ଗୋଟିଏ କୋଠାରେ ହିଁ ରହିବ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ବିଭିନ୍ନ ବିଭାଗର ଆବଶ୍ୟକୀୟ କାର୍ଯ୍ୟାଳୟ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ନୂତନ ରାଜସ୍ୱ ଭବନ ଏବଂ ବିପର୍ଯ୍ୟୟ ଭବନ ନିର୍ମାଣ ନିମନ୍ତେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଏଥିସହିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ର ନୂତନ ଅତ୍ୟାଧୁନିକ ପ୍ରେକ୍ଷାଳୟ ଏବଂ ଭୁବନେଶ୍ୱରର ନୂତନ ସ୍ପେଶାଲ୍ ସର୍କିଟ୍ ହାଉସ୍ ନିର୍ମାଣ ସମ୍ପର୍କରେ ମଧ୍ଯ ସୁବିସ୍ତୃତ ଆଲୋଚନା କରାଯାଇଛିl OBCC ଏବଂ ନିର୍ମାଣ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବିତ ରୂପରେଖ ପ୍ରଦର୍ଶିତ ହୋଇଥିଲାl ଏ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରି ରାଜ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଭିତ୍ତିଭୂମି ସୁଦୃଢ଼ ହେବା ଦ୍ଵାରା ସୁଶାସନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମାନ୍ୟବର ମନ୍ତ୍ରୀ ବୈଠକରେ ମତପ୍ରକାଶ କରିଛନ୍ତି l

ସୂଚନଯୋଗ୍ୟ ଯେ, ଖୁବ୍ ଶୀଘ୍ର ଭୁବନେଶ୍ବରଠାରେ କଳ୍ପନା ଛକ ନିକଟରେ ନୂତନ ରାଜସ୍ୱ ଭବନ ନିର୍ମାଣ ଆରମ୍ଭ ହେବ l ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ସହ ଏହାର ସମ୍ପୂର୍ଣ୍ଣ ରୂପରେଖ ସମ୍ପର୍କରେ ସମୀକ୍ଷା କରାଯାଇଥିଲା l ଦଶ ମହଲା ବିଶିଷ୍ଟ ଏହି ବିଲଡିଂରେ ସମସ୍ତ ପ୍ରକାର ସୁବିଧା ସହିତ ବୋର୍ଡ଼ ଅଫ୍ ରେଭେନ୍ୟୁର କ୍ୟାମ୍ପ୍ କୋର୍ଟ୍ ଏବଂ ବିଭିନ୍ନ ରାଜସ୍ୱ ମାମଲା ଫଇସଲା କରୁଥିବା ଅଧିକାରୀଙ୍କ କୋର୍ଟ୍ ନିମନ୍ତେ ମଧ୍ଯ ବ୍ୟବସ୍ଥା ରହିବl ସେହିପରି ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ବୈଠକ ତଥା ସମ୍ମିଳନୀ ନିମନ୍ତେ ପ୍ରେକ୍ଷାଳୟ ଏବଂ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ଯ ରହିବl ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜସ୍ୱ ଭବନ ନିର୍ମାଣ ସମାପ୍ତ ନିମନ୍ତେ ମାନ୍ୟବର ମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି l

ସେହିପରି ପ୍ରସ୍ତାବିତ ବିପର୍ଯ୍ୟୟ ପରିଚାଳନା ଭବନର ସମ୍ପୂର୍ଣ୍ଣ ରୂପରେଖ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିବା ସହ ଆସନ୍ତା ଅଗଷ୍ଟ ମାସରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି l ଏଥିରେ ବିଭିନ୍ନ ମହଲାରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ସ୍ଵତନ୍ତ୍ର ସହାୟତା ଆୟୁକ୍ତ (SRC)ଙ୍କ କାର୍ଯ୍ୟାଳୟ, ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ କାର୍ଯ୍ୟାଳୟ, ରାଜ୍ୟ ଜରୁରିକାଳୀନ ପରିଚାଳନା କେନ୍ଦ୍ର (SEOC) ଏବଂ ଓଡ୍ରାଫ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟମାନ ଅବସ୍ଥାପିତ ହେବl ସେହିପରି ସମ୍ପୂର୍ଣ୍ଣ ରୂପେ ସବୁଜିମା ଆଚ୍ଛାଦିତ ହୋଇ ସମସ୍ତ ପ୍ରକାର ବିପର୍ଯ୍ୟୟ ପ୍ରତିରୋଧୀ ସହ ଭୂକମ୍ପ ପ୍ରତିରୋଧୀ ହେବ ଏହି ବିପର୍ଯ୍ୟୟ ପରିଚାଳନା ଭବନ l ଏଥିରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକମାନଙ୍କ ଖବର ସଂଗ୍ରହକୁ ଦୃଷ୍ଟିରେ ରଖି ବିଭିନ୍ନ ଆନୁସଙ୍ଗିକ ସୁବିଧା ସହ ସ୍ଵତନ୍ତ୍ର ମିଡିଆ ସେଣ୍ଟରର ବ୍ୟବସ୍ଥା ମଧ୍ଯ ହେବl ସେହିପରି ବିପର୍ଯ୍ୟୟ ପରିଚାଳନାରେ ସହଯୋଗ କରୁଥିବା ଶକ୍ତି ବିଭାଗ, ନିର୍ମାଣ ବିଭାଗ ସହ NDMA, NDRF ଏବଂ ଅନ୍ୟାନ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ ଅନୁଷ୍ଠାନ ନିମନ୍ତେ ମଧ୍ଯ ବ୍ୟବସ୍ଥା ରହିବl ନୂତନ ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷ ସହ ପୂର୍ବ ସତର୍କ ସୂଚନା ନିମନ୍ତେ ବୈଷୟିକ ଯନ୍ତ୍ରପାତି ମଧ୍ଯ ରହିବl ଆଗାମୀ ଅଠର ମାସରେ ଏହି ଭବନ ନିର୍ମାଣ ସମାପ୍ତ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛିl ଗୋଟିଏ ହିଁ ବିଲଡିଂରେ ବିଭିନ୍ନ କାର୍ଯ୍ୟାଳୟ ରହିବା ଦ୍ଵାରା ସମନ୍ଵିତ ଭାବେ ବିପର୍ଯ୍ୟୟ ପରିଚାଳନା ସୁନିଶ୍ଚିତ ହୋଇପାରିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି l

ସେହିପରି ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ଠାରେ ଅନ୍ତର୍ଜାତୀୟସ୍ତରର ଅତ୍ୟାଧୁନିକ ପ୍ରେକ୍ଷାଳୟ କମ୍ପ୍ଲେକ୍ସ୍, ନୂତନ ପ୍ରଶାସନିକ କୋଠା, ଡିଜିଟାଲ୍ ଲାଇବ୍ରେରୀ, GIS ଲ୍ୟାବ୍ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବl ଏହା ସହିତ ଭୁବନେଶ୍ୱରଠାରେ ନୂତନ ସ୍ପେଶାଲ୍ ସର୍କିଟ୍ ହାଉସ୍ ନିର୍ମାଣର ସମୀକ୍ଷା କରି ତୁରନ୍ତ ନୂତନ ସ୍ଥାନ ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିl ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ଵତନ୍ତ୍ର ସହାୟତା ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ୍, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, OBCC ଏବଂ ନିର୍ମାଣ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *