ମୟୂରଭଞ୍ଜରେ ୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପ ଉଦ୍ଘାଟିତ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ମୟୂରଭଞ୍ଜ ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ
ଭୁବନେଶ୍ୱର/ବିଶୋଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ +୨ ମହାବିଦ୍ୟାଳୟ ସ୍ଥାପନ ଓ ବିଶୋଇ ସ୍ଥିତ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାମରେ ନାମିତ କରିବା ଏବଂ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରେ ୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ବିଶୋଇ ମିନିଷ୍ଟାଡିଅମ ଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୟୂରଭଞ୍ଜ ଜିଲ୍ଲାର ବିକାଶ ଯାତ୍ରାରେ ଏସବୁ ପ୍ରକଳ୍ପ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଲା। ଏହି ସମସ୍ତ ପ୍ରକଳ୍ପ ରାଇରଙ୍ଗପୁର, କୁସୁମି, ବିଜାତଳା, ବହଳଦା, ଜାମ୍ଦା, ତିରିଂ ଅଞ୍ଚଳରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ବ୍ୟାଙ୍କ ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ଆଦିବାସୀ ସଂସ୍କୃତି ଭବନ ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶାରେ ଶିଳ୍ପାୟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବା ପାଇଁ ଯାଉଛି। ଆମ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି। ଉତ୍କର୍ଷ ଓଡ଼ିଶାର ଅପାର ସଫଳତା ଆମ ପାଇଁ ଏହି ନୂଆ ସୁଯୋଗ ଆଣିଛି। ସମଗ୍ର ଓଡ଼ିଶାରେ ବ୍ୟାପକ ଶିଳ୍ପାୟନର ସମ୍ଭାବନା ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଆଗାମୀ ଦିନରେ ଅନେକ ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବ । ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ। ଏହି ଶିଳ୍ପାୟନ ଜିଲ୍ଲାର ବିକାଶକୁ ଦ୍ୱିଗୁଣିତ କରିବା ସହିତ ଜିଲ୍ଲାବାସୀଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ବ୍ୟାପକ ସୁଯୋଗ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *