OTET-2025 ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଛଅ ଜଣ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡିଶା ଆନୁକୁଲ୍ଯରେ ଆୟୋଜିତ ହେବାକୁ ଥିବା  OTET-2025 ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ କରିଛି  କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି, କ୍ରାଇମବ୍ରାଞ୍ଚ, ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମାଧ୍ଯମିକ ଶିକ୍ଷା ପରିଷଦର ଡାଟା ଏଣ୍ଟ୍ରି ଅପରେଟର (୧) ଜିତନ ମହାରଣା ,କଛାପଡା, ସିମୁଳିଆ, ବାଲେଶ୍ଵର (୨) ବିଜୟ କୁମାର ମିଶ୍ର, ରାଜ୍ୟ ପୂର୍ବତନ କ୍ୟାଡର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି, କୋମାସାହି, ଆମ୍ବୋଡିଆ, ରାୟଗଡା (୩) ସନାତନ ବିଶୋୟୀ, କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର ଶିକ୍ଷକ ସଂଘର ସଭାପତି, ସାଗରଗୁଡା, କୁନ୍ଦ୍ରା, କୋରାପୁଟ, (୪) ରାମଜୀ ପ୍ରସାଦ ଗୁପ୍ତା, ନାରାୟଣ ଲେନ, ଗୁପ୍ତା ନିବାସ, ବାଦାମବାଡି, କଟକ (୫) ଅଜୟ କୁମାର ସାହୁ, ଲିଙ୍ଗିପାଲି କେଶବନଗର (ପଞ୍ଚମ ଲେନ), ବିଦ୍ୟାଧରପୁର, ଗଞ୍ଜାମ (୬) ଜୟନ୍ତ କୁମାର ରାଉତ, ଜୁକାନନ୍ଦୀ, ରୂପସା, ବାଲେଶ୍ଵର।

ପୋଲିସ ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍ ଏବଂ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସମେତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଛି। ଏହା ସହ  ଅଭିଯୁକ୍ତ ଜିତନ୍ ମହାରଣାଙ୍କ ଆକାଉଣ୍ଟକୁ ୨,୫୦,୦୦୦ ଟଙ୍କା  ଫୋନ ପେ ମାଧ୍ୟମରେ ଆର୍ଥିକ କାରବାର ହୋଇଥିବା ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସମସ୍ତ ଅଭିଯୁକ୍ତଙ୍କ ଆକାଉଣ୍ଟ ବର୍ତ୍ତମାନ ଯାଞ୍ଚ କରାଯାଉଛି ଏବଂ ତଦନ୍ତ ଜାରି ରହିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି DGP ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି (କ୍ରାଇମବ୍ରାଞ୍ଚ) ବାତୁଳା ଗଙ୍ଗାଧର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *