ଓଡ଼ିଶାରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶାରେ ଏକ ସୁଦୃଢ଼, ସ୍ଥାୟୀ ଓ ଆତ୍ମନିର୍ଭର ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ଗଠନ ଲକ୍ଷ୍ୟରେ ଗୁଜରାଟର ସାନନ୍ଦସ୍ଥିତ ସିଜି ସେମି ସେମିକଣ୍ଡକ୍ଟର ଫ୍ୟାସିଲିଟି ପରିଦର୍ଶନ କରିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ  ଡ଼ ମୁକେଶ ମହାଲିଙ୍ଗ। ମନ୍ତ୍ରୀ ଏହି ଅବସରରେ ଫ୍ୟାସିଲିଟିର ବିଭିନ୍ନ ବ୍ୟବସ୍ଥା ଓ କାର୍ଯ୍ୟପ୍ରଣାଳୀକୁ ନିକଟରୁ ଅନୁଧ୍ୟାନ କରିବା ସହ ସିଜି ସେମିର ଫ୍ୟାସିଲିଟିର  ନେତୃବୃନ୍ଦ ଓ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଶିଳ୍ପ, ମାନବ ସମ୍ବଳ, ଯୋଗାଣ ଶୃଙ୍ଖଳ, ଦକ୍ଷତା ବିକାଶ ଓ ଶିଳ୍ପ-ସରକାର ସମନ୍ୱୟ ସମ୍ପର୍କରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।

ସାନନ୍ଦରେ ବିକଶିତ ହେଉଥିବା ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ର ଅଭିଜ୍ଞତା ଓ ଶିକ୍ଷାକୁ ଓଡ଼ିଶାର ପରିପ୍ରେକ୍ଷୀରେ ଅନୁପ୍ରୟୋଗ କରି ରାଜ୍ୟରେ ଏକ ସ୍ଥିର  ସେମିକଣ୍ଡକ୍ଟର ଇକୋସିଷ୍ଟମ ଗଠନ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏହା ମାଧ୍ୟମରେ ଓଡ଼ିଶାକୁ ଭାରତର ଉଦୀୟମାନ ସେମିକଣ୍ଡକ୍ଟର ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବାର ଦିଗରେ ନୂଆ ସୁଯୋଗ ସୃଷ୍ଟି ହେବ। ଓଡ଼ିଶାରେ ଉଚ୍ଚ ପ୍ରଯୁକ୍ତି ଓ ଭବିଷ୍ୟତମୁଖୀ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ। ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ, ରୋଜଗାର ଓ ଦକ୍ଷତା ବିକାଶର ନୂଆ ସୁଯୋଗ ସୃଷ୍ଟି ସହ ଓଡ଼ିଶାକୁ ଏକ ଶକ୍ତିଶାଳୀ ଓ ପ୍ରତିସ୍ପର୍ଦ୍ଧୀ ସେମିକଣ୍ଡକ୍ଟର ହବ୍‌ ଭାବେ ଗଢ଼ି ତୋଳିବା ଦିଗରେ ଏହି ପଦକ୍ଷେପ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।

ସେହିପରି  କେନ୍ସ ସିଲିକନ୍ ସେମିକଣ୍ଡକ୍ଟର ପରିଦର୍ଶନ କରି ପରୀକ୍ଷଣ ଠାରୁ ଆରମ୍ଭ କରି ଡାଇସିଂ ପର୍ଯ୍ୟନ୍ତ ଲେଜର ମାର୍କିଂ, ପ୍ଲେଟିଂ ଏବଂ ଚିପ୍ସର ପ୍ୟାକେଜିଂ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ୟାକେଜିଂ ପ୍ରକ୍ରିୟା ବୁଲି ଦେଖିଛନ୍ତି। ଏହା ସହ ରାଜ୍ୟରେ ସମାନ ଇକୋସିଷ୍ଟମ ବିକଶିତ କରିବାର ଲକ୍ଷ୍ୟରେ ମାଇକ୍ରୋନ ସେମିକଣ୍ଡକ୍ଟର ପରିଦର୍ଶନ କରିବା ସହ ଏବଂ ବ୍ୟାପକ ସେମିକଣ୍ଡକ୍ଟର ଇକୋସିଷ୍ଟମ ଉପରେ ଆଲୋଚନା କଋଛନ୍ତି।

ଏହି ପରିଦର୍ଶନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ ଚେୟାରମ୍ୟାନ ଭାସ୍କର ଜ୍ୟୋତି ଶର୍ମା, ଓକାକ ସିଇଓ ଡ଼. ପ୍ରଦୀପ କୁମାର ରାଉତ, ଯୁଗ୍ମ ସଚିବ କୌସ୍ତୁଭ ପାଣିଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *