ବାତ୍ୟା ‘ଅର୍ଣ୍ଣବ’ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନର  ସମୀକ୍ଷା

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ନିମନ୍ତେ ଓଡ଼ିଶା ଗସ୍ତରେ ଆସିଥିବା ୮ ଜଣିଆ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟସ୍ତରୀୟ ଟିମ୍ କ୍ଷେତ୍ର ପରିଦର୍ଶନ ପରେ ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ  ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ତରଫରୁ ଆୟୋଜିତ ଏକ ପ୍ରାରମ୍ଭିକ ଆକଳନ ବୈଠକରେ ଯୋଗଦେଇଥିଲେ। ମୁଖ୍ୟ ଶାସନ ସଚିବ,ଓଡିଶା  ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି ବୈଠକରେ  କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ  ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା କେନ୍ଦ୍ରୀୟ ଦଳରେ କୃଷି ଓ କୃଷକ କଲ୍ୟାଣ ବିଭାଗ, ଧାନ ବିକାଶ ନିର୍ଦ୍ଦେଶାଳୟ, ପାଟନାର ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ବ୍ୟୟ ବିଭାଗ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ନିର୍ଦ୍ଦେଶକ, ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ, ଭୁବନେଶ୍ୱର, ଉପନିର୍ଦ୍ଦେଶକ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ, ନୂଆଦିଲ୍ଲୀ,  ଅଧୀକ୍ଷଣ ଯନ୍ତ୍ରୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଭୁବନେଶ୍ୱର,  ଅନୁଶାସନ ସଚିବ , ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ନୂଆଦିଲୀ,  ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର , ଇସ୍ରୋ, ମହାକାଶ ବିଭାଗ, ହାଇଦ୍ରାବାଦର ବୈଜ୍ଞାନିକ ପ୍ରମୁଖ ଯୋଗଦେଇଥିଲେ। 

ବୈଠକରେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଙ୍କ ସମେତ ରାଜସ୍ୱ, ନଗର ଉନ୍ନୟନ, ଜଳ ସଂପଦ, ପୂର୍ତ୍ତ, କୃଷି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ, ବାଣିଜ୍ୟ ଓ ପରିହନ, ଶକ୍ତି ଆଦି ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ। 

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ନଭେମ୍ବର ୩ ତାରିଖରେ ଗଜପତି ଓ  ୪ରେ  ଗଞ୍ଜାମ ଜିଲ୍ଲାର ପ୍ରଭାବିତ ବିଭିନ୍ନ ଅଂଚଳ ପରିଦର୍ଶନ କରିଥିବା ଏହି ଟିମ୍ ବୈଠକରେ ନିଜର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ, ଅନୁଭୂତି ଓ କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଏବଂ ପ୍ରଭାବିତ ଅଞ୍ଚଳର ସ୍ଥିତି ସମ୍ପର୍କରେ  ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗୀୟ ସଚିବ ତଥା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ କେନ୍ଦ୍ରୀୟ ଟିମ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଥିବା, ବିଭିନ୍ନ  ଭିତ୍ତିଭୂମି ଯଥା  ସଡ଼କ, ବିଦ୍ୟୁତ୍, ଜଳସମ୍ପଦ ବିଭାଗର ନଦୀବନ୍ଧ,କେନାଲ ଆଦି ବହୁଭାବେ  କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ପାଇଥିଲେ।  କ୍ଷୟକ୍ଷତି ବ୍ୟାପକ ହୋଇଥିବା ଯୋଗୁଁ ଏହାର ସଂପୂର୍ଣ୍ଣ ଆକଳନ ଆଉ ପ୍ରାୟ କିଛିଦିନ ଲାଗିବ ବୋଲି ଜିଲ୍ଲାପାଳମାନେ କହିଛନ୍ତି । କେନ୍ଦ୍ରୀୟ ଟିମ ପ୍ରତି ଘରକୁ ଘରେ ସର୍ବେକ୍ଷଣ କରିବାକୁ ପରାମର୍ଶ ଦେଇଛନ୍ତି। ପୁନର୍ନିମାଣ, ନଦୀବନ୍ଧ ସୁଦୃଢୀକରଣ, ଆଦି  ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ସଂପର୍କରେ କେନ୍ଦ୍ରୀୟ ଟିମ୍ ପ୍ରକାଶ କରିଥିଲେ।  ପ୍ରଭାବିତ ଅଂଚଳରେ ଥିବା ନଦୀ ବନ୍ଧ, କେନାଲ ଗୁଡିକର  ଉଚ୍ଚତା ବୃଦ୍ଧି ଓ ସୁଦୃଢୀକରଣର ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ପାନୀୟ ଜଳ ଭିତ୍ତିଭୂମି, ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ପଂଚାୟତି ରାଜର ପ୍ରଭାବିତ ରାସ୍ତା, ସେତୁ ଆଦି ପ୍ରଭାବିତ ହୋଇଛି, କେତେକ ସାମୟିକ ମରାମତି କରାଯାଇଛି, କାର୍ଯ୍ୟ ଚାଲୁରହିଛି, ଦୀର୍ଘ କାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ କାର୍ଯ୍ୟ ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା।  ପ୍ରଭାବିତ ଅଂଚଳରେ ମାଛ ପୋଖରୀ ଓ ପ୍ରାଣୀ ସଂପଦ  ବହୁ ମାତ୍ରାରେ  କ୍ଷତିଗ୍ରସ୍ତ ହୋଇଛି।  ବିଭିନ୍ନ ବିଭାଗ ତରଫରୁ ପ୍ରଦାନ କରାଯିବା ବିବରଣୀ ଆଧାରରେ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ତରଫରୁ ପ୍ରସ୍ତୁତ ଏକ ବିବରଣୀକୁ କେନ୍ଦ୍ରୀୟ ଟିମ୍ କୁ ପ୍ରଦାନ କରାଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଓଡ଼ିଶା  ସମ୍ମୁଖୀନ ହୋଇଥିବା ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ  ସଂପର୍କରେ କେନ୍ଦ୍ରୀୟ ଟିମଙ୍କ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ପ୍ରତିବର୍ଷ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା  ଦୃଷ୍ଟିରୁ   ବିପର୍ଯ୍ୟୟ ପରିଚାଳନା ସହିତ ଆଗୁଆ ପ୍ରସ୍ତୁତି, ତ୍ୱରିତ ମୁତୟନ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଥିସହିତ, ଭବିଷ୍ୟତରେ ବିପର୍ଯ୍ୟୟର ପ୍ରଭାବ ହ୍ରାସ କରିବା ଏବଂ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଓ ଅନୁଷ୍ଠାନିକ କ୍ଷମତାର ବିକାଶ ପାଇଁ ନିରନ୍ତର ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *