ଭୁବନେଶ୍ଵର: ଏମ୍ଏସ୍ଏମ୍ଇରେ ସମୃଦ୍ଧି ଏବଂ ଖଦି ଓ ଗ୍ରାମୋଦ୍ୟୋଗରେ ଆତ୍ମନିର୍ଭରତା ହେଉଛି ଆମର ଲକ୍ଷ୍ୟ। ଏମ୍ଏସ୍ଏମ୍ଇ ବିକାଶର ସଶକ୍ତ ସ୍ତମ୍ଭ ହୋଇଥିବା ବେଳେ ଖଦି ସ୍ୱଦେଶୀ ଓ ସ୍ୱାବଲମ୍ବନର ପ୍ରତୀକ ବୋଲି କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। “ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬”ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। ଏହି ଅବସରରେ ସପ୍ତାହରେ ଗୋଟିଏ ଦିନ ଖଦି ପିନ୍ଧିବା ପାଇଁ ଶ୍ରୀ ମଲ୍ଲିକ ନିବେଦନ କରିଛନ୍ତି। ନିଯୁକ୍ତି, ରୋଜଗାର ଓ ସମୃଦ୍ଧ ଗ୍ରାମୀଣ ଅର୍ଥନୀତିରେ ଖଦି ଓ ଗ୍ରାମୋଦ୍ୟୋଗର ବଳିଷ୍ଠ ଭୂମିକା ରହିଛି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅବସରରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ମହୁ ଚାଷ ଉପରେ ପ୍ରକାଶିତ ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଏହି ଏକ୍ସପୋ ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦର ପ୍ରଚାର, ବ୍ରାଣ୍ଡିଂ, ଗ୍ରାହକଙ୍କ ମତାମତ ହାସଲ, ନୂତନ ବଜାର ଅନ୍ୱେଷଣ ଓ ବ୍ୟବସାୟିକ ସମ୍ପର୍କ ସ୍ଥାପନର ସୁଯୋଗ ପ୍ରଦାନ କରିବ ବୋଲି ଏମ୍ଏସ୍ଏମ୍ଇ ବିଭାଗର କମିଶନର-ତଥା-ଶାସନ ସଚିବ ରଶ୍ମିତା ପଣ୍ଡା କହିଛନ୍ତି।
ଆରମ୍ଭ ହୋଇଥିବା “ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬”ଚଳିତ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୧୮୦ଟି ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି। ଏଥିରେ ୮୦ଟି ଷ୍ଟଲ୍ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ପାଇଁ, ୫୦ଟି ଷ୍ଟଲ୍ ଖଦି ଓ ଗ୍ରାମୋଦ୍ୟୋଗ, ୧୦ଟି ଷ୍ଟଲ୍ ଷ୍ଟାର୍ଟଅପ୍, ୧୦ଟି ଷ୍ଟଲ୍ ଏମ୍ଏସ୍ଏମ୍ଇ-ଡିଏଫ୍ଓ (ଡେଭଲପମେଣ୍ଟ ଆଣ୍ଡ ଫାସିଲିଏସନ୍ ଅଫିସ୍-କଟକ), ୧୦ଟି ଷ୍ଟଲ୍ ଡିଇପିଏମ୍ (ଡାଇରେକ୍ଟୋରେଟ୍ ଅଫ୍ ଏକ୍ସପୋର୍ଟ, ପ୍ରମୋସନ ଆଣ୍ଡ ମାର୍କେଟିଙ୍ଗ) ଏବଂ ୨୦ଟି ଷ୍ଟଲ୍ ଓଟିଡିସି ପାଇଁ ରଖାଯାଇଛି। ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଦିବା ୧୧ ଘଟିକାରୁ ରାତି ୯.୩୦ ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ। ଉଦ୍ୟୋଗୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ଦିନ ବିଷୟଭିତ୍ତିକ ସେମିନାର ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର (ଏକାମ୍ର) ବିଧାୟକ ବାବୁ ସିଂ, ଶିଳ୍ପ ନିର୍ଦ୍ଦେଶକ ଅବୋଲି ସୁନିଲ ନରଭଣେ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ରାଜ୍ୟ ନିର୍ଦ୍ଦେଶକ ସୁଭାଷ ଛେତ୍ରୀ, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଚିବ ଗଦାଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
