ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ଆଇପିଏସ୍ ଅଫିସର ଅନନ୍ୟା ଅୱସ୍ତି ନିଯୁକ୍ତ

ଭୁବନେଶ୍ୱର: ଓଡିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ରାଜ୍ୟପାଳଙ୍କ ଏଡିସି (ପୋଲିସ) ଭାବେ ନିଯୁକ୍ତି ଦେଇଛନ୍ତିI ସୂଚନାଯୋଗ୍ୟ ଯେ ଅନନ୍ୟା ଅୱସ୍ତି ଓଡିଶା ରାଜ୍ୟପାଳଙ୍କ ସମ୍ମାନଜନକ ଏଡିସି ପଦବୀରେ ନିଯୁକ୍ତ ହେବାରେ ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ। ରବିବାର ଲୋକଭବନରେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅନନ୍ୟା ଅୱସ୍ତିଙ୍କୁ ନୂତନ ପୋଲିସ ଏଡିସି ଭାବରେ ସ୍ୱାଗତ କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନିଯୁକ୍ତି ପୂର୍ବରୁ, ଅନନ୍ୟା ଅୱସ୍ତି କଟକର ୟୁପିଡିର ଆସିଷ୍ଟାଣ୍ଟ ପୋଲିସ କମିଶନର (ଏସିପି) ଭାବରେ କାର୍ଯ୍ୟରତ ଥିଲେ।

ଓଡିଶାର ରାଜ୍ୟପାଳଙ୍କ ଏଡିସି ଭାବରେ କାର୍ଯ୍ୟ କରିବାରେ ପ୍ରଥମ ମହିଳା ଭାବରେ ତାଙ୍କର ନିଯୁକ୍ତି ସାର୍ବଜନୀନ ସେବାରେ ମହିଳାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଅନନ୍ୟା ଅୱସ୍ତି ଆଇପିଏସ୍ ଅଧିକାରୀ କୁଲଦୀପ ମୀନାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳଙ୍କ ବିଭିନ୍ନ ସରକାରୀ କାର୍ଯ୍ୟ, ଆନୁଷ୍ଠାନିକ ସମାରୋହ ଏବଂ ଅନ୍ୟାନ୍ୟ ପ୍ରୋଟୋକଲ-ସମ୍ବନ୍ଧୀୟ କର୍ତ୍ତବ୍ୟ ନିର୍ବାହ ସମୟରେ ରାଜ୍ୟପାଳଙ୍କୁ ସହାୟତା କରିବାରେ ଏଡିସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ଦୁଇଜଣ ଏଡ଼ିସିଙ୍କ ମଧ୍ୟରେ ଜଣେ ଭାରତୀୟ ନୌସେନାର ଏବଂ ଅନ୍ୟ ଜଣେ ପୋଲିସ ଅଧିକାରୀ ଅଟନ୍ତି। ଅନନ୍ୟା ଅୱସ୍ତି ପୋଲିସ ଏଡିସି ଭାବରେ କାର୍ଯ୍ୟ କରିବେ ଏବଂ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ହର୍ଷିତ ଦେଓ ରାଜ୍ୟପାଳଙ୍କ ନୌସେନା ଏଡିସି ଭାବରେ କାର୍ଯ୍ୟରତ ଅଛନ୍ତି I

Leave a Reply

Your email address will not be published. Required fields are marked *