ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ମାନବୃଦ୍ଧି ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର/ଖୋର୍ଦ୍ଧା: ଚିଲିକା ବ୍ଲକର ସମ୍ମିଳନୀ କକ୍ଷଠାରେ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର, ଶିକ୍ଷାର ମାନବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପାସ୍ ହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା,ଛାତ୍ରଛାତ୍ରୀଙ୍କ ଉପସ୍ଥାନ,ଶିକ୍ଷଣ ଦକ୍ଷତା, ପାଠପଢ଼ାର ଗୁଣବତ୍ତା, ପରୀକ୍ଷା ପ୍ରସ୍ତୁତି ଏବଂ ପୂର୍ବ ପରୀକ୍ଷା ଫଳାଫଳ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷକରି ଯେଉଁ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ଫଳାଫଳ ଆଶାନୁରୂପ ହୋଇନାହିଁ, ସେଠାରେ ଏହାର କାରଣ ଚିହ୍ନଟ କରି ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ଗ୍ରହଣ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ।

ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି ସହ ଦୁର୍ବଳ ବିଷୟଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବା, ଆବଶ୍ୟକ ସ୍ଥଳରେ ଅତିରିକ୍ତ ଶିକ୍ଷାଦାନ,ନିୟମିତ ଅଭ୍ୟାସ,  ମୂଲ୍ୟାଙ୍କନ  ଏବଂ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ୱୟ ରଖିବା ନେଇ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ପ୍ରତିଭା, ସାମର୍ଥ୍ୟ ଓ ଦକ୍ଷତା ଅନୁଯାୟୀ ଆଗକୁ ବଢ଼ିପାରିବେ, କୌଣସି ଛାତ୍ରଛାତ୍ରୀ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି ଏବଂ ଚିଲିକା ନିର୍ବାଚନ ମଣ୍ଡଳୀର ବିଦ୍ୟାଳୟଗୁଡ଼ିକର ପରୀକ୍ଷା ଫଳାଫଳକୁ ଆଗାମୀ ଦିନରେ ଆହୁରି ଉତ୍କୃଷ୍ଟ କରାଯାଇପାରିବ,ସେ ଦିଗରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉପସ୍ଥିତ ଅଧିକାରୀ, ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ‌, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ତ୍ରିପାଠୀଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀ, ସମସ୍ତ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ, ସମସ୍ତ ସିଆରସିସି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *