ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ଏହାର ରିପୋର୍ଟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ୨୦୨୫ ଡିସେମ୍ବର ୬ ତାରିଖରେ ଗଠିତ ହୋଇଥିଲା ଏବଂ ୨୦୨୬ ଫେବୃଆରୀ ୩ ତାରିଖରେ ପୁର୍ନଗଠିତ ହୋଇଥିଲା। କମିଟି ତା’ର ରିପୋର୍ଟ ପ୍ରଦାନ କରିଛି। ଏହି ସୁପାରିଶ ଗୁଡ଼ିକ ଉପରେ ଅନୁଧ୍ୟାନ କରାଯାଇ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୈଠକର ସୂଚନା ଅନୁଯାୟୀ ଏହି କମିଟି ନିକଟରେ ରାଜ୍ୟର ବିଭିନ୍ନ ବର୍ଗର ଶିକ୍ଷକମାନଙ୍କର ୧୦୪ଟି ସଂଘ କମିଟିକୁ ଭେଟିଛନ୍ତି। କମିଟି ଏହି ଦାବୀ ସମ୍ପର୍କରେ ୯୦ଟି ବୈଠକ ଅନୁଷ୍ଠିତ କରିଛନ୍ତି ଏବଂ ସରକାରଙ୍କୁ ୭୯ଟି ରିପୋର୍ଟ ପ୍ରଦାନ କରିଛନ୍ତି। ବୈଠକରେ କମିଟିର ବିଭିନ୍ନ ସୁପାରିଶ ସମ୍ପର୍କରେ ଅଧ୍ୟକ୍ଷ ଅଶୋକ ତ୍ରିପାଠୀ ଏବଂ ସହ-ଅଧ୍ୟକ୍ଷ ସୁଦର୍ଶନ ନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ।
ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସଚିବମାନେ ଉପସ୍ଥିତ ଥିଲେ। କମିଟିର ଅନ୍ୟ ସଦସ୍ୟ ଶାନ୍ତନୁ କୁମାର ସାହୁ, ମନୋରଞ୍ଜନ ମିଶ୍ର ଏବଂ ସଂଯୋଜକ ସଦସ୍ୟ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
