ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ, ଓଡ଼ିଶା ତଥା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ପରିଚାଳନା ପରିଷଦ (ବୋର୍ଡ ଅଫ୍ ଗର୍ଭର୍ଣ୍ଣସ୍) କମିଟିର ଅଧ୍ୟକ୍ଷା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ (ଆଇଆଇଆଇଟି), ଭୁବନେଶ୍ୱରର ୧୫ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନୁଷ୍ଠାନର ଶୈକ୍ଷିକ ଓ ଗବେଷଣା କାର୍ଯ୍ୟକଳାପ, ଛାତ୍ରଛାତ୍ରୀଙ୍କ ନାମଲେଖା, ନିଯୁକ୍ତି, ଭିତ୍ତିଭୂମି ବିକାଶ ଏବଂ ଭବିଷ୍ୟତର ରଣନୀତି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବୈଠକରେ ଅନୁଷ୍ଠାନର ଶୈକ୍ଷିକ ଅଗ୍ରଗତି ଓ ନାମଲେଖା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା। ୨୦୨୬ ମସିହାରେ ବି.ଟେକ୍ କାର୍ଯ୍ୟକ୍ରମରେ ମୋଟ ୪୭୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି, ଯାହା ୨୦୨୫ରେ ୩୭୨ ଏବଂ ୨୦୨୪ରେ ୩୯୮ଥିଲା। ସେହିପରି ସ୍ନାତକୋତ୍ତର ନାମଲେଖା ୨୦୨୪ରେ ୧୫ ଥିବାବେଳେ ୨୦୨୬ରେ ୨୯କୁ ବୃଦ୍ଧି ପାଇଛି। ଭିଏଲ୍ଏସ୍ଆଇ ସେମିକଣ୍ଡକ୍ଟର ଟେକ୍ନୋଲୋଜି କ୍ଷେତ୍ରରେ ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ୨୦୨୬ରେ ବିଭିନ୍ନ ବିଭାଗରେ ୫ ଜଣ ପିଏଚ୍ଡି ଗବେଷକ ମଧ୍ୟ ନାମ ଲେଖାଇଛନ୍ତି।
ଅନୁଷ୍ଠାନର ନିଯୁକ୍ତି କାର୍ଯ୍ୟକଳାପର ସମୀକ୍ଷାରୁ ଜଣାଯାଇଥିଲା ଯେ, ୨୦୨୫-୨୬ ଶିକ୍ଷାବର୍ଷରେ ସର୍ବାଧିକ ବାର୍ଷିକ ଦରମା ପ୍ୟାକେଜ୍ ୬୦ ଲକ୍ଷ ଟଙ୍କା ରହିଥିବାବେଳେ ହାରାହାରି ପ୍ୟାକେଜ୍ ୯.୬ ଲକ୍ଷ ଟଙ୍କା ଏବଂ ମଧ୍ୟମ ପ୍ୟାକେଜ୍ ୮ ଲକ୍ଷ ଟଙ୍କା ରହିଛି। ଗତ ୨ବର୍ଷ ଅବଧିରେ ନିଯୁକ୍ତି ହାର ପ୍ରାୟ ୮୩ ପ୍ରତିଶତ ରହିଛି। ଡି.ଇ. ଶ, ଡେଲ୍, ଓରାକଲ୍, ଫ୍ଲିପ୍କାର୍ଟ, ଜୋହୋ, ରେଜରପେ, ସାର୍ଭମ୍ ଏଆଇ ଓ ସିମେନ୍ସ ଭଳି ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଛନ୍ତି।
ଗବେଷଣା ଓ ନବସୃଜନ କ୍ଷେତ୍ରରେ ଅନୁଷ୍ଠାନର ଅଗ୍ରଗତି ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଆଇଆଇଆଇଟିରେ IEEE InGARSS 2025, Indocrypt 2025, ICoICC-2025 ଏବଂ ଡିପ୍ ଲର୍ଣ୍ଣିଂ, କୃତ୍ରିମ ବୁଦ୍ଧିମତ୍ତା, ସମ୍ପର୍କିତ ଆନ୍ତର୍ଜାତିକ କର୍ମଶାଳା ଭଳି କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଛି।IEEE InGARSS 2025ରେ ୧୪ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏଥିସହ ଏଆଇ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ସାଇବର ସୁରକ୍ଷା, କ୍ରିପ୍ଟୋଗ୍ରାଫି ଓ ଡିପ୍ ଲର୍ଣ୍ଣିଂ ଆଦି କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତିକ କର୍ମଶାଳା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।
ଅନୁଷ୍ଠାନର ଗବେଷଣା ଓ ନବସୃଜନ ପରିବେଶକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କ୍ୟାମ୍ପସ୍ରେ ଟେକ୍ନୋଲୋଜି ଇନୋଭେସନ୍ ହବ୍ ଏବଂ ସେମିକଣ୍ଡକ୍ଟର ଟେକ୍ନୋଲୋଜିରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏଥିସହ କ୍ୟାମ୍ପସ୍ରେ ଇନକ୍ୟୁବେସନ୍ ସେଣ୍ଟର, ହଷ୍ଟେଲ୍, ଅଡିଟୋରିୟମ୍, ଶ୍ରେଣୀଗୃହ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ସମ୍ପର୍କିତ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ମାନବ ସମ୍ବଳ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଇ ଅଧ୍ୟାପକମାନଙ୍କୁ ପରବର୍ତ୍ତୀ ଉଚ୍ଚତର ବେତନ ହାରକୁ ପଦୋନ୍ନତି, ନିୟମିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନିତ କରି ଆବଶ୍ୟକ ଥିବା ପଦବୀ ପୂରଣ, ନୂତନ ଅଧ୍ୟାପକ ପଦବୀ ସୃଷ୍ଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନୁଷ୍ଠାନର ଶୈକ୍ଷିକ ମାନ, ପ୍ରଶାସନିକ ସ୍ୱଚ୍ଛତା ଓ ଗବେଷଣାର ଗୁଣବତ୍ତା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟ ବୈଠକରେ ଉପସ୍ଥାପିତ ହୋଇଥିଲା। ଏଥିସହ ଅନୁଷ୍ଠାନର ନିର୍ଦ୍ଦେଶକ ଓ ଅଧ୍ୟାପକମାନଙ୍କ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ସ୍ୱୀକୃତି ଏବଂ ସଫଳତା ସମ୍ପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା।
ଅନୁଷ୍ଠାନର ଆଗାମୀ ସମାବର୍ତ୍ତନ ଉତ୍ସବ ୨୦୨୭ ଜାନୁଆରୀ ମାସରେ ଆୟୋଜନ କରିବା ସଂପର୍କରେ ମଧ୍ୟ ବୈଠକରେ ପ୍ରସ୍ତାବ ରଖାଯାଇଥିଲା। ଏହାସହ ଅଡିଟ୍ ହୋଇଥିବା ବାର୍ଷିକ ହିସାବ, ଡିଗ୍ରୀ ପ୍ରଦାନ, ଅଧ୍ୟାପକ ଓ କର୍ମଚାରୀଙ୍କ ସୁବିଧା ଏବଂ ଅନ୍ୟାନ୍ୟ ପ୍ରଶାସନିକ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁଷ୍ଠାନର ଭିତ୍ତିଭୂମି ବିକାଶରେ ଥିବା ଅଭାବଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ରାଜ୍ୟରେ ଉଚ୍ଚ ବୈଷୟିକ ଶିକ୍ଷା, ଗବେଷଣା, ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟା ଓ ଷ୍ଟାର୍ଟଅପ୍ ପରିବେଶର ବିକାଶ ଦିଗରେ ଆଇଆଇଆଇଟି, ଭୁବନେଶ୍ୱରର ଭୂମିକାକୁ ଅଧିକ ସୁଦୃଢ଼ କରିବା ସହ ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବା ଉପରେ ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇବିଭିନ୍ନ ପରାମର୍ଶ ଦେଇଥିଲେ । ଦେଶର ଅନ୍ୟାନ୍ୟ ଆଇଆଇଆଇଟିଗୁଡ଼ିକ ତୁଳନାରେ ଆଇଆଇଆଇଟି ଭୁବନେଶ୍ୱର ଯେପରି ଶ୍ରେଷ୍ଠ ପ୍ରଦର୍ଶନ କରିବ, ସେଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନର ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବା ପାଇଁ ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଅଧିକ ସହଯୋଗ, ଶିଳ୍ପ-ଭିତ୍ତିକ ଶିକ୍ଷାଦାନ ଏବଂ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ରାଜ୍ୟ କ୍ରୀଡ଼ା, ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ନିର୍ଦ୍ଦେଶକ,ଆଇଆଇଆଇଟି, ଭୁବନେଶ୍ୱରଡଃ. ଆଶିଷ ଘୋଷ, ନିର୍ଦ୍ଦେଶକ, ଆଇଆଇଟି, ରେଜିଷ୍ଟ୍ରାର ତଥା କଣ୍ଚ୍ରୋଲର ଅଫ ଫାଇନାନ୍ସ ସବ୍ୟସାଚୀ ହୋତା, ନିର୍ଦ୍ଦେଶକ, ଆଇଆଇଆଇଟି, ବେଙ୍ଗାଲୁରୁ ପ୍ରଫେସର ଦେବବ୍ରତ ଦାସ ଏବଂ ଆଇଆଇଟି, ଭୁବନେଶ୍ୱରପ୍ରଫେସର ଶ୍ରୀପଦ କର୍ମକାର (ଅନଲାଇନ୍ ମାଧ୍ୟମରେ)ଙ୍କ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାରୁ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟିର ସଦସ୍ୟ ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ।
