ବାଲି, ଇଣ୍ଡୋନେସିଆ | ଭୁବନେଶ୍ୱର: ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ‘ଓଡ଼ିଶା ପରବ ୨୦୨୬’ର ଦ୍ୱିତୀୟ ଦିନରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା, ସାଂସ୍କୃତିକ ପରିଚୟ ଏବଂ ଦକ୍ଷିଣ-ପୂର୍ବ ଏସିଆ ବିଶେଷ କରି ଇଣ୍ଡୋନେସିଆ ସହ ରହିଥିବା ଶତାବ୍ଦୀ ପୁରୁଣା ସମ୍ପର୍କକୁ ମହାସମାରୋହରେ ପାଳନ କରାଯାଇଛି। ଏହି ଅବସରରେ ସାନୁର ବେଳାଭୂମିରେ ପାରମ୍ପରିକ ‘ବୋଇତ ବନ୍ଦାଣ’ ଉତ୍ସବ, କଟକର ବାଲିଯାତ୍ରା ସହ ଏକ ସମୟରେ ରାଷ୍ଟ୍ରପତିଙ୍କ ଦ୍ୱାରା ବାଲିରେ ‘ଓଡ଼ିଶା ପରବ’ର ଉଦ୍ଘାଟନ ଏବଂ ଓଡ଼ିଆ ପ୍ରବାସୀ ସମୁଦାୟ ଓ ବିଶିଷ୍ଟ ଅତିଥିମାନଙ୍କୁ ନେଇ ‘ପ୍ରବାସୀ ଭାରତୀୟ ସମ୍ମିଳନୀ’ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି।
ପ୍ରାଚୀନ କଳିଙ୍ଗର ସାଧବ ପୁଅମାନଙ୍କର ବାଲି, ଜାଭା, ସୁମାତ୍ରା ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନ୍ୟାନ୍ୟ ଅଞ୍ଚଳକୁ ଐତିହାସିକ ନୌବାଣିଜ୍ୟ ଯାତ୍ରାକୁ ସ୍ମରଣ କରି ସାନୁର ବେଳାଭୂମିରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ସହ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଇଣ୍ଡୋନେସିଆ ସମୁଦାୟର ସଦସ୍ୟମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା ପାରାଦୀପ ବନ୍ଦରରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଭାସୀ ମାଧ୍ୟମରେ ବାର୍ତ୍ତାଳାପ, ଯାହା ବାଲିର ଉତ୍ସବକୁ ଓଡ଼ିଶାର ନୌବାଣିଜ୍ୟ ମହୋତ୍ସବ ସହ ଯୋଡ଼ିଥିଲା। ଏହି ବାର୍ତ୍ତାଳାପ ପ୍ରତୀକାତ୍ମକ ଭାବେ ଦୁଇ କୂଳକୁ ଏକାଠି କରିବା ସହ ସେମାନଙ୍କର ଚିରନ୍ତନ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ପୁନଃପ୍ରତିଷ୍ଠିତ କରିଥିଲା।
ଏହି ଉତ୍ସବକୁ ଅଧିକ ମହତ୍ତ୍ୱ ପ୍ରଦାନ କରି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକର ପ୍ରସିଦ୍ଧ ବାଲିଯାତ୍ରା ସହ ଏକ ସମୟରେ ବାଲିଠାରେ ‘ଓଡ଼ିଶା ପରବ’ର ଶୁଭ ଉଦ୍ଘାଟନ କରିଥିଲେ।
‘ଦି ମେରୁ ସାନୁର’ ସ୍ଥିତ ବାଲି ବିଚ୍ କନଭେନସନ୍ ସେଣ୍ଟରରେ ଓଡ଼ିଶା, ଇଣ୍ଡୋନେସିଆ ଏବଂ ଭାରତୀୟ କୂଟନୈତିକ ସମୁଦାୟର ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ‘ଓଡ଼ିଶା ପରବ’ର ଭବ୍ୟ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଉଦ୍ଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା; ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ; ଜାକର୍ତ୍ତାସ୍ଥିତ ଭାରତୀୟ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ ବିଜୟ ସେଲଭାରାଜ, ବାଲି ପ୍ରଦେଶ ଆଞ୍ଚଳିକ ସଚିବାଳୟର ଅର୍ଥନୈତିକ ବ୍ୟାପାର ଓ ବିକାଶ ସହାୟକ ଡଃ. ଲୁହ ଆୟୁ ଆର୍ଯ୍ୟାନୀ ଏବଂ ଡିପିଡି ଆରଆଇ (DPD RI)ର ସିନେଟର ଡଃ. ଆଇ ଗୁସ୍ତି ଆର୍ଯ୍ୟ ୱେଦାକର୍ଣ୍ଣଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ।
ସମାବେଶକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଓଡ଼ିଶା ଏବଂ ବାଲି ମଧ୍ୟରେ ଥିବା ଚିରନ୍ତନ ସଭ୍ୟତାଗତ ସମ୍ପର୍କ ଉପରେ ଆଲୋକପାତ କରିଥିଲେ ଏବଂ ଏହି ମିଳିତ ଐତିହ୍ୟକୁ ପର୍ଯ୍ୟଟନ, ସଂସ୍କୃତି, ବାଣିଜ୍ୟ ଓ ଉଦ୍ୟୋଗ କ୍ଷେତ୍ରରେ ଅର୍ଥପୂର୍ଣ୍ଣ ସମସାମୟିକ ଭାଗିଦାରୀରେ ପରିଣତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରି ସେ କହିଥିଲେ, “ଆଜି ଏହି ଐତିହାସିକ ଦ୍ୱୀପରେ ଠିଆ ହୋଇ ଆମେ ଅନୁଭବ କରୁଛୁ ଯେ ମହାସାଗର ସଭ୍ୟତାକୁ ବିଭକ୍ତ କରେ ନାହିଁ; ବରଂ ଏହା ହୃଦୟ ଏବଂ ସଂସ୍କୃତିକୁ ଯୋଡ଼ିଥାଏ।”
‘ଓଡ଼ିଶା ପରବ’ ପାରମ୍ପରିକ ପ୍ରଦର୍ଶନ କଳା, ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟପେୟ ଏବଂ ପର୍ଯ୍ୟଟନ ଅନୁଭୂତିର ଏକ ସୁନ୍ଦର ପ୍ରଦର୍ଶନୀ ମାଧ୍ୟମରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ନିଆରା ଅନୁଭବ ପ୍ରଦାନ କରୁଛି। ଏହି ପ୍ରଦର୍ଶନୀରେ ପାରମ୍ପରିକ ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କଳାର ସିଧାସଳଖ ପ୍ରଦର୍ଶନ, ଏକ ସ୍ୱତନ୍ତ୍ର ଓଡ଼ିଶା ପର୍ଯ୍ୟଟନ ପାଭିଲିୟନ୍ ଏବଂ ଦଶରୁ ଅଧିକ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନର ଏକ ଖାଦ୍ୟ ପ୍ରଦର୍ଶନୀ ସାମିଲ ରହିଛି।
ପର୍ଯ୍ୟଟନ ପାଭିଲିୟନରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାପତ୍ୟ କଳା, ଶ୍ରୀଜଗନ୍ନାଥ ମନ୍ଦିରର ଆଧ୍ୟାତ୍ମିକ ମହତ୍ତ୍ୱ, ଚିଲିକା ହ୍ରଦ ଓ ଶିମିଳିପାଳର ପ୍ରାକୃତିକ ସମ୍ପଦ, କୋରାପୁଟର ମନୋରମ ପ୍ରାକୃତିକ ଦୃଶ୍ୟ ଏବଂ ଧଉଳି, ରତ୍ନଗିରି, ଉଦୟଗିରି ଓ ଲଳିତଗିରିର ବୌଦ୍ଧ ଐତିହ୍ୟ ସ୍ଥଳୀ ସମେତ ଓଡ଼ିଶାର ବିବିଧ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ଏହି ବିଶେଷ ଅନୁଭୂତିଗୁଡ଼ିକ ମାଧ୍ୟମରେ ‘ଓଡ଼ିଶା ପରବ’ ରାଜ୍ୟର ପାରମ୍ପରିକ କାରିଗର, ଉଦ୍ୟୋଗୀ ଏବଂ ସାଂସ୍କୃତିକ କର୍ମୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ସହ ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶାକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ଏକ ‘ପ୍ରବାସୀ ଭାରତୀୟ ସମ୍ମିଳନୀ’ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ଭାରତୀୟ ସମୁଦାୟର ସଦସ୍ୟ, ବିଶେଷ କରି ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟ ତଥା ଓଡ଼ିଆଙ୍କ ସମେତ ଉଭୟ ଦେଶର ବିଶିଷ୍ଟ ଅତିଥି ଓ ପ୍ରତିନିଧିମାନେ ଏକାଠି ହୋଇଥିଲେ। ଏହି ସମାବେଶ ମିଳିତ ସାଂସ୍କୃତିକ ମୂଳଦୁଆକୁ ପାଳନ କରିବା, ନିଜ ମାତୃଭୂମି ସହ ପୁନଃଯୋଡ଼ି ହେବା ଏବଂ ଓଡ଼ିଶା ସହ ପ୍ରବାସୀମାନଙ୍କର ସମ୍ପୃକ୍ତିକୁ ସୁଦୃଢ଼ କରିବାର ଏକ ସୁଯୋଗ ପ୍ରଦାନ କରିଥିଲା।
କାର୍ଯ୍ୟକ୍ରମରେ ଇଣ୍ଡୋନେସିଆ ଓଡ଼ିଆ ସମାଜର ସଭାପତି ବଦ୍ରି ରଥ ଏବଂ କୋର୍ କମିଟି ସଦସ୍ୟା ଶୁଭଶ୍ରୀ ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ପ୍ରତିନିଧିମାନେ ଯୋଗଦାନ କରିଥିଲେ। ତେଙ୍ଗାନାନ୍ ପେଗ୍ରିଙ୍ଗସିଙ୍ଗାନର ବାଲି ଆଗା ସାଂସ୍କୃତିକ ସଂରକ୍ଷକ ନ୍ୟୋମାନ୍ ସାଦ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଉପସ୍ଥାପନା ବାଲିର ସ୍ୱତନ୍ତ୍ର ସାଂସ୍କୃତିକ ପରମ୍ପରା ବିଷୟରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲା। ଭାରତୀୟ କୂଟନୈତିକ ମିଶନର ପ୍ରତିନିଧି ଏବଂ ଓଡ଼ିଶାର ବରିଷ୍ଠ ଅତିଥିମାନେ ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିଥିଲେ।
ଫିକି (FICCI)ର ସହାୟତାରେ ବାଲିସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲଙ୍କ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ‘ଓଡ଼ିଶା ପରବ’ର ଲକ୍ଷ୍ୟ ହେଉଛି ଅନ୍ତର୍ଜାତୀୟ ମଞ୍ଚରେ ରାଜ୍ୟର ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ପ୍ରଦର୍ଶିତ କରିବା ସହ ସୁଦୃଢ଼ ଜନସମ୍ପର୍କ ଗଠନ କରିବା ଏବଂ ପର୍ଯ୍ୟଟନ, ବାଣିଜ୍ୟ ଓ ସାଂସ୍କୃତିକ ସହଯୋଗ ପାଇଁ ନୂତନ ପଥ ଉନ୍ମୁକ୍ତ କରିବା।
କଳିଙ୍ଗର ଐତିହାସିକ ବେଳାଭୂମିରୁ ଆରମ୍ଭ କରି ବାଲିର ସୁନ୍ଦର ଦ୍ୱୀପ ପର୍ଯ୍ୟନ୍ତ, ‘ଓଡ଼ିଶା ପରବ ୨୦୨୬’ ଏକ ମିଳିତ ନୌବାଣିଜ୍ୟ ପରମ୍ପରାକୁ ପାଳନ କରୁଛି ଏବଂ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ଚିରନ୍ତନ ବନ୍ଧୁତ୍ୱର ବନ୍ଧନକୁ ପୁନଃପ୍ରତିଷ୍ଠିତ କରିବା ସହ ସାଂସ୍କୃତିକ ଆଦାନପ୍ରଦାନ, ଅର୍ଥନୈତିକ ସହଯୋଗ ଏବଂ ମିଳିତ ସମୃଦ୍ଧିର ନୂତନ ସେତୁ ନିର୍ମାଣ କରୁଛି।
