ଭୁବନେଶ୍ୱର : ସ୍ୱଚ୍ଛତା କର୍ମଚାରୀଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳରେ ୧୫ ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ‘ଆଇନଗତ ସଫେଇ, ସୁରକ୍ଷିତ ସଫେଇ’ଆରମ୍ଭ ହୋଇଛି। ଅଗଷ୍ଟ ୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ଜାତୀୟ ଗରିମା ସମ୍ମିଳନୀ ପୂର୍ବରୁ ଏକ ବ୍ୟାପକ ଜନସଚେତନତା ପଦକ୍ଷେପ।
ଗରିମା ଯୋଜନାର ମୂଳ ଉଦ୍ଦେଶ୍ୟ ସହ ସମନ୍ୱିତ ଏହି ଅଭିଯାନରେ ବିପଜ୍ଜନକ ମାନୁଆଲ୍ ସଫେଇକୁ ଦୂର କରିବା ସହ ସେପ୍ଟିକ୍ ଟ୍ୟାଙ୍କ ଓ ସ୍ୱେରେଜ୍ ସଫେଇକୁ ଆଇନସମ୍ମତ, ସୁରକ୍ଷିତ ଓ ଯାନ୍ତ୍ରିକ ପ୍ରଣାଳୀରେ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପୌରାଞ୍ଚଳ ଗୁଡ଼ିକ ପକ୍ଷରୁ ବେଆଇନ କିମ୍ବା ପଞ୍ଜୀକରଣ ହୋଇନଥିବା ସେସ୍ପୁଲ୍ ଯାନ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ସହ ସେଗୁଡ଼ିକର ବିଧିବଦ୍ଧ ପଞ୍ଜୀକରଣ ପାଇଁ ପଦକ୍ଷେପ ନିଆଯାଉଛି।
ନାଗରିକ, ହୋଟେଲ, ହସ୍ପିଟାଲ ଓ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ସେପ୍ଟିକ୍ ଟ୍ୟାଙ୍କ ଓ ସ୍ୱେରେଜ୍ ସଫେଇ ପାଇଁ କେବଳ ୟୁ ଏଲ୍ ବି ମାଧ୍ୟମରେ ସେବା ନେବାକୁ ସଚେତନ କରାଯାଉଛି। ଏଥିପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ ୧୪୪୨୦ କିମ୍ବା ULB ଦ୍ୱାରା ପଞ୍ଜୀକୃତ “ବେସରକାରୀ ସେବା ପ୍ରଦାନକାରୀ ସଂଗଠନ (PSSO)”ର ସେବା ନେବାକୁ ପରାମର୍ଶ ଦିଆଯାଉଛି। ବିପଜ୍ଜନକ ସଫେଇରେ ମାନବୀୟ ସଂସ୍ପର୍ଶକୁ ରୋକିବା ପାଇଁ ଜରୁରୀକାଳୀନ ସ୍ୱଚ୍ଛତା ପ୍ରତିକ୍ରିୟା ୟୁନିଟ୍ , ଯାନ୍ତ୍ରିକ ସଫେଇ ଉପକରଣ ଓ ପିପିଇ ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି।
ଅଭିଯାନର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ୟୁଏଲବି ଗୁଡିକୁ ଆବଶ୍ୟକ ଆର୍ଥ ପ୍ରଦାନ କରାଯାଇଛିI ଅଭିଯାନରେ ସ୍ୱଚ୍ଛ ସାଥୀ ଓ ୱାର୍ଡ ଅଧିକାରୀଙ୍କ ଘରକୁ ଘର ସଚେତନତା, ୧୪୪୨୦ ହେଲ୍ପଲାଇନ୍ ସମ୍ବଳିତ ୱାଲ୍ ଷ୍ଟିକର୍ ବଣ୍ଟନ, ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଯାନ ମାଧ୍ୟମରେ ଅଡିଓ ପ୍ରଚାର, ହୋର୍ଡିଂ ଓ କାନ୍ଥ ଚିତ୍ର, PSSOମାନଙ୍କ ସଚେତନତା ବୈଠକ, ଗରିମା ବ୍ରାଣ୍ଡିଂ, ସାମାଜିକ ଗଣମାଧ୍ୟମରେ CSWମାନଙ୍କ ବାର୍ତ୍ତା, କମ୍ୟୁନିଟି ରେଡିଓ, ଯୁବ ସଚେତନତା ରାଲି ଓ ୱାର୍ଡସ୍ତରୀୟ ଶପଥ ଗ୍ରହଣ ଆଦି କାର୍ଯ୍ୟକ୍ରମ ସାମିଲ ରହିଛି।
ଅଭିଯାନର ଶେଷ ପର୍ଯ୍ୟାୟରେ ସମସ୍ତ ପୌରାଞ୍ଚଳରେ କୋର୍ ସାନିଟେସନ୍ ୱର୍କର୍ସଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ସେମାନଙ୍କ ସନ୍ତାନଙ୍କ ପାଇଁ ଛାତ୍ରବୃତ୍ତି ବଣ୍ଟନ, ବଡ଼ଖାନା ଏବଂ ସ୍ୱଚ୍ଛତା କର୍ମଚାରୀ ଓ ସେବା ପ୍ରଦାନକାରୀଙ୍କ ସମ୍ମାନ ଆଦି କାର୍ଯ୍ୟକ୍ରମ ହେବ। ଅଗଷ୍ଟ ୨୧ ତାରିଖରେ ଅଭିଯାନ ସମାପ୍ତ ହେବା ପରେ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱରଠାରେ ଜାତୀୟ ଗରିମା ସମ୍ମିଳନୀ ଆୟୋଜିତ ହେବ। ଏଥିରେ ଜାତୀୟସ୍ତରର ନୀତି ବିଶେଷଜ୍ଞ, ସରକାରୀ ପଦାଧିକାରୀ, ପୌର ସଂସ୍ଥାର ପ୍ରତିନିଧି ଓ କୋର୍ ସାନିଟେସନ୍ ୱର୍କର୍ସ ଯୋଗଦେଇ ଯାନ୍ତ୍ରିକୀକରଣ, ପ୍ରଯୁକ୍ତିଭିତ୍ତିକ ସୁରକ୍ଷିତ ସଫେଇ ଏବଂ ସ୍ୱଚ୍ଛତା କର୍ମଚାରୀଙ୍କ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ନେଇ ଆଲୋଚନା କରିବେ। ‘ଆଇନଗତ ସଫେଇ, ସୁରକ୍ଷିତ ସଫେଇ’ ଅଭିଯାନ ମାଧ୍ୟମରେ *ଓଡ଼ିଶାର ସ୍ପଷ୍ଟ ବାର୍ତ୍ତା—ସଫେଇ କାର୍ଯ୍ୟ ଆଇନସମ୍ମତ, ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ ହେବl ଆବଶ୍ୟକ। କୌଣସି ସ୍ୱଚ୍ଛତା କର୍ମଚାରୀଙ୍କୁ ବିପଜ୍ଜନକ ସଫେଇ କାର୍ଯ୍ୟ ହାତରେ କରିବାକୁ ପଡ଼ିବ ନାହିଁ l
