ଓଡ଼ିଶା ଅର୍ବାନ ଏକାଡେମୀର ଅତ୍ୟାଧୁନିକ ହଷ୍ଟେଲ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ଶାସନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଭୁବନେଶ୍ୱରର ବାସୁଆଘାଇଠାରେ ଓଡ଼ିଶା ଅର୍ବାନ ଏକାଡେମୀ (OUA)ର ଏକ ଅତ୍ୟାଧୁନିକ  ହଷ୍ଟେଲକୁ ଗୃହନିର୍ମାଣ , ନଗର ଉନ୍ନୟନ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଆଜି କେବଳ କୋଠାବାଡ଼ି ନିର୍ମାଣ ନୁହେଁ, ବରଂ ସହରାଞ୍ଚଳକୁ ସମୃଦ୍ଧ ଓ ସୁବ୍ୟବସ୍ଥିତ କରିବା ପାଇଁ ମାନବ ସମ୍ବଳର ଦକ୍ଷତା ବୃଦ୍ଧି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସହରଗୁଡ଼ିକୁ ସୁବ୍ୟବସ୍ଥିତ, ସବୁଜ ଏବଂ ବାସୋପଯୋଗୀ କରିବା ପାଇଁ ବିଶେଷଜ୍ଞ, ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଓ ଗ୍ଲୋବାଲ ବେଷ୍ଟ ପ୍ରାକ୍ଟିସେସ୍ ବିଷୟରେ ଉଚ୍ଚକୋଟୀର  ପ୍ରଶିକ୍ଷଣ ପ୍ରଦାନ କରିବାରେ ଏହି ଅନୁଷ୍ଠାନ  ପ୍ରମୁଖ ଭୂମିକା ଗ୍ରହଣ କରିବ।

ପ୍ରାୟ ୯.୪୫ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ହଷ୍ଟେଲ ନିର୍ମିତ ହୋଇଛି।ଏହି ଅତ୍ୟାଧୁନିକ ହଷ୍ଟେଲ ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ ଏବଂ ଅଂଶୀଦାରମାନଙ୍କ ପାଇଁ ସୁରକ୍ଷିତ, ଆରାମଦାୟକ ଓ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା ରହିଛି। ଏଠାରେ ସୁବିଧାରେ ୨୮ଟି ସେୟାରିଂ ରୁମ୍ ରେ ୫୬ ଜଣ ବ୍ୟକ୍ତିଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି, ଯେଉଁଥିରେ ୨୪ଟି ସାଧାରଣ ଆବାସିକ କକ୍ଷ ସହିତ ୪ଟି ପ୍ରିମିୟମ୍ ବା ସ୍ପେଶାଲ ରୁମ୍ ଅଛି। ଏହାସହିତ ଏଠାରେ ଏକା ସାଙ୍ଗରେ ୪୦ ଜଣ ବସିବା ଭଳି ଏକ ସୁନ୍ଦର ଡାଇନିଂ ହଲ୍,  ସୁସଜ୍ଜିତ ମଡ୍ୟୁଲାର୍ କିଚେନ୍, ପ୍ରଶିକ୍ଷଣ ଓ କର୍ମଶାଳା ପାଇଁ ଉଦ୍ଦିଷ୍ଟ କନଫରେନ୍ସ ହଲ୍, ଜିମ୍ନାସିୟମ୍ ଏବଂ ଇନଡୋର ମନୋରଞ୍ଜନ କକ୍ଷର ସୁବିଧା ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆମ ସରକାରଙ୍କ ସବୁଜ ଏବଂ ସ୍ଥାୟୀ ବିକାଶ ଆଭିମୁଖ୍ୟକୁ ଆଗକୁ ନେଇ ଏହି ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଏୟାର-କଣ୍ଡିସନ୍ଡ ସୁବିଧାରେ ଏକ ସୌର ଶକ୍ତି  ପ୍ରଣାଳୀ ସ୍ଥାପନ କରାଯାଇଛି, ଯାହା ଏହାକୁ ଶକ୍ତି ସଞ୍ଚୟକାରୀ ଏବଂ ପରିବେଶ ଅନୁକୂଳ କରୁଛି|

ଏହି ସମାରୋହରେ  ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ| ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ, ଆମ ସରକାର ‘ସବ୍‌କା ସାଥ୍, ସବ୍‌କା ବିକାଶ,  ମନ୍ତ୍ରକୁ ଆଧାର କରି ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛନ୍ତି। ସହରର ପ୍ରତିଟି ବର୍ଗର ଲୋକଙ୍କ ପାଖରେ ଉନ୍ନତିମୂଳକ ସେବା ପହଞ୍ଚାଇବା ଏବଂ ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏହି ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର ଓ ହଷ୍ଟେଲ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ  କହିଛନ୍ତି ଯେ, ଓଡ଼ିଶା ଅର୍ବାନ୍ ଏକାଡେମୀ ସହରୀ ଶିକ୍ଷା, ନବସୃଜନ ଏବଂ  ବିକାଶ ପାଇଁ ଏକ ପ୍ରମୁଖ ପାରଦର୍ଶିତା କେନ୍ଦ୍ର ଭାବେ ଗଢ଼ି ଉଠୁଛି। ଏହି ସମାରୋହରେ ଓଡ଼ିଶା ଅର୍ବାନ୍ ଏକାଡେମୀର ବାର୍ଷିକ ପ୍ରଶିକ୍ଷଣ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚିତ ହୋଇଛି, ଏହି ସମାରୋହରେ ବିଭାଗର  ଅଧିକାରୀ ଓ ଓଡ଼ିଶା ଅର୍ବାନ ଏକାଡେମୀର କର୍ମକର୍ତ୍ତା  ଉପସ୍ଥିତ ଥିଲେ|

Leave a Reply

Your email address will not be published. Required fields are marked *