ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ କର୍ମଶାଳା ଆୟୋଜିତ  

ଭୁବନେଶ୍ବର: ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ବନବିଭାଗ ମୁଖ୍ୟ କାର୍ୟ୍ୟାଳୟ, ଅରଣ୍ୟଭବନର ସମ୍ମିଳନୀ କକ୍ଷଠାରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ ବାଉଁଶ ଚାଷକୁ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ବାଉଁଶ ଉଦ୍ୟୋଗୀ, ବାଉଁଶ ଶିଳ୍ପୀ, ବାଉଁଶ କାରିଗର ତଥା ବାଉଁଶ ଚାଷୀମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ସୁରେଶ ପନ୍ଥ ଏହି କର୍ମଶାଳାକୁ ଉଦ୍‌ଘାଟନ କରି କହିଲେ ଯେ ଉତ୍ପାଦକମାନଙ୍କୁ ଗ୍ରାହକଙ୍କ ସହିତ ସୁଗମ ଭାବରେ ସଂଯୋଗ କରିବା ଏହି କର୍ମଶାଳାର ଲକ୍ଷ୍ୟ। ବାଉଁଶ ଉତ୍ପାଦଗୁଡିକ ପାଇଁ ଉନ୍ନତ ବଜାର ସୃଷ୍ଟି ଏବଂ ଲାଭଦାୟକତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ।

ଉକ୍ତ କର୍ମଶାଳାରେ ଜି. ରାଜେଶ ‌, ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ, କାମ୍ପା, ସ୍ୱୟମ୍‌ ମଲ୍ଲିକ, ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କାର୍ତ୍ତିକ ଭି ଯୋଗ ଦେଇଥିଲେ। ଏହି କର୍ମଶାଳାରେ ସର୍ବମୋଟ ୩୪ ଗୋଟି ସଂସ୍ଥା ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କିଛି କାରିଗର ବାଉଁଶ ଉତ୍ପାଦିତ ଜିନିଷଗୁଡ଼ିକ ସେଠାରେ ପ୍ରଦର୍ଶନ କରିଥିଲେ। ଏକ ମୂଲ୍ୟ ଶୃଙ୍ଖଳିତ ବ୍ୟବସ୍ଥା ସୃଷ୍ଟି କରିବା ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ବାଉଁଶ ଶିଳ୍ପରେ ସହଯୋଗ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଅଂଶୀଦାରଙ୍କୁ ଏକକ ମଞ୍ଚରେ ସମ୍ମିଳିତ କରିବା ଉପରେ ଆଲୋଚନା କରିଥିଲେ। ବାଉଁଶ କ୍ଷେତ୍ରକୁ ଆଗକୁ ନେବା ପାଇଁ ଅଂଶୀଦାରମାନଙ୍କର ଦୃଷ୍ଟିକୋଣ ଏବଂ ସୁଚିନ୍ତିତ ମତାମତ ପ୍ରକାଶ କରିବା ପାଇଁ ମୂଲ୍ୟବାନ ସୁଯୋଗ ପ୍ରଦାନ କରାଯାଇଥିଲା। ମୁଖ୍ୟ ଆକର୍ଷଣଗୁଡ଼ିକ ମଧ୍ୟରେ ନୂତନ ବଜାର ସୁଯୋଗ, ଅନୁସନ୍ଧାନ, ଉତ୍ପାଦ ଗୁଣବତ୍ତା ବୃଦ୍ଧି ଏବଂ ବାଉଁଶକୁ ଉପଯୋଗ କରି କିପରି ପରିବେଶକୁ ଅଙ୍ଗାରକାମ୍ଳ ମୁକ୍ତ କରାଯାଇ ପାରିବ ଇତ୍ୟାଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା। ଏହି କାର୍ୟ୍ୟକ୍ରମ ବାଉଁଶ କ୍ଷେତ୍ରର ବିକାଶ ପାଇଁ ଏକାଠି କାମ କରିବା, ସଂପୃକ୍ତ ସମସ୍ତ ଅଂଶୀଦାରଙ୍କ ସାମୁହିକ ବିଶେଷଜ୍ଞତା ଏବଂ ସମ୍ବଳକୁ ଉପଯୋଗ କରିବା ପାଇଁ ଏକ ନୂତନ ପ୍ରତିବଦ୍ଧତା ସହିତ ଶେଷ ହୋଇଥିଲା। ଶେଷରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ଉପ ସଂଯୋଜିକା କିରଣବାଳା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କୁ ବାଉଁଶ ଚାଷର ଉନ୍ନତି ନିମନ୍ତେ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *