ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ୍, ଡିଜେଲ, ରନ୍ଧନ ଗ୍ୟାସ (ଏଲପିଜି) ସାମଗ୍ରୀର ଉପଲବ୍ଧତା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଆଜି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହିତ ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ (ଷ୍ଟେଟ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ) ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେଇ ସଂପ୍ରତି ପ୍ରତିକୂଳ ସ୍ଥିତିସତ୍ତ୍ୱେ ରାଜ୍ୟରେ ପେଟ୍ରୋଲ, ଡିଜେଲ ଏଲପିଜି ଯୋଗାଣ ସ୍ୱାଭାବିକ ରହିଥିବା ସୂଚନା ଦେଇଛନ୍ତି। ଏହି ବୈଠକରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ସମେତ ବିଭିନ୍ନ ତୈଳ ମାର୍କେଟିଂ କମ୍ପାନୀର କର୍ତ୍ତୃପକ୍ଷମାନେ ଯୋଗଦେଇ ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ, ଡିଜେଲ ପରିମାଣ ମହଜୁଦ ସ୍ଥିତି ଦର୍ଶାଇଥିଲେ।
ପେଟ୍ରୋଲ ପମ୍ପଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଏବଂ କେତେକ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ଖାଲି ହୋଇଯାଇଥିବା ଜାଣିବା ପରେ ତୈଳ କମ୍ପାନୀଗୁଡିକର ସମନ୍ୱିତ ପ୍ରତିକାରାତ୍ମକ ପରିଚାଳନାରେ ସମସ୍ୟାର ସମାଧାନ କରାଯାଇଛି। ଘରୋଇ ଏଲ୍.ପି.ଜି ବଣ୍ଟନକୁ ଅଗ୍ରାଧିକାର ଦିଆଯାଇ ସହରାଞ୍ଚଳରେ ୨୧ରୁ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନ ଭିତରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି। ଏହାବ୍ୟତୀତ ଜିଲ୍ଲାୱାରୀ ପି.ଏନ୍.ଜି ବ୍ୟବହାରକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଲପିଜିରୁ ପିଏନଜିକୁ ପରିବର୍ତ୍ତନ କରିବା ପାଇଁ ସରକାରୀ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ପରାମର୍ଶ ଜାରି କରାଯାଇଛି। ସିଟି ଗ୍ୟାସ ବିତରଣ ନେଟଓ୍ୱାର୍କ ସଂପ୍ରସାରଣ ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ୩୮୬୮୧ ସଂଖ୍ୟକ ୫ କେଜି ବିଶିଷ୍ଟ ଫ୍ରି ଟ୍ରେଡ୍ ଏଲପିଜି ସିଲିଣ୍ଡର ପ୍ରବାସୀ ଏବଂ ଛାତ୍ରଛାତ୍ରୀନଙ୍କୁ ସେମାନଙ୍କର ପରିଚୟ ପ୍ରମାଣପତ୍ର ଦେଖି ବଣ୍ଟନ କରାଯାଇଛି।
ବେଆଇନ୍ ମହଜୁଦକାରୀ, କଳାବଜାରୀ ଏବଂ ଅନ୍ୟତ୍ର ଚୋରାଚାଲାଣ ପ୍ରତି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୭୬୬୨ ଟି ସିଲିଣ୍ଡର ଜବତ କରାଯାଇଥିଲା। ଜବତ କରାଯାଇଥିବା ସିଲିଣ୍ଡରଗୁଡିକ ଅଏଲ୍ ମାର୍କେଟିଂ କମ୍ପାନୀଗୁଡିକୁ ହସ୍ତାନ୍ତର କରାଯାଇ ଯୋଗାଣ ଶୃଙ୍ଖଳପ୍ରକ୍ରିୟାରେ ସେଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ପୂର୍ବକ ୮ ଜଣଙ୍କୁ ଗିରଫ କରାଯାଇ ଆଇନ୍ ଅନୁସାରେ ପଦକ୍ଷେପ ନିଆଯାଇଛି।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ନିୟମିତ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି। ତଦାରଖକୁ ଅଧିକ ପ୍ରଭାବୀ କରିବା ସହ ବେଆଇନ ମହଜୁଦକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆମ୍ବୁଲାନ୍ସ, ପୋଲିସ ଓ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂରକ୍ଷଣ (ରିଜର୍ଭ ଷ୍ଟକ୍) ରଖାଯିବାକୁ ପରାମର୍ଶ ଦିଆଯାଇଛି।
ବୈଠକ ପରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅନୁରୋଧ କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିଭିନ୍ନ ତୈଳ କମ୍ପାନୀମାନଙ୍କ ଠାରୁ ପ୍ରାପ୍ତ ଅନୁସାରେ ବର୍ତ୍ତମାନର ସ୍ଥିତି ଅନୁସାରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ନିଅଣ୍ଟିଆ ନାହିଁ। ଅଯଥାରେ ଭିଡ୍ ନକରି, ଅନାବଶ୍ୟକ ଭାବେ ଅଧିକ ମହଜୁଦ ନ ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ସାଧାରଣ ଭାବରେ ଯାଇ ପେଟ୍ରୋଲ, ଡିଜେଲ ଭରିବାକୁ ସେ କହିଛନ୍ତି। ତଦନୁସାରେ ଜିଲ୍ଲାପାଳମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରାଯାଉଛି ଏବଂ ଯୋଗାଣ ବିଭାଗ ତରଫରୁ ଏହା ନିୟମିତ ନିରୀକ୍ଷଣ କରାଯାଉଛି। ତୈଳ ମାର୍କେଟିଂ କମ୍ପାନୀମାନଙ୍କୁ ମଧ୍ୟ ଭଲଭାବେ ତଦାରଖ କରିବାକୁ କୁହାଯାଇଛି। ଜିଲ୍ଲାପାଳମାନେ ତନଖି କରିବା ସହ କୌଣସି ଯାଗାରେ ତ୍ରୁଟି ପରିଲ୍ଲଖିତ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସଂପ୍ରତି ପଶ୍ଚିମ ଏସିଆ ସଂକଟଜନକ ସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲ, ଡିଜେଲ୍ ଆଦିର ମହଜୁଦ ପରିମାଣ, ପାଇପ୍ ଲାଇନ୍ ଏବଂ ତୈଳ ବିଶୋଧନାଗାର ଉପରେ ନିୟମିତ ନଜର ରଖାଯାଇ ପରିସ୍ଥିତିର ପରିଚାଳନା କରାଯାଉଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ। ବୈଠକରେ ରାଜ୍ୟ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ୍ ର ସଦସ୍ୟ ଥିବା ବିଭିନ୍ନ ବିଭାଗର ସଚିବ ଏବଂ ତୈଳ ମାର୍କେଟିଂ ଗ୍ରୁପ୍ ର କର୍ତ୍ତୃପକ୍ଷ ତଥା ଅଧିକାରୀମାନେ ଉପସ୍ଥିତ ଥିଲେ।
