ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା (OSSR&TI) ପକ୍ଷରୁ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା (OSSR&TI) ପକ୍ଷରୁ “ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା”ବିଷୟ ଉପରେ ପ୍ରଥମ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୯ ଜୁନ ୨୦୨୬ ଠାରୁ ୨୩ ଜୁନ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେଉଛି ।  ଏହି ସଂସ୍ଥାର ଅତ୍ୟାଧୁନିକ ପ୍ରଶିକ୍ଷଣ ଭବନ “ରେଶା ଭବନ” ର ଉଦ୍‌ଘାଟନ ଗତ ୨୪ ଫେବୃଆରୀ ୨୦୨୬ ତାରିଖରେ ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ ଆୟୋଜିତ ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳା ଅବସରରେ କରାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯକ୍ରମର ଉଦଘାଟନରେ  ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଥମ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ  ଉଲ୍ଲେଖ କରିଥିଲେ ଯେ ରେଶମ ଚାଷ ଏକ ବର୍ଷବ୍ୟାପୀ ଜୀବିକାମୂଳକ କାର୍ଯ୍ୟକଳାପ, ଯାହା ଚାଷୀମାନଙ୍କୁ ଲାଭଜନକ ଆୟ ପ୍ରଦାନ କରିଥାଏ। ଓଡ଼ିଶାରେ ପ୍ରାୟ ୧୫,୦୦୦ ପାରମ୍ପରିକ ପରିବାର ପ୍ରାୟ ୧ ଲକ୍ଷ ଲୋକ ସକ୍ରିୟ ଭାବେ ରେଶମ ଚାଷ କରୁଛନ୍ତି।

ଭାରତରେ ଚାରି ପ୍ରକାର ରେଶମ—ମଲବେରି (Mulberry), ଟସର (Tasar), ଏରି (Eri) ଏବଂ ମୁଗା (Muga) ଚାଷ କରାଯାଏ। ଏହି ଚାରି ପ୍ରକାର ରେଶମ ସେମାନଙ୍କର ଖାଦ୍ୟ ଉଦ୍ଭିଦ, ଜୀବନଚକ୍ରର ଅବଧି, କୋକୁନ ଓ ସୂତାର ଗୁଣବତ୍ତା, ଯଥା ଆକାର, ଓଜନ, ଗଠନ, ରଙ୍ଗ ଓ ଦୃଢତା ଆଦି ଦିଗରେ ପରସ୍ପରଠାରୁ ଭିନ୍ନ ଅଟନ୍ତି।ଓଡ଼ିଶାରେ ଟସର ଚାଷ ଏକ ପୁରାତନ ଓ ପାରମ୍ପରିକ କୃଷି କାର୍ଯ୍ୟକଳାପ। ରାଜ୍ୟର ୧୪ଟି ପାହାଡ଼ିଆ ଜିଲ୍ଲା—ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରରେ ୪୬ହଜାର ୮୨୮ରୁ ଅଧିକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାର ଟସର ଚାଷ ସହ ଜଡ଼ିତ ଅଛନ୍ତି। ପ୍ରତିବର୍ଷ ୫୦,୦୦୦ରୁ ଅଧିକ ଟସର କୋକୁନ ଉତ୍ପାଦନ ହେଉଥିବା ବେଳେ ଆଦିବାସୀ ଚାଷୀମାନେ ଅତ୍ୟଳ୍ପ ବିହନ ନିବେଶରେ ପ୍ରାୟ ୬ କୋଟି ଟଙ୍କା ଆୟ କରୁଛନ୍ତି।  ଏରି ଚାଷ ପାରମ୍ପରିକ ଚାଷ। ରାଜ୍ୟର କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଜପତି, ଫୁଲବାଣୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏରି ଚାଷ ପ୍ରଚଳିତ ଅଛି।  ପ୍ରାୟ ହଜାର ଏକର ଜମିରେ ଏରି ଚାଷ କରାଯାଉଥିବା ବେଳେ ୨ହଜାର  ଜଣ ହିତାଧିକାରୀ ଏଥିରୁ ଉପକୃତ ହେଉଛନ୍ତି। ପ୍ରତିବର୍ଷ ପ୍ରାୟ ୭ ମେଟ୍ରିକ ଟନ୍ ଏରି କୋକୁନ ଉତ୍ପାଦିତ ହୋଇଥାଏ, ଯାହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା।  ମଲବେରି ରେଶମ ଚାଷ ଓଡ଼ିଶା ପାଇଁ ଏକ ପାରମ୍ପରିକ କୃଷି କାର୍ଯ୍ୟକଳାପ। ଏହା ଗଜପତି, ରାୟଗଡ଼ା, କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ସୋନପୁର, ଦେବଗଡ଼, ସମ୍ବଲପୁର, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ସହିତ ୧୨ଟି ଜିଲ୍ଲାରେ ଚାଷ କରାଯାଉଛି। ପ୍ରତିବର୍ଷ ହାରାହାରି ୪୦ହଜାର  କିଲୋଗ୍ରାମ ମଲବେରି କୋକୁନ ଉତ୍ପାଦନ ହେଉଥିବା ବେଳେ ପ୍ରାୟ ଏକ ହଜାର  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଚାଷୀ ଏଥିରୁ ବାର୍ଷିକ ପ୍ରାୟ ୫୦ ଲକ୍ଷ ଟଙ୍କା ଆୟ କରୁଛନ୍ତି। ଓଡ଼ିଶା ସରକାରଙ୍କ ବଖୁମୁଖୀ ପ୍ରଚେଷ୍ଟାକୁ ଉଲ୍ଲେଖ କରି ବିଭାଗର ଶାସନ ସଚିବ ରେଶମଚାଷୀ ଭାଇ ଓ ଭଉଣୀଙ୍କ ଉନ୍ନତି ନିମନ୍ତେ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ସମ୍ପର୍କରେ ଅବଗତ କରିଥିଲେ। ଆଗାମୀ ଦିନରେ କୋକୁନ ରିଅରିଂ ପାଇଁ ସେରିସେଡର ବ୍ୟବସ୍ଥା କରାଯିବ ସହ ରେଶମ ଚାଷୀଙ୍କ ବୀମାନିମନ୍ତେ ଚେଷ୍ଟା ଜାରିରହିଛି। ସେହିପରି ମହିଳାରେଶମ ଚାଷୀଙ୍କ ନିମନ୍ତେ  ସ୍ଵତନ୍ତ୍ର ହଷ୍ଟେଲର ବ୍ୟବସ୍ଥା କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଚେଷ୍ଟା କରାଯାଉଛି।  କେନ୍ଦୁଝରର ଭାଗମୁଣ୍ଡାରେ spinning unitର ପୁନରୁଦ୍ଧାର ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ସିଲ୍କ ବୋର୍ଡ ଦ୍ବାରା ଆୟୋଜିତ ରେଶମ ରିଭିଉ ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେ ଚାଷୀଭାଇ ଓ ଭଉଣୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।   ସେହିପରି ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ସୋମେଶ କୁମାର ଉପଧ୍ୟାୟ ଉଲ୍ଲେଖ କରିଥିଲେଯେ ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଅଧୀନରେ ଆଗାମୀ ୫ ବର୍ଷରେ ସରକାର ୨୭୪ କୋଟି ଟଙ୍କା ବିନିଯୋଗ କରି ଏହି ଚାରି ପ୍ରକାର ରେଶମର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗୋଟିଏ  ବର୍ଷ ମଧ୍ୟରେ ୧୧ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ୧୬୫ଜଣଙ୍କୁ  ମାତୃଭାଷାରେ ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ରକ୍ଷା ଯାଇଛି । ଏହି ଅବସରରେ ଏକ audio visual  presentation ରଖା ଯାଇଥିଲା ଯେଉଁଥିରେ କରୁଣା ସିଲ୍କ୍ , ପୁରୀର ଅମ୍ଳାନ କରୁଣା ସିଲ୍କ୍ ବସ୍ତ୍ରାଳୟ , କେନ୍ଦୁଝରର ଟସର ସିଲ୍କ୍ ପାର୍କ ବିଷୟରେ ଦର୍ଶାଯାଇଥିଲା। ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଓ ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଏକ୍ ପେଡ୍ ମା କେ ନାମ୍ ଅଧୀନରେ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଅତିଥିମାନେ ବୁଲିଦେଖିଥିଲେ , buniyad ରିଲିଙ୍ଗ ଯନ୍ତ୍ର , motorised spinning machine ବିଷୟରେ ଅଧିକ ଆଲୋଚନା କରିଥିଲେ। ପରିଶେଷରେ ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଅତିଥିଙ୍କ ସମେତ  ୧୮ଟି ଜିଲ୍ଲାରୁ  ଆସିଥିବା ପ୍ରାଥମିକ ରେଶମ ସମବାୟ  ସମିତିର ସଭାପତି , ଉପସଭାପତି, ଅଧିକାରୀ , ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ତଥା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ  କରିଥିଲେ।

Leave a Reply

Your email address will not be published. Required fields are marked *