କଟକ: ମହାନଦୀ କୂଳରେ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା। ଏହି ମେଳାରେ ରହିଛି ଅନେକ ଆକର୍ଷଣ। ତେବେ ପାରମ୍ପରିକ ହସ୍ତଶିଳ୍ପ, ଆଞ୍ଚଳିକ ଖାଦ୍ୟ ଓ ନିଆରା ଗ୍ରାମୀଣ ଉତ୍ପାଦକୁ ଦେଖିବା ଓ କିଣିବା ପାଇଁ ମଧ୍ୟ ଅନେକ ପରିଦର୍ଶକ ଅପେକ୍ଷା କରିଥାନ୍ତି। ଏଥିପାଇଁ ଓରମାସ୍ ପକ୍ଷରୁ ବାଲିଯାତ୍ରାରେ ଆୟୋଜିତ ହୋଇଛି ପଲ୍ଲିଶ୍ରୀ ମେଳା–୨୦୨୬।
ଗୋଟିଏ ସ୍ଥାନରେ ଗ୍ରାମୀଣ ଭାରତର ବିବିଧ ଉତ୍ପାଦକୁ ଦେଖିବା ଓ କିଣିବାର ସୁଯୋଗ ପାଇବେ ପରିଦର୍ଶକ। ଚଳିତ ବର୍ଷ ପଲ୍ଲିଶ୍ରୀ ମେଳାରେ ରହିଛି ମୋଟ ୫୪୬ଟି ଷ୍ଟଲ୍। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ସମେତ ଦେଶର ୨୨ଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି), ଉତ୍ପାଦକ ଗୋଷ୍ଠୀ (ପିଜି), ଉତ୍ପାଦକ କମ୍ପାନୀ (ପିସି) ଓ କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ) ଏଥିରେ ଅଂଶଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଓରମାସ୍ ଷ୍ଟଲ୍ ପରିଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଏସ୍ଏଚ୍ଜି ମହିଳାଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗରିମାମୟ ଉପସ୍ଥିତି ଏହି ଉଦ୍ଘାଟନୀ ଉତ୍ସବକୁ ଆହୁରି ଗୌରବମୟ କରିଥିଲା।
ମେଳାରେ କଟକ ଜିଲ୍ଲାର ୮୦ଟି ଏବଂ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକର ୧୨୦ଟି ଏସ୍ଏଚ୍ଜି ଓ ଉତ୍ପାଦକ ସଂଗଠନର ଷ୍ଟଲ୍ ସ୍ଥାନ ପାଇଛି। ନାବାର୍ଡ ପକ୍ଷରୁ ଗ୍ରାମୀଣ ଉଦ୍ୟୋଗ ଓ ଜୀବିକାଭିତ୍ତିକ ପଦକ୍ଷେପକୁ ପ୍ରୋତ୍ସାହନ ଦେବା ପାଇଁ ୪୦ଟି ଷ୍ଟଲ୍ ରହିଛି। ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହିତ କ୍ଷୁଦ୍ର, ଅତିକ୍ଷୁଦ୍ର ଓ ଗ୍ରାମୀଣ ଶିଳ୍ପ ପାଇଁ ୩୦ଟି ଷ୍ଟଲ୍ ସ୍ଥାନ ପାଇଛି। ସେହିପରି ଖଦି ଓ ଗ୍ରାମୋଦ୍ୟୋଗର ଉତ୍ପାଦ ପାଇଁ କେଭିଆଇସିର ୧୦ଟି ଏବଂ ଆଦିବାସୀ କାରିଗରଙ୍କ ପାରମ୍ପରିକ ଉତ୍ପାଦର ବିପଣନ ପାଇଁ ଟ୍ରାଇଫେଡ୍ର ୨୦ଟି ଷ୍ଟଲ୍ ରହିଛି। ଏହା ସହ ବିଭିନ୍ନ ଆଞ୍ଚଳିକ ଖାଦ୍ୟ ଓ ପାରମ୍ପରିକ ବ୍ୟଞ୍ଜନର ଷ୍ଟଲ୍ ମଧ୍ୟ ପରିଦର୍ଶକଙ୍କ ପାଇଁ ଆକର୍ଷଣ ସାଜିଛି।
ଏହି ମେଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ନିଆରା ଉତ୍ପାଦ ଓ ପାରମ୍ପରିକ କାରିଗରୀ ସ୍ଥାନ ପାଇଛି। ପରିଦର୍ଶକମାନେ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ, କୋରାପୁଟର କଳାଜିରା ଚାଉଳ, ବ୍ରହ୍ମପୁରର ଆଚାର ଓ ପାମ୍ପଡ଼, କେନ୍ଦୁଝରର ପେପର୍ ମଣ୍ଡ କଳାକୃତି, କଳାହାଣ୍ଡିର କାଠ କାରୁକାର୍ଯ୍ୟ ଏବଂ ସୋନପୁରର ଟେରାକୋଟା ଉତ୍ପାଦ ଦେଖିବା ସହ କିଣିପାରିବେ। ଏହାବ୍ୟତୀତ ବିଭିନ୍ନ ପାରମ୍ପରିକ ହସ୍ତତନ୍ତ, ହସ୍ତଶିଳ୍ପ, ମସଲା ଓ ଖାଦ୍ୟ ସାମଗ୍ରୀର ବ୍ୟାପକ ସମ୍ଭାର ମଧ୍ୟ ରହିଛି। ଏଠାରେ ପରିଦର୍ଶକମାନେ କାରିଗରଙ୍କୁ କାମ କରୁଥିବା ଦେଖିବା ସହ ଏହି କଳାକୃତି ପଛରେ ରହିଥିବା ଦକ୍ଷତା ଓ କୌଶଳ ସମ୍ପର୍କରେ ଜାଣିପାରିବେ। କେବଳ ପ୍ରସ୍ତୁତ ଉତ୍ପାଦ ନୁହେଁ, ଏହାକୁ ତିଆରି କରିବା ପଛରେ ଥିବା କାରିଗରଙ୍କ କଳାନୈପୁଣ୍ୟକୁ ଅନୁଭବ କରିବାର ଏହା ଏକ ସୁଯୋଗ।
ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, “ଏଠାରେ ପ୍ରଦର୍ଶିତ ପ୍ରତ୍ୟେକ ଉତ୍ପାଦରେ ଆମ ଗ୍ରାମୀଣ ସମାଜର ପରିଶ୍ରମ, ଦକ୍ଷତା ଓ ପରମ୍ପରାର ପ୍ରତିଫଳନ ରହିଛି। ଓରମାସ୍ ମାଧ୍ୟମରେ ଆମର ପ୍ରୟାସ ହେଉଛି ଏହି ଉତ୍ପାଦଗୁଡ଼ିକୁ ବୃହତ୍ ବଜାର ସହ ଯୋଡ଼ିବା, କାରଣ ବଡ଼ ବଜାର ଗ୍ରାମୀଣ ପରିବାର ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଥାଏ।”
ବର୍ଷ ବର୍ଷ ଧରି ଓଡ଼ିଶାର ପ୍ରମୁଖ ମେଳା ଓ ଉତ୍ସବଗୁଡ଼ିକର ଏକ ଆକର୍ଷଣ ପାଲଟିଛି ପଲ୍ଲିଶ୍ରୀ ମେଳା। ପୁରୀ ରଥଯାତ୍ରା ଓ କଟକ ବାଲିଯାତ୍ରାଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ମହୋତ୍ସବ ଓ ସ୍ଥାନୀୟ ମେଳା ପର୍ଯ୍ୟନ୍ତ, ଯେଉଁଠି ଅଧିକ ସଂଖ୍ୟାରେ ଲୋକଙ୍କ ସମାଗମ ହୁଏ, ସେଠାରେ ଗ୍ରାମୀଣ ଉତ୍ପାଦକୁ ପହଞ୍ଚାଇବାର ପ୍ରୟାସ କରୁଛି ଓରମାସ୍। ଏହି ପ୍ରଦର୍ଶନୀଗୁଡ଼ିକ ଗ୍ରାମୀଣ ଉତ୍ପାଦକଙ୍କୁ ନୂଆ ବଜାର ସହ ଯୋଡ଼ିବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିଛି।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କାରିଗର, ଚାଷୀ ଓ ଗ୍ରାମାଞ୍ଚଳର ଉଦ୍ୟୋଗୀଙ୍କ ପାଇଁ ଏଭଳି ମେଳା କେବଳ ଉତ୍ପାଦ ବିକ୍ରିର ସୁଯୋଗ ନୁହେଁ। ଏହା ସେମାନଙ୍କୁ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିବା ସହ ବଜାରର ଚାହିଦା ବୁଝିବା ଓ ନୂଆ ବ୍ୟବସାୟିକ ସମ୍ପର୍କ ଗଢ଼ିବାର ସୁଯୋଗ ଦେଇଥାଏ। ଏହା ଉତ୍ପାଦର ଗୁଣବତ୍ତା, ଉପସ୍ଥାପନା ଓ ବିପଣନ ଦକ୍ଷତା ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।
