ଡାଇରିଆ ମୁକାବିଲା ପାଇଁ ସୂଚନା- ଶିକ୍ଷା- ସଂଚାର ଉପରେ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟରେ ଡାଇରିଆ ସଂକ୍ରମଣର ତ୍ଵରିତ ମୁକାବିଲା ପାଇଁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଡକ୍ଟର ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ  ସୂଚନା ଓ ପ୍ରଯୁକ୍ତିବିଦ୍ୟାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା l ଯାଜପୁର, କଟକ, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ର୍ରାପଡା ଆଦି ଛଅଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଭାସି ମାଧ୍ୟମରେ ଡାଇରିଆ ସ୍ଥିତି ଓ ମୁକାବିଲାର ବିଭିନ୍ନ ଦିଗ ଉପରେ ମାନ୍ୟବର ମନ୍ତ୍ରୀ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ l ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ସତ୍ତ୍ବେ ସମସ୍ତେ ସମ୍ପୂର୍ଣ୍ଣ ରୂପେ ସତର୍କ ରହି କାର୍ଯ୍ୟ କରିବାପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ଏହା ସହ ମୌସୁମୀକୁ ଦୃଷ୍ଟିରେ ରଖି  ତିନିମାସ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ସମନ୍ବୟ ସହ ସାମଗ୍ରିକ ଭାବରେ ପ୍ରସ୍ତୁତ ରହିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ l 

ଏହି ବୈଠକରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ରାଜ୍ୟର ଛଅଟି ଜିଲ୍ଲାର ଡାଇରିଆ ମୁକାବିଲାର ସ୍ଥିତି ଓ ପ୍ରସ୍ତୁତି ବିଷୟରେ ସମୀକ୍ଷା କରିଥିଲେl ପାନୀୟଜଳ ଜଳ ସ୍ରୋତ ଗୁଡ଼ିକର ବିଶୋଧନ, ତୃଣମୂଳ ସ୍ତରରୁ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ଡାକ୍ତରଖାନା ଗୁଡିକ ମଧ୍ୟରେ ସମନ୍ବୟ ରକ୍ଷାଦ୍ବାରା ଚିକିତ୍ସାସେବା ଯୋଗାଇବା, ପରିମଳ ବ୍ୟବସ୍ଥା, ଖାଦ୍ଯ ନିରାପତ୍ତା, ସଂକ୍ରମିତ ଜଳଉତ୍ସ ଚିହ୍ନଟ  ଓ ବିଭାଗୀୟ ସମନ୍ବୟ ବିଷୟରେ ସେ ବିସ୍ତୃତ ସମୀକ୍ଷା କରିଥିଲେ l ଏହା ସହ ଡାଇରିଆ ଜନିତ ଜନସଚେତନତା ଉପରେ ଗୁରୁତ୍ବ ଦେଇ ମନ୍ତ୍ରୀ ସୂଚନା- ଶିକ୍ଷା – ସଂଚାର ମାଧ୍ୟମରେ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା, ହାଲୋଜେନ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଣି ବ୍ୟବହାର, ଖାଦ୍ଯ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲଭାବେ ହାତ ଧୋଇବା, ଝାଡାବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ଓ.ଆର୍.ଏସ୍ ଦ୍ରବଣ ପିଇବା ଓ ବିଳମ୍ବ ନକରି ଡାକ୍ତରଖାନା ଯିବା ଆଦି ବିଷୟରେ ଲୋକଙ୍କୁ ତୃଣମୂଳ ସ୍ତରରୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ l

ସୂଚନାଯୋଗ୍ୟ ଯେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ. ଙ୍କ ନିର୍ଦ୍ଦେଶ କ୍ରମେ କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ତିନିଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ମିଳିତ ବିଶେଷଜ୍ଞ ଦଳ ପହଞ୍ଚି ଡାଇରିଆ ମୁକାବିଲାର ବିଭିନ୍ନ ଦିଗ ଉପରେ ସମୀକ୍ଷା ଜାରି ରଖିଛନ୍ତି l ଯାଜପୁର ଜିଲ୍ଲା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର, କେନ୍ଦ୍ରୀୟ ଟିମର ଡକ୍ଟର ଏନ ସୋମାଲକର ଓ ଭାରତୀୟ ଖାଦ୍ଯ ସୁରକ୍ଷା କର୍ତ୍ତୁପକ୍ଷ ନିର୍ଦ୍ଦେଶକ ଡକ୍ଟର ଗୀତାଞ୍ଜାଳୀ ରହିଛନ୍ତିl କଟକ ଜିଲ୍ଲା ପାଇଁ  କେନ୍ଦ୍ରୀୟ ଟିମର ଡକ୍ଟର ବି ଦ୍ଵିବେଦୀ ଓ ଡକ୍ଟର ଏସ ମହାନ୍ତି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(ଜନସ୍ବାସ୍ଥ୍ୟ ) ସଦସ୍ୟ ଭାବରେ ରହିଛନ୍ତି l ଭଦ୍ରକ ଜିଲ୍ଲାରେ ଡକ୍ଟର ପି ଘୋଷ ଓ ଡକ୍ଟର ଜି ଚୌଧୁରୀ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଶୁଭାଶିଷ ମହାନ୍ତି ସ୍ଥିତି ସମୀକ୍ଷା କରିଛନ୍ତିl

ଏହି ଟିମ ମାନେ ସମ୍ପୃକ୍ତ ଜିଲ୍ଲା ମାନଙ୍କରେ ଡାଇରିଆ ମୁକାବିଲା ଓ ନିରାକରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଅନୁଧ୍ୟାନ କରିଛନ୍ତିl ପ୍ରାପ୍ତ ସୂଚନା ଅନୁସାରେ, ଟିମମାନେ ମୁଖ୍ୟତଃ ପାନୀୟ ଜଳ ସ୍ରୋତଗୁଡ଼ିକର ବିଶୋଧିକରଣ, ଡାକ୍ତରଖାନାରେ  ପ୍ରୋଟୋକଲ ଅନୁସାରେ ରୋଗୀମାନଙ୍କ ଚିକିତ୍ସା, ରୋଗୀମାନଙ୍କ ବିଷୟରେ ସଠିକ ତଥ୍ୟ ସଂଗ୍ରହର ସ୍ଥିତି ଅନୁଶୀଳନ କାର୍ଯ୍ୟ ଜାରି ରଖିଛନ୍ତି l ସ୍ଥିତିକୁ ଲକ୍ଷ୍ୟକରି କ୍ଷେତ୍ରସ୍ତରୀୟ ଟିମ ଏବଂ ଡାକ୍ତରମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି l କ୍ଷେତ୍ର ପରିଦର୍ଶନ  ପରେ ଏହି ମିଳିତ  ବିଶେଷଜ୍ଞ ଟିମ ଗୁଡିକ ସମ୍ପୃକ୍ତ ଜିଲ୍ଲାରେ ଗତକାଲି ଗଠନ ହୋଇଥିବା କୋର କମିଟି ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ସହଯୋଗ କରୁଛନ୍ତିl ଏହି ଟିମମାନେ ମଧ୍ୟ ମାନ୍ୟବର ମନ୍ତ୍ରୀଙ୍କୁ ତୃଣମୂଳ ସ୍ତରର ସ୍ଥିତି ବିଷୟରେ ଅବଗତ କରାଇଥିଲେ l

ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଯୋଗଦେଇ ବିଭାଗୀୟ ପ୍ରସ୍ତୁତିର ସମସ୍ତ ଦିଗ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେl ଜିଲ୍ଲାସ୍ତରରୁ ସମସ୍ତ ଜିଲ୍ଲାପାଳମାନେ ଆଭାସି ମାଧ୍ୟମରେ ବୈଠକରେ ସାମିଲ ହୋଇ ଜିଲ୍ଲାସ୍ତରରେ ଡାଇରିଆ ସଂକ୍ରମଣ ମୁକାବିଲା ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେl  ସରକାରଙ୍କ ବିଭିନ୍ନ ବିଭାଗ କିଭଳି ଭାବରେ ଯୁଦ୍ଧକାଳୀନ ଭିତ୍ତିରେ ଡାଇରିଆ ନିରାକରଣ ପାଇଁ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଶାସନ ସଚିବ ମନ୍ତ୍ରୀଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଥିଲେl  

ମିଶନଶକ୍ତି ବିଭାଗ ପକ୍ଷରୁ ଡାଇରିଆ ନିବାରଣ ପାଇଁ ମହିଳା ଏସଏଚଜି ସଦସ୍ୟଙ୍କ ମାଧ୍ୟମରେ ସଚେତନତା ଅଭିଯାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଭିଯାନ ଆସନ୍ତା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ସମସ୍ତ ଏସଏଚଜି ସଦସ୍ୟା ସମସ୍ତ ପରିବାରଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ସେମାନେ ସଚେତନତା ସମ୍ବନ୍ଧୀୟ ଆଇଇସି ସାମଗ୍ରୀ ବଣ୍ଟନ କରିବେ ଏବଂ ଗ୍ରାମର ପ୍ରମୁଖ ସ୍ଥାନରେ ବୈଠକ ଆୟୋଜନ କରି ପରିମଳ ଓ ସ୍ବଚ୍ଛତା ବାର୍ତ୍ତା ସହ ଡାଇରିଆ ବିଷୟରେ ଆବଶ୍ୟକୀୟ ସମସ୍ତ ତଥ୍ୟ ପ୍ରଦାନ କରିବେ।

ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ଅଧିକାଂଶ ପାନୀୟ ଜଳ ବିଭଜନ ଗୁଡ଼ିକରେ ପାନୀୟଜଳ ସ୍ରୋତ ଯଥା ନଳକୂଅ, ଖୋଲାକୁଅ ଆଦିର  ବିଶୋଧନ  ସମ୍ପୂର୍ଣ୍ଣ ହୋଇଛି ଓ ଅନ୍ୟ ସମସ୍ତ ବିଭାଜନରେ ମଧ୍ୟ ଜାରି ରହିଛିl ସମସ୍ତ ପାନୀୟ ଜଳ ସ୍ରୋତକୁ ପରୀକ୍ଷା କରାଯାଉଛି l ଯେଉଁ ସ୍ରୋତରେ ବାରମ୍ବାର ସଂକ୍ରମଣ ରହୁଛି ସେଭଳି କୂଅ ଓ ନଳକୂଅକୁ ସିଲ୍ କରି ଦିଆଯାଉଛିl ଗ୍ରାମାଞ୍ଚଳରେ ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀର  ସଦଶ୍ୟ, ଆଶା, ଅଙ୍ଗନବାଡି ଦିଦି ମାନେ ଜଳ ବିଶୋଧନ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି l 

ଏହାସହ ଅଙ୍ଗନବାଡ଼ି, ସ୍କୁଲ ଓ କଲେଜ ଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଭଦ୍ରଖ ଜିଲ୍ଲାରେ ଖରାଛୁଟିକୁ ଦୁଇଦିନ ଓ ଯାଜପୁର ଜିଲ୍ଲାରେ ତିନିଦିନ ବୃଦ୍ଧି କରାଯାଇଛିl ବିଭିନ୍ନ ଖାଦ୍ଯ ନିରାପତ୍ତା ଦଳ ମଧ୍ୟ ହୋଟେଲ, ରାସ୍ତା କଡ ଦୋକାନ, ଢାବାର ଖାଦ୍ଯ ପରୀକ୍ଷା ଓ ରେଡ଼ ଜାରି ରଖିଛନ୍ତି l ଏଥି ସଙ୍କ୍ରାନ୍ତୀୟ ସମସ୍ତ ସରକାରୀ ନିୟମ କଡାକଡି ଭାବରେ ପାଳନ କରାଯାଉଛି l ସେହିପରି ଗୃହନିର୍ମାଣ  ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ଜଳସାଥୀ ମାନଙ୍କୁ ନିଯୋଜିତ କରାଯାଇ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୋଜିତ କରାଯାଇ ନିରାପଦ ପାନୀୟ ଜଳ ସମ୍ପର୍କିତ ସୂଚନା-ଶିକ୍ଷା -ସଂଚାର କାର୍ଯ୍ୟକ୍ରମ ଜାରି ରହିଛିl ବ୍ୟାସନଗର ପୌର ପରିଷଦରେ ହଇଜା ନିୟନ୍ତ୍ରଣ ନିମନ୍ତେ କଟକ ୱାଟ୍‌କୋ ଡିଭିଜନ୍‌ର ପରିଚାଳନା ନିର୍ଦ୍ଦେଶକଙ୍କୁ କ୍ୟାମ୍ପ ଅଫିସ କରି ପଠାଯାଇଛି । ତାଙ୍କୁ  ସେଠାରେ ଅନ୍ୟାଦେଶ ପର୍ଯ୍ୟନ୍ତ ଅବସ୍ଥାପନ କରାଯାଇଛି। ଏହା ସହ ଆଗାମୀ ରଥଯାତ୍ରାକୁ ଧ୍ୟାନରେ ରଖି ପୁରୀ ମୁନିସିପାଲିଟି ଅଞ୍ଚଳ ଏବଂ ୱାଟ୍‌କୋ ଅଧିନସ୍ଥ ନିମାପଡ଼ା, ପିପିଲି ଓ କୋଣାର୍କ ପରି ନିକଟସ୍ଥ ପୌର ପରିଷଦଗୁଡ଼ିକରେ ହଇଜା ନିୟନ୍ତ୍ରଣ ନିମନ୍ତେ ୱାଟ୍‌କୋର ନିର୍ଦ୍ଦେଶକ (ସଂଚାଳନ)ଙ୍କୁ ପୁରୀଠାରେ ଅବସ୍ଥାପିତ କରାଯାଇଛି ।

ଏଭଳି ପରିସ୍ଥିତିରେ ସମସ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ସେବାରେ ସଦାସର୍ବଦା ସମର୍ପିତ ରହିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେl ଆକ୍ରାନ୍ତ  ଦିବ୍ୟଙ୍ଗ, ଶିଶୁ, ମହିଳା ଓ ବରିଷ୍ଠ ନାଗରିକଙ୍କ ଚିକିତ୍ସା ପ୍ରତି ସ୍ଵତନ୍ତ୍ର ରୂପେ ଯତ୍ନବାନ ହେବାପାଇଁ ସେ କହିଥିଲେl ସରକାର ସବୁ ଦିଗରୁ ଏହି ପରିସ୍ଥିତିର ମୁକାବିଲା ଓ ଲୋକଙ୍କ ନିରାପଦ ସ୍ବାସ୍ଥ୍ୟ ପ୍ରତି ସମର୍ପିତ ଥିବା ନେଇ ମାନ୍ୟବର ମନ୍ତ୍ରୀ କହିଥିଲେl ରାଜ୍ୟସାରା ଖାଦ୍ଯ ନିରାପତ୍ତା ଓ ଜଳ ନିରାପତ୍ତାକୁ ସର୍ବାଧିକ ପ୍ରାଧାନ୍ୟ ଦେବାଉପରେ ସେ ଗୁରୁତ୍ବାରୋପ କରିଥିଲେl ଡାଇରିଆ ସଂକ୍ରାମକଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି ଏବଂ ସରକାର ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ସବୁ ମତେ ଯତ୍ନବାନ ଓ ସଦାତତ୍ପର ରହି ସଂକ୍ରମଣର ନିରାକରଣ ପାଇଁ ସବୁ ଦିଗରୁ କାର୍ଯ୍ୟ କରୁଥିବା ନେଇ ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *