ଗଭୀର ଅବପାତ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଲୋକସେବା ଭବନସ୍ଥିତ ରାଜସ୍ୱ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସେ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ଆକଳନ କରିବା ସହ ସମସ୍ତ ଜିଲ୍ଲା ପ୍ରଶାସନକୁ ଚବିଶ ଘଣ୍ଟିଆ ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ମନ୍ତ୍ରୀ କହିଥିଲେ ଯେ, ଜନସାଧାରଣଙ୍କ ଜୀବନର ସୁରକ୍ଷା ଆମର ସର୍ବାଧିକ ପ୍ରାଥମିକତା l ଆବଶ୍ୟକତା ଅନୁଯାୟୀ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରନ୍ଧା ଖାଦ୍ୟ, ଶୁଖିଲା ରାସନ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକ ରିଲିଫ ସାମଗ୍ରୀର ଯଥେଷ୍ଟ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମସ୍ତ ଜରୁରୀକାଳୀନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେକୌଣସି ପରିସ୍ଥିତିର ତ୍ୱରିତ ମୁକାବିଲା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାମାନଙ୍କର ଜିଲ୍ଲାପାଳ ତଥା ବରିଷ୍ଠ ପଦାଧିକାରୀବୃନ୍ଦ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗଦେଇ ନିଜ ନିଜ ଅଞ୍ଚଳର ପ୍ରସ୍ତୁତି ଓ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର ପ୍ରସ୍ତୁତିର ସମୀକ୍ଷା କରି ସମ୍ଭାବ୍ୟ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ସ୍ଥଳରେ ତୁରନ୍ତ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଷ୍ଟେଟ୍ ଇମର୍ଜେନ୍ସି ଅପରେସନ୍ ସେଣ୍ଟର (SEOC) ସମସ୍ତ ଡିଷ୍ଟ୍ରିକ୍ଟ ଇମର୍ଜେନ୍ସି ଅପରେସନ୍ ସେଣ୍ଟର (DEOCs) ଏବଂ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଚବିଶ ଘଣ୍ଟିଆ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିଛି। ଜୁଲାଇ ୧ ତାରିଖରୁ ରାଜ୍ୟରେ ମୋଟ ୫୧୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ହାର ତୁଳନାରେ ୭୫.୭ ପ୍ରତିଶତ ଅଧିକ।

ସମୀକ୍ଷା ସମୟରେ ଏହା ଆକଳନ କରାଯାଇଥିଲା ଯେ, ରାଜ୍ୟର ସମସ୍ତ ପ୍ରମୁଖ ନଦୀ ବର୍ତ୍ତମାନ ବିପଦ ସ୍ତରରୁ ତଳେ ପ୍ରବାହିତ ହେଉଛି ଏବଂ ଏପର୍ଯ୍ୟନ୍ତ କୌଣସି ଜିଲ୍ଲାରୁ ବଡ଼ ଧରଣର ବର୍ଷାଜନିତ କ୍ଷୟକ୍ଷତିର ସୂଚନା ମିଳିନାହିଁ। ରାଜ୍ୟର ସାମଗ୍ରିକ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଏହା ଉପରେ ନିରନ୍ତର ନଜର ରଖାଯାଉଛି। ସମସ୍ତ ଜିଲ୍ଲା ପ୍ରଶାସନକୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା, ସ୍ଥାନୀୟ ଜଳଜମା ଓ ଜଳବନ୍ଦୀ ସ୍ଥିତିର ତ୍ୱରିତ ମୁକାବିଲା କରିବା ସହ ଆବଶ୍ୟକ ସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳକୁ ମାଛ ଧରିବା ପାଇଁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସମୀକ୍ଷା ବୈଠକରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା, ଯୁଗ୍ମ ସ୍ୱତନ୍ତ୍ର ରିଲିଫ କମିଶନର ସ୍ନିଗ୍ଧା ଚମ୍ପତିରାୟ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ଅଧିକାରୀବୃନ୍ଦ, ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *