ପୁରୀ I ଭୁବନେଶ୍ୱର: ଐତିହ୍ୟଗ୍ରାମ ରଘୁରାଜପୁରର ସମନ୍ୱିତ ପର୍ଯ୍ୟଟନ ବିକାଶ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ସ୍ୱତନ୍ତ୍ର ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, “ରଘୁରାଜପୁର ହେଉଛି ଆମ ରାଜ୍ୟର କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଏହି ପ୍ରକଳ୍ପ ରଘୁରାଜପୁରର ପର୍ଯ୍ୟଟନ ବିକାଶରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବ। ଆମର ଲକ୍ଷ୍ୟ ହେଉଛି ଏଠାକାର ପ୍ରସିଦ୍ଧ ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ ଏବଂ ସମୃଦ୍ଧ କଳା-ପରମ୍ପରାକୁ ସମଗ୍ର ବିଶ୍ୱ ଦରବାରରେ ପହଞ୍ଚାଇବା ସହ ରଘୁରାଜପୁରକୁ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଐତିହ୍ୟ ଓ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା।”
ସୂଚନାଯୋଗ୍ୟ ଯେ ଏହି ସମନ୍ୱିତ ବିକାଶ ଯୋଜନା ଅଧୀନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୩ କୋଟି ଟଙ୍କା ବ୍ୟୟରେ ଗ୍ରାମର ଭିତ୍ତିଭୂମିର ଉନ୍ନତିକରଣ, କଳାକାରଙ୍କ ସୁବିଧା, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସେବା ଏବଂ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ରଘୁରାଜପୁରର ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ, କାଠଖୋଦେଇ ଓ ମୃଣ୍ମୟ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଯୋଗାଇଦେବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା ରଖା ଯାଉଛି।
ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ପିପିଲିର ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
