ଭୁବନେଶ୍ୱର: ସହରାଞ୍ଚଳରେ ଗୃହର ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ବ୍ୟବଧାନ ଦୂର କରିବା ସହ ସମସ୍ତଙ୍କ ପାଇଁ ସୁଲଭ ଗୃହ ଉପଲବ୍ଧ କରାଇବା ଦିଗରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬ରେ ଉପସ୍ଥାପିତ ହୋଇଛି। ଭୁବନେଶ୍ୱରଠାରେ ଆୟୋଜିତ ‘ସୁଲଭ ଗୃହନିର୍ମାଣ–ଚାହିଦା ଓ ଯୋଗାଣର ଗତିଶୀଳତା’ଶୀର୍ଷକ ଅଧିବେଶନରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟର ସମନ୍ୱିତ ଗୃହନିର୍ମାଣ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ‘ବନ୍ଧୁ’ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା। ଏହି ପଦକ୍ଷେପ ପାଇଁ ପାଞ୍ଚ ବର୍ଷରେ ୧,୬୧୫ କୋଟି ଟଙ୍କା ବରାଦ କରାଯାଇଛି। ଏହା ଗୃହନିର୍ମାଣ ପ୍ରକଳ୍ପକୁ ସହାୟତା, ନିର୍ମାଣ ଶ୍ରମିକଙ୍କୁ ପ୍ରୋତ୍ସାହନ ଏବଂ ଯୋଗ୍ୟ ପରିବାରଙ୍କ ପାଇଁ ଗୃହ ସହାୟତାର ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛି। ଜମିହୀନ ଓ ଅନ୍ୟାନ୍ୟ ବଞ୍ଚିତ ପରିବାରଙ୍କ ପାଇଁ ସୁଲଭ ଗୃହ, ଭଡ଼ା ଗୃହ ଓ ଅସ୍ଥାୟୀ ଆଶ୍ରୟ ବ୍ୟବସ୍ଥାକୁ ମଧ୍ୟ ଏହା ଗୁରୁତ୍ୱ ଦେଉଛି।
ରାଜ୍ୟର ଗୃହନିର୍ମାଣ ମଡେଲ୍ରେ ହିତାଧିକାରୀଙ୍କ ନିଜସ୍ୱ ଉଦ୍ୟମରେ ଗୃହନିର୍ମାଣ, ସୁଲଭ ଗୃହ ପ୍ରକଳ୍ପ, ବସ୍ତିର ସ୍ଥାନୀୟ ପୁନର୍ବିକାଶ, ପୁନର୍ବାସ ଓ ଭଡ଼ା ଗୃହ ଅନ୍ତର୍ଭୁକ୍ତ। ସହରାଞ୍ଚଳରେ ହିତାଧିକାରୀଙ୍କ ନିଜସ୍ୱ ଉଦ୍ୟମରେ ପ୍ରାୟ ୧.୪ ଲକ୍ଷ ଘର ନିର୍ମାଣ ଶେଷ ହୋଇ ଲୋକମାନେ ସେଥିରେ ବସବାସ କରୁଛନ୍ତି। ଏଥିସହ ‘ବନ୍ଧୁ’ଅଧୀନରେ ରାଉରକେଲା, ଢେଙ୍କାନାଳ, ପାରାଦୀପ ଓ ଝାରସୁଗୁଡ଼ାରେ ଭଡ଼ା ଗୃହର ପୁନରୁଦ୍ଧାର ପ୍ରକଳ୍ପକୁ ସହାୟତା ଦିଆଯାଉଛି। ସୁଲଭ ଗୃହନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଶୁଳ୍କ ହ୍ରାସ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ଓ ନିମ୍ନ ଆୟ ବର୍ଗ ପାଇଁ ଗୃହ ବ୍ୟବସ୍ଥା, ଅତିରିକ୍ତ ଫ୍ଲୋର୍ ଏରିଆ ରେସିଓ ଓ ଟ୍ରାନ୍ସଫରେବଲ୍ ଡେଭଲପମେଣ୍ଟ ରାଇଟ୍ସ ଭଳି ନୀତିଗତ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଏହା ସହ ପ୍ରସ୍ତାବିତ ‘ଭୂମି’(BHUMI—Bank of Land for Housing & Urban Masterplan and Infrastructure) ଢାଞ୍ଚା ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ଏଥିରେ ଗୃହନିର୍ମାଣ ଓ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଜମି ବ୍ୟାଙ୍କ, ଜିଆଇଏସ୍ ଆଧାରିତ ଜମି ତଥ୍ୟଭଣ୍ଡାର ଏବଂ ଜମି ଆବଣ୍ଟନ ବ୍ୟବସ୍ଥାର ପରିକଳ୍ପନା ରହିଛି। ଏହି ନୀତିର ଚିଠା ପ୍ରକ୍ରିୟାଧୀନ ଥିବାବେଳେ ଏହାକୁ ଅନୁମୋଦନ ପାଇଁ ରାଜ୍ୟ କ୍ୟାବିନେଟ୍ରେ ଉପସ୍ଥାପନ କରିବାକୁ ପ୍ରସ୍ତାବ ରହିଛି।
ଅଧିବେଶନକୁ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ କୁମାର ରବିକାନ୍ତ ସିଂହ ସଂଚାଳନ କରିଥିଲେ। ଏଥିରେ ହରିୟାଣା ସରକାରଙ୍କ ହାଉସିଂ ଫର୍ ଅଲ୍ ବିଭାଗର କମିଶନର ତଥା ସଚିବ ମହମ୍ମଦ ଶାୟିନ୍ଙ୍କ ସମେତ ଗୃହନିର୍ମାଣ ଶିଳ୍ପ ଓ ନଗର ଉନ୍ନୟନ କ୍ଷେତ୍ରର ଅନ୍ୟ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଓଡ଼ିଶାର ଏହି ଆଭିମୁଖ୍ୟ ହିତାଧିକାରୀଙ୍କୁ ସହାୟତା, ନୀତିଗତ ସଂସ୍କାର ଓ ଯୋଜନାବଦ୍ଧ ଜମି ଉପଲବ୍ଧତାକୁ ସମନ୍ୱିତ କରି ସୁଲଭ ଗୃହ ଯୋଗାଣ ବୃଦ୍ଧି ଏବଂ ସମାବେଶୀ ଓ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦେଇଛି।
