ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୪ଟି ଡିଏନବି ସିଟ୍‌କୁ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶାରେ ଗୁଣାତ୍ମକ ଚିକିତ୍ସା ଶିକ୍ଷା ଓ ବିଶେଷଜ୍ଞ ଡାକ୍ତର ସୃଷ୍ଟି କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ନେସନାଲ ବୋର୍ଡ଼ ଅଫ ଏଗଜାମିନେସନ ଇନ ମେଡିକାଲ ସାଇନ୍ସ (NBEMS) ପକ୍ଷରୁ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟକୁ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ଶିକ୍ଷା ପାଇଁ ମାନ୍ୟତା ପ୍ରଦାନ କରାଯାଇଛି। ଏହି କ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜଗତସିଂହପୁର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁର (କୋରାପୁଟ); ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଫୁଲବାଣୀ (କନ୍ଧମାଳ); ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଢେଙ୍କାନାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡ଼ାକୁ ଶିଶୁ ରୋଗରେ ଡିପ୍ଲୋମା  ପାଠ୍ୟକ୍ରମ ପାଇଁ ନେସନାଲ ବୋର୍ଡ଼ ଅଫ ଏଗଜାମିନେସନ ଇନ ମେଡିକାଲ ସାଇନ୍ସ ମାନ୍ୟତା ମିଳିଛି। ପ୍ରତ୍ୟେକ ଅନୁଷ୍ଠାନରେ ୨ଟି ଲେଖାଏଁ ସିଟ୍, ଅର୍ଥାତ୍ ମୋଟ ୧୦ଟି ସିଟ୍ ଉପଲବ୍ଧ ହେବ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୁଳକୁ ପ୍ରସୂତି ଓ ସ୍ତ୍ରୀରୋଗ ବିଜ୍ଞାନରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ମାନ୍ୟତା ପ୍ରଦାନ କରାଯାଇଛି। ଜଗତସିଂହପୁରରେ ୨ଟି ଏବଂ ଅନୁଗୁଳରେ ୧ଟି ସିଟ୍ ରହିବ। ଏହା ସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍, କୋରାପୁଟକୁ ଆନାସ୍ଥେସିଓଲୋଜି ଓ ମେଡ଼ିସିନରେ ମୋଟ ୪ଟି ଡିଏନବି ସିଟ୍ ପାଇଁ ନେସନାଲ ବୋର୍ଡ଼ ଅଫ ଏଗଜାମିନେସନ ଇନ ମେଡିକାଲ ସାଇନ୍ସ ମାନ୍ୟତା ମିଳିଛି। ଏହି ଉପଲବ୍ଧି ଫଳରେ ରାଜ୍ୟର ଜିଲ୍ଲାସ୍ତରୀୟ ଚିକିତ୍ସାଳୟଗୁଡ଼ିକରେ ବିଶେଷଜ୍ଞ ଡାକ୍ତର ତିଆରି ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବାରେ ଏହା ସହାୟକ ହେବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଓଡ଼ିଶାର ସରକାରୀ ଚିକିତ୍ସାଳୟଗୁଡ଼ିକୁ ଉଚ୍ଚମାନର ଚିକିତ୍ସା ଶିକ୍ଷା ଓ ପ୍ରଶିକ୍ଷଣର କେନ୍ଦ୍ର ଭାବେ ବିକଶିତ କରିବା ଆମ ସରକାରଙ୍କର ପ୍ରମୁଖ ଲକ୍ଷ୍ୟ। ଜଗତସିଂହପୁର, କୋରାପୁଟ, କନ୍ଧମାଳ, ଢେଙ୍କାନାଳ, ରାୟଗଡ଼ା ଓ ଅନୁଗୁଳର ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ନେସନାଲ ବୋର୍ଡ଼ ଅଫ ଏଗଜାମିନେସନ ଇନ ମେଡିକାଲ ସାଇନ୍ସ ମାନ୍ୟତା ମିଳିବା ଏହି ଦିଗରେ ଏକ ଉତ୍ସାହଜନକ ପଦକ୍ଷେପ। ଏହା ଦ୍ୱାରା ରାଜ୍ୟରେ ବିଶେଷଜ୍ଞ ଡାକ୍ତର ସୃଷ୍ଟି ପାଇଁ ଅଧିକ ସୁଯୋଗ ମିଳିବ ଏବଂ ଆଗାମୀ ଦିନରେ ଲୋକଙ୍କ ନିକଟରେ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ସେ ଏହି ସଫଳତା ପାଇଁ ସମ୍ପୃକ୍ତ ମେଡିକାଲ୍ କଲେଜ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡାକ୍ତର, ନର୍ସିଂ ଅଧିକାରୀ ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *