ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ୫୪ ଗୋଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ୪ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେଞ୍ଚୁରୀୟନ ୟୁନିଭେର୍ସିଟି (CUTM) ଜଟଣୀ ଓ ପାରଳାଖେମୁଣ୍ଡି ଠାରେ ଆୟୋଜିତ ହେଉଅଛି। ଏହି ପ୍ରଶିକ୍ଷଣରେ ଜଟଣୀ ଠାରେ ୬ଗୋଟି କର୍ମଵିଦ୍ୟା ଯଥା Tourism & Hospitality, SPEFL, CRM,Insurance, OM, BFSI ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ବେଳେ ପାରଳାଖେମୁଣ୍ଡି ଠାରେ ହଟିକଲଚର, ସେରିକଲଚର ଓ ଇନଲାଣ୍ଡ ଫିସରିସର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।
ଉଦଘାଟନୀ ଅଧିବେଶନରେ ଜଟଣୀ ଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ରଘୁରାମ ଆର ଆୟାର, ସି ୟୁ ଟି ଏମ ର ଉପକୂଳପତି ପ୍ରଫେସର ଡ଼ଃ ସୁପ୍ରିୟା ପଟ୍ଟନାୟକ, ପ୍ରୋ-ଭିସି ଡ଼ଃ ଅଜୟ କୁମାର ନାୟକ ଓ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉଦଘାଟନୀ ଅଧିବେଶନ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଆୟାର ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ସେହିପରି ଉପକୂଳପତି ପ୍ରଫେସର ପଟ୍ଟନାୟକ ଧନ୍ଦାମୂଳକ ଶିକ୍ଷାରେ ଦକ୍ଷତା ବିକାଶର ଭୂମିକା ବିଷୟରେ ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ। ସର୍ବଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଗବେଷଣା ସହାୟିକା ସ୍ମିତାରେଖା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ପାରଳାଖେମୁଣ୍ଡି ଠାରେ ଉଦଘାଟନୀ ଅଧିବେଶନ ରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ଯୋଗଦେଇଥିଲେ।