ଯାଜପୁର/ଭୁବନେଶ୍ୱର:
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯାଜପୁର ଜିଲ୍ଲା ଗସ୍ତରେ ଆସି ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍ଏନ୍, ବିଭାଗୀୟ ନିର୍ଦ୍ଦେଶକ ବୀନିତ ଭରଦ୍ବାଜ ଓ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଘରକୁ ଘର ବୁଲି ନଗଡ଼ାବାସୀଙ୍କ ଭଲମନ୍ଦ ବୁଝିଛନ୍ତି। ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଉପସ୍ଥିତ ରହି ନଗଡା ଅଂଚଳରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଶାସନ ସଚିବ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାଧାରଣ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ଉପର ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ସେ ଗ୍ରାଉଣ୍ଡ ଜିରୋ ସ୍ଥିତି ସମୀକ୍ଷା କରିଥିଲେ। ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘର ବାବଦକୁ କିଛି ହିତାଧିକାରୀଙ୍କା ୬୦ ପ୍ରତିଶତ କାର୍ୟ୍ୟ ଦେଖି ମୁଖ୍ୟ ଶାସନ ସଚିବ ଉଦବେଗ ପ୍ରକାଶ କରିଥିଲେ। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ ବଳରାମ ମିଶ୍ର ଓ ମୁଖ୍ୟଯନ୍ତ୍ରୀ ଇଂ ରତ୍ନାକର ସାହୁଙ୍କ ଉପସ୍ଥିତିରେ ଯୋଗାଣ ପାନୀୟଜଳର ମାନ ଏବଂ ଏଥିରେ ଥିବା ଫ୍ଲୋରାଇଡର ମାତ୍ରା ସମ୍ପର୍କରେ ଅବଗତ ହୋଇଥିଲେ। ଗ୍ରାମବାସୀଙ୍କ ସ୍ନାନଶୌଚ ପାଇଁ ପୋଖରୀ ଖୋଳାଇବା ଦାବି ଆଧାରରେ ଗାଁ ଉପର ମୁଣ୍ଡ ଝର ଜାଗାରେ ବାସ୍ତବ ସ୍ଥିତି ଅନୁଧ୍ୟାନକରି ପଦକ୍ଷେପ ନେବା ପାଇଁ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେତେକ ପିଲା ସ୍କୁଲରେ ନିୟମିତ ଅନୁପସ୍ଥିତ ରହୁଥିବା ଜାଣି ଏଥିରେ ସୁଧାର ଆଣିବାକୁ ପରାମର୍ଶ ଦେଇଥିଲେ। ଦେଓଗାଁରେ ୩ ବର୍ଷ ଧରି ଅବ୍ୟବହୃତ ଥିବା ୨ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ ବୁଲି ତୁରନ୍ତ କାର୍ୟ୍ୟକ୍ଷମ ଦିଗରେ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ମୁଖ୍ୟ ଶାସନ ସଚିବ କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଏହାର ଉନ୍ନତୀକରଣ ପାଇଁ ସିଡିଏମ୍ଓ ଡା. ପ୍ରକାଶ ଚନ୍ଦ୍ର ବଳ, ଅଧୀକ୍ଷକ ଡା. ଜୟଦେବ ନନ୍ଦ ଓ ଡିପିଏମ୍ ବିଶ୍ବରଞ୍ଜନ ରଥଙ୍କୁ ପରାମର୍ଶ ଦେଇଥିଲେ।
ନଗଡ଼ାରେ ମୁଖ୍ୟ ଶାସନ ସଚିବ
