ଭୁବନେଶ୍ୱର: ଓଡ଼ିଶା ସରକାର ଶିଳ୍ପ ଉନ୍ନୟନ, କୌଶଳ ବିକାଶ, ପର୍ଯ୍ୟଟନ, ସଂସ୍କୃତି, ଯୁବ ବିନିମୟ ଏବଂ ଜନସାଧାରଣଙ୍କ ସହ ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ପ୍ରିଫେକ୍ଚର (ରାଜ୍ୟ) ମଧ୍ୟରେ ଏକ ଔପଚାରିକ ମୈତ୍ରୀ ଚୁକ୍ତି ସ୍ଥାପନ ପାଇଁ ଜାପାନ ସରକାର ସହ ଆଲୋଚନାକୁ ଆଗକୁ ବଢ଼ାଉଛନ୍ତି। ସମ୍ପ୍ରତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କୋଲକାତାସ୍ଥିତ ଜାପାନର କନସୁଲ ଜେନେରାଲ (ମହା ବାଣିଜ୍ୟ ଦୂତ)ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ପରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଜାପାନର କନସୁଲ ଜେନେରାଲ ଇଶିକାୱା ୟୋଶିହିସାଙ୍କ ମଧ୍ୟରେ ଏକ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ରାଜ୍ୟ ମଧ୍ୟରେ ସମ୍ଭାବ୍ୟ ସହଯୋଗ ନେଇ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ଓଡ଼ିଶା ରାଜ୍ୟ ଗୃହ, ଶିଳ୍ପ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତଥିଲେ।
ବୈଠକରେ ଓଡ଼ିଶା ଏବଂ ତୋତ୍ତୋରି ପ୍ରିଫେକ୍ଚର ମଧ୍ୟରେ ପ୍ରସ୍ତାବିତ ମୈତ୍ରୀ ଚୁକ୍ତି ଉପରେ ଆଲୋଚନା ସହ ପରସ୍ପର ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷୀୟ ସହଯୋଗକୁ ଆହୁରି ସୁଦୃଢ କରିବାର ସୁଯୋଗ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଚୁକ୍ତିର ପ୍ରସ୍ତାବିତ ଖସଡ଼ା ଢାଞ୍ଚାରେ ଅର୍ଥନୀତି ଓ ଶିଳ୍ପ, ପର୍ଯ୍ୟଟନ ପ୍ରୋତ୍ସାହନ, ଯୁବ ଏବଂ ଛାତ୍ର ବିନିମୟ, କର୍ମଚାରୀ ବିନିମୟ, ସଂସ୍କୃତି ଏବଂ ପରିବେଶ ଭଳି କ୍ଷେତ୍ରରେ ସହଯୋଗକୁ ସାମିଲ କରାଯାଇଛି।
ସହଭାଗିତା ସମ୍ପର୍କିତ ପ୍ରକ୍ରିୟା ଏବଂ ସମୟସୀମାକୁ ଚୂଡ଼ାନ୍ତ କରିବା ପାଇଁ ଓଡ଼ିଶା ସରକାର, ଟୋକିଓସ୍ଥିତ ଭାରତୀୟ ଦୂତାବାସ ଏବଂ ତୋତ୍ତୋରି ପ୍ରିଫେକ୍ଚର ସରକାରଙ୍କ ସମ୍ମିଳିତ ସମନ୍ୱୟ ବୈଠକ ଆୟୋଜନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଓଡ଼ିଶାର ବିକାଶଶୀଳ ଶିଳ୍ପ ପରିବେଶ ଏବଂ ଉନ୍ନତ ଉତ୍ପାଦନ, କୌଶଳ ବିକାଶ, ପର୍ଯ୍ୟଟନ ଓ ସାଂସ୍କୃତିକ ବିନିମୟ ଭଳି କ୍ଷେତ୍ରରେ ଉଦୟମାନ ସୁଯୋଗଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଉଭୟ ପକ୍ଷ ଜାପାନୀ ଭାଷା ପ୍ରଶିକ୍ଷଣ,ଦୁଇ ଦେଶ ମଧ୍ୟରେ ଛାତ୍ର ଏବଂ ଅଧ୍ୟାପକ ବିନିମୟ, ବୌଦ୍ଧ ପର୍ଯ୍ୟଟନ ସର୍କିଟକୁ କେନ୍ଦ୍ରକରି ଓଡ଼ିଶାର ପର୍ଯ୍ୟଟନ ପ୍ରୋତ୍ସାହନ, କ୍ରୀଡ଼ା ସହଯୋଗ ଏବଂ ଶିଳ୍ପ ସମ୍ପର୍କ ସୁଦୃଢ କରିବାର ସମ୍ଭାବନା ନେଇ ମଧ୍ୟ ଆଲୋଚନା କରିଥିଲେ।
