ୱାର ଖୋଲିବ।

ଓଡ଼ିଶା-ୟୁଏଇ ବାଣିଜ୍ୟକୁ ସୁଦୃଢ଼ କରିବା ପାଇଁ ନୂଆ ସହଯୋଗିତା ଫ୍ରେମଓ୍ୱାର୍କ:

ମୁଖ୍ୟମନ୍ତ୍ରୀ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରୋଫେସନାଲ୍ ଗ୍ରୁପ୍ ( ଆଇବିପିଜି) ର ପ୍ରତିନିଧିମାନଙ୍କୁ ଭେଟିଥିଲେ, ଯେଉଁଥିରେ ଆଇବିପିଜିର ସଭାପତି ରାଜୀବ ଶାହ, ସାଧାରଣ ସମ୍ପାଦକ ବରୁଣ ୱାହି ଏବଂ ଗ୍ରୁପ୍‌ର ଅନ୍ୟ ବରିଷ୍ଠ ସଦସ୍ୟମାନେ ସାମିଲ ଥିଲେ। ଏହି ଆଲୋଚନାରେ ନିବେଶ ଉତ୍ସାହ ସୃଷ୍ଟି କରିବା ଏବଂ ଓଡ଼ିଶା ଓ ୟୁଏଇ-ଆଧାରିତ ବ୍ୟବସାୟଗୁଡ଼ିକ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଶାରେ ନିବେଶ ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ଏବଂ ଆଇବିପିଜି ମଧ୍ୟରେ ଏକ ସହଯୋଗିତା ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଆଲୋଚନାରେ ଓଡ଼ିଶାର ବିଭିନ୍ନ ଉତ୍ପାଦ, ଯେପରିକି କି ହଳଦୀ, ଅଦା ଭଳି ମସଲା ଜାତୀୟ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟର ରପ୍ତାନି ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ୟୁଏଇର ପ୍ରମୁଖ ବ୍ରାଣ୍ଡଗୁଡ଼ିକ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଶାର ଉଚ୍ଚ ଦକ୍ଷତାସମ୍ପନ୍ନ ମାନବସମ୍ବଳ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଦ୍ୟୋଗୀମାନେ ମଧ୍ୟ ଭାଗ ନେଇଥିଲେ। ସେମାନେ ବ୍ୟବସାୟିକ ଭାଗିଦାରୀର ବିସ୍ତାର, ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ ୟୁଏଇ ବଜାରରେ ପହଞ୍ଚ ବୃଦ୍ଧି କରିବା ନେଇ ନିଜ ନିଜର ମତ ରଖିଥିଲେ। ଏହି ଆଲୋଚନା ଓଡ଼ିଶା-ୟୁଏଇ ବାଣିଜ୍ୟିକ ସହଯୋଗକୁ ଅଧିକ ମଜବୁତ କରିବା ସହ ବାଣିଜ୍ୟ, ନିବେଶ ଏବଂ ବ୍ୟବସାୟିକ ସହଯୋଗିତା ପାଇଁ ନୂଆ ପନ୍ଥା ସୃଷ୍ଟି କରିବାକୁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି।

ପେଟ୍ରୋକେମିକାଲ୍ସ ଡାଉନଷ୍ଟ୍ରିମ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ବୋରୋଜକୁ ନିମନ୍ତ୍ରଣ :

ମୁଖ୍ୟମନ୍ତ୍ରୀ ବୋରୋଜ୍‌ (ପେଟ୍ରୋକେମିକାଲ୍ ସେକ୍ଟର)ର ସିଇଓ ହାଜିମ୍ ସୁଲତାନ ଅଲ୍ ସୁୱାଇଦିଙ୍କୁ ଭେଟିଥିଲେ। ପାରାଦ୍ୱୀପଠାରେ ଇଣ୍ଡିଆନ୍ ଅଏଲ୍ କୋର୍ପୋରେସନ୍ ଲିମିଟେଡର ପ୍ରସ୍ତାବିତ ନାପଥା କ୍ରାକର ପ୍ଲାଣ୍ଟରୁ କଞ୍ଚାମାଲ  ସଂଯୋଗର ସୁଯୋଗ ନେଇ ଓଡ଼ିଶାରେ ଏକ ବୃହତ୍‌ ପେଟ୍ରୋକେମିକାଲ୍ସ ଡାଉନଷ୍ଟ୍ରିମ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ ସେ ବୋରୋଜ୍‌ କମ୍ପାନୀକୁ ନିମନ୍ତ୍ରଣ ଜଣାଇଛନ୍ତି।

ବୋରୋଜ୍ କମ୍ପାନୀ ଭିତ୍ତିଭୂମି, ଶକ୍ତି, ପରିବହନ, ସ୍ୱାସ୍ଥ୍ୟସେବା, କୃଷି ଏବଂ ଆଧୁନିକ ପ୍ୟାକେଜିଂ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପଲିଏଥିଲିନ୍ ଏବଂ ପଲିପ୍ରୋପିଲିନ୍ ଉତ୍ପାଦନ କରେ। ବୋରୋଜ୍‌ ପିଏଲସି ୨୦୨୫ କ୍ୟାଲେଣ୍ଡର ବର୍ଷରେ ୫.୮୫ ବିଲିୟନ୍ ଆମେରିକୀୟ ଡଲାରର ରାଜସ୍ୱ ହାସଲ କରିଥିଲା। ଏହି ପ୍ରସ୍ତାବିତ ସହଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ପଲିମର ଜ୍ଞାନକୌଶଳକୁ ଓଡ଼ିଶାକୁ ଆଣିବା ଏବଂ ରାଜ୍ୟର ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଅଧିକ ମୂଲ୍ୟ ବୃଦ୍ଧି କରିବା।

ନିବେଶ ପାଣ୍ଠି ଏବଂ ବନ୍ଦର ସହଯୋଗିତା ଭିତ୍ତିଭୂମି ସୁଯୋଗକୁ ଅଧିକ ବ୍ୟାପକ କରିଛି:

ୟୁଏଇ-ଆଧାରିତ ନିବେଶ ସଂସ୍ଥାଗୁଡ଼ିକ ସହ ଅନୁଷ୍ଠିତ ଅନ୍ୟ ଏକ ଗୋଲଟେବୁଲ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିପିପି ମୋଡ୍‌ରେ ବିକଶିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ରଖିଥିଲେ। ଓଡ଼ିଶାର ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକରେ ସଂସ୍ଥାଗତ ଭାଗିଦାରୀ, ପ୍ରକଳ୍ପର ଆକଳନ ଏବଂ ଦୀର୍ଘମିଆଦୀ ନିବେଶ ସହଯୋଗିତା ପାଇଁ ସମ୍ଭାବ୍ୟ ପନ୍ଥା ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଗୋଲଟେବୁଲ ବୈଠକରେ ୟୁଏଇର ପ୍ରମୁଖ ନିବେଶ ଓ ବ୍ୟବସାୟିକ ସଂସ୍ଥାର ବରିଷ୍ଠ ପ୍ରତିନିଧିମାନେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ଆଇଏଫସି (ଜିସିସି)ର ଡିଭିଜନାଲ ଡାଇରେକ୍ଟର ଅବଦୁଲହା ଜେଇନି ଜାଫ୍ରି, ଆଇଆରଏଚ୍ ଗ୍ଲୋବାଲ ଟ୍ରେଣ୍ଡିଂର କ୍ୱାଣ୍ଟିଟେଟିଭ ରିସର୍ଚ୍ଚ ଡେଭେଲପମେଣ୍ଟ ମୁଖ୍ୟ ଜିଉଲିଓ ଓଚିଓନେରୋ ଏବଂ ଏଲିପ୍ଟିକ ଏଫଜେଡର ମ୍ୟାନେଜିଂ ଡାଇରେକ୍ଟର ଫ୍ରାନ୍ସେସ୍କା ମାରିଆ ପ୍ରମୁଖ ସାମିଲ ଥିଲେ।

ଓଡ଼ିଶାର ୟୁଏଇ ନିବେଶ ଗସ୍ତର ପ୍ରଥମ ଦିନ ବିଶ୍ୱସ୍ତରୀୟ ନିବେଶକ ଓ ସଂସ୍ଥାଗୁଡ଼ିକ ସହ ରାଜ୍ୟର ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। ଭିତ୍ତିଭୂମି, ବନ୍ଦର, ବାଣିଜ୍ୟ ଏବଂ ନିବେଶ ଭାଗିଦାରୀ ଉପରେ ହୋଇଥିବା ଏହି ଆଲୋଚନା ନିରନ୍ତର ନିବେଶ, ନିଯୁକ୍ତି ସୃଷ୍ଟି ଏବଂ ବ୍ୟାପକ ବଜାର ସୁଯୋଗ ପାଇଁ ଏକ ମଜବୁତ ଆଧାର ତିଆରି କରିବ, ଯାହା ‘ସମୃଦ୍ଧ ଓଡ଼ିଶା’ର ସ୍ୱପ୍ନକୁ ଆଗକୁ ନେବାରେ  ସହାୟକ ହେବ।

Leave a Reply

Your email address will not be published. Required fields are marked *