ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ| ନିର୍ଦ୍ଦେଶକ, ଆଇଏମଡି (Director, IMD, Bhubaneswar) , ଓ ଏହାସହ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ଭାବ୍ୟ ପ୍ରଭାବିତ୬ ଜିଲ୍ଲାର {ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ,ନବରଙ୍ଗପୁର) ଜିଲ୍ଲାପାଳମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ।
ମନ୍ତ୍ରୀ ପ୍ରସ୍ତୁତି ବୈଠକରେ କହିଛନ୍ତି ଯେ, ଯଦି ଆବଶ୍ୟକ ପଡ଼େ, ତେବେ ଅଧିକାରୀମାନେ ହେଡ୍କ୍ୱାର୍ଟରକୁ ଆସିବା ପରିବର୍ତ୍ତେ ନିଜ ନିଜ କାର୍ଯ୍ୟକ୍ଷେତ୍ରରୁ ହିଁ (ଯେଉଁଠାରେ ଅଛନ୍ତି ସେହିଠାରୁ) ବୈଠକରେ ଯୋଗଦେବେ। ଜିଲ୍ଲା ସ୍ତରରେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରିବାକୁ ଏବଂ କେବଳ ରିପୋର୍ଟ ଦେବା ନୁହେଁ, ବରଂ ଜିଲ୍ଲାର ଯେକୌଣସି ପ୍ରକାରର ସମସ୍ୟା କିମ୍ବା ଜରୁରୀ ସୂଚନା ସେଥିରେ ଅପ୍ଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମ ସହ ନିୟମିତ ଓ ସଠିକ୍ ଯୋଗାଯୋଗ ରଖିବାକୁ କୁହାଯାଇଛି, ଯାହାଫଳରେ ଭୁଲ୍ ସୂଚନା ବା ମିସକମ୍ୟୁନିକେସନ୍ ଏଡ଼ାଯାଇପାରିବ। ରିଲିଫ୍ ସେଣ୍ଟରଗୁଡ଼ିକରେ ଆଶ୍ରୟ ନେଉଥିବା ଲୋକମାନଙ୍କୁ ଅତିଥି ଭାବେ ଗ୍ରହଣ କରି ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଶିଶୁମାନଙ୍କ ପାଇଁ ଦୁଗ୍ଧ ଓ ଶିଶୁ ଖାଦ୍ୟର ଉପଯୁକ୍ତ ବ୍ୟବସ୍ଥା ସହ ସେମାନଙ୍କ ପ୍ରତି ଅତ୍ୟନ୍ତ ନମ୍ର ଓ ସହାନୁଭୂତିଶୀଳ ହେବାକୁ କହିଛନ୍ତି। ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ବାତ୍ୟା ମୁକାବିଲା, ସହାୟତା ଓ ପରିଚାଳନା କାର୍ଯ୍ୟକୁ ସୁଚାରୁରୂପେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଜଣ ଉପମୁଖ୍ୟମନ୍ତ୍ରୀ ଓ ୬ ଜଣ ମନ୍ତ୍ରୀଙ୍କୁ ୮ଟି ପ୍ରମୁଖ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରିଛନ୍ତି। ମନୋନୀତ ମନ୍ତ୍ରୀମାନେ ଅକ୍ଟୋବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶନ କରିବା ସହ ବାତ୍ୟା ପରିଚାଳନାରେ ସହଯୋଗ କରିବେ।
ଜିଲ୍ଲାୱାରୀ ଦାୟିତ୍ୱପ୍ରାପ୍ତ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ତାଲିକା:କୋରାପୁଟ: କନକ ବର୍ଦ୍ଧନ ସିଂହଦେଓ (ଉପମୁଖ୍ୟମନ୍ତ୍ରୀ),ରାୟଗଡ଼ା: ପ୍ରଭାତୀ ପରିଡ଼ା (ଉପମୁଖ୍ୟମନ୍ତ୍ରୀ), କନ୍ଧମାଳ: ରବି ନାରାୟଣ ନାଏକ (ମନ୍ତ୍ରୀ), ଗଞ୍ଜାମ: ବିଭୂତି ଭୂଷଣ ଜେନା (ମନ୍ତ୍ରୀ), ଗଜପତି: ସୂର୍ଯ୍ୟବଂଶୀ ସୂରଜ (ମନ୍ତ୍ରୀ), ନବରଙ୍ଗପୁର: କୃଷ୍ଣଚନ୍ଦ୍ର ପାତ୍ର (ମନ୍ତ୍ରୀ), ମାଲକାନଗିରି: ନିତ୍ୟାନନ୍ଦ ଗଣ୍ଡ (ମନ୍ତ୍ରୀ), କଳାହାଣ୍ଡି: ମୁକେଶ ମହାଲିଙ୍ଗ (ମନ୍ତ୍ରୀ)
ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ‘ଶୂନ୍ୟ ଜୀବନହାନି’ (Zero Casualty) ଲକ୍ଷ୍ୟ ରଖି ସମସ୍ତ ଜରୁରୀକାଳୀନ ସେବାକୁ ସଜାଗ ରଖିଛନ୍ତି। ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ,ନବରଙ୍ଗପୁର ଆଦି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି। ଅନ୍ୟାନ୍ୟ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ଏହି ୬ଟି ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି।୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ହୋଇଛି ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର ସମେତ ସମସ୍ତ ବ୍ଲକ, ତହସିଲ ଓ ପୌରାଞ୍ଚଳରେ ୨୪/୭ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି।ଟୋଲ୍-ଫ୍ରି ନମ୍ବର,ସମେତ ଜିଲ୍ଲାଗୁଡ଼ିକର ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜନସାଧାରଣଙ୍କ ପାଇଁ ଉପଲବ୍ଧ ଅଛି।
କଚ୍ଚାଘର, ଝୁମ୍ପଡ଼ି ଓ ନିମ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିରାପଦ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଯେଉଁ ମାଆମାନଙ୍କର ପ୍ରସବ ସମୟ ନିକଟବର୍ତ୍ତୀ ଅଛି, ସେମାନଙ୍କୁ ଚିହ୍ନଟ କରି ପୂର୍ବରୁ ନିକଟସ୍ଥ ଡାକ୍ତରଖାନା, CHC, PHC ,ମା ଗୃହ କୁ ଅଣାଯାଉଛି। ଏହାଛଡ଼ା ବୃଦ୍ଧ, ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା (ଗଂଜାମ, ଗଜପତି,ରାୟଗଡ଼ା,କୋରାପୁଟ, ମାଲକାନଗିରି,ନବରଙ୍ଗପୁର) କୁ ସର୍ବାଧିକ ସତର୍କ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍ (ODRAF) ଏବଂ ଏନଡିଆରଏଫ୍ (NDRF) ଟିମ୍ଗୁଡ଼ିକୁ ବ୍ୟାପକ ଭାବେ ମୁତାବୟନ କରାଯାଇଛି। ଏହି ୬ଟି ଜିଲ୍ଲାରେ ମୋଟ୍ ୨୭ଟି ଓଡ୍ରାଫ୍ ଟିମ୍ ଏବଂ ୬ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି।
ଗଞ୍ଜାମ ଜିଲ୍ଲା: ସର୍ବାଧିକ ପ୍ରଭାବ ଆଶଙ୍କାଥିବା ଏହି ଜିଲ୍ଲାରେ ୯ଟି ଓଡ୍ରାଫ୍ ଏବଂ ୨ଟି ଏନଡିଆରଏଫ୍ ଟିମ୍ ସମେତ ମୋଟ ୧୧ଟି ଟିମ୍ ମୁତାବୟନ ହୋଇଛନ୍ତି।ଗଜପତି ଜିଲ୍ଲା: ଏଠାରେ ୬ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୭ଟି) ପ୍ରସ୍ତୁତ ରହିଛନ୍ତି।ରାୟଗଡ଼ା ଜିଲ୍ଲା: ଏହି ଜିଲ୍ଲା ପାଇଁ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ନିୟୋଜିତ କରାଯାଇଛି। କୋରାପୁଟ ଜିଲ୍ଲା: ଏଠାରେ ମଧ୍ୟ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ମୁତାବୟନ ଅଛନ୍ତି। ମାଲକାନଗିରି ଜିଲ୍ଲା: ଏହି ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ଓ ନବରଙ୍ଗପୁର ରେ ୩ଟି ଜରୁରୀକାଳୀନ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ରାଜ୍ୟ ସରକାରଙ୍କ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟକୁ ଆଖିଆଗରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ।
ସମୁଦ୍ରରେ ମାଛଧରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ସେହିପରି ଦକ୍ଷିଣ ଓଡ଼ିଶାର ଏହି ୬ ଜିଲ୍ଲାରେ ପାହାଡ଼, ଜଳପ୍ରପାତ, ଡ୍ୟାମ୍ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି।କୃଷକମାନଙ୍କୁ ପରାମର୍ଶ: ୮୦-୮୫% ପାଚିଯାଇଥିବା ଧାନ, ମକା, ମାଣ୍ଡିଆ ଓ ଅନ୍ୟାନ୍ୟ ଫସଲକୁ ତୁରନ୍ତ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କୃଷିର ହେଲ୍ପଲାଇନ୍ ନମ୍ବର ଉପଲବ୍ଧି କରାଯାଇଛି। ଅମଳ ସମୟ ପାଖେଇ ଆସୁଥିବାରୁ, ଚାଷୀ ଭାଇମାନଙ୍କୁ ଆଗୁଆ ସତର୍କ କରି ଫସଲ କାଟି ସୁରକ୍ଷିତ କରି ରଖିବା ପାଇଁ କୁହାଯାଇଛି।
ପାନୀୟ ଜଳର ବିଶୋଧନ (Chlorination), ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ (ସାପକାଟା ଇଞ୍ଜେକ୍ସନ, କ୍ଲୋରିନ୍ ବଟିକା) ଏବଂ ବିଦ୍ୟୁତ୍/ଯୋଗାଯୋଗ ବ୍ୟବସ୍ଥା ତ୍ୱରିତ ପୁନରୁଦ୍ଧାର ପାଇଁ ଅତିରିକ୍ତ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି।
ବିପର୍ଯ୍ୟୟ ସମୟରେ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମୋବାଇଲ୍ ଟିମ୍ ଜରିଆରେ ଜରୁରୀ ଚିକିତ୍ସା ଯୋଗାଇ ଦିଆଯିବା ଓ ପ୍ରଭାବିତ ଅଞ୍ଚଳରେ ପଶୁମାନଙ୍କ ପାଇଁ ପଶୁଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯିବ।
ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ କରାଯାଇଅଛି। ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବ ପ୍ରତି କାନ ନ ଦେଇ ପ୍ରଶାସନର ମାର୍ଗଦର୍ଶନ ଓ ନିର୍ଦ୍ଦେଶକୁ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି। ସମ୍ପୃକ୍ତ ନୋଡାଲ ଅଧିକାରୀ ମାନଙ୍କୁ ବାତ୍ୟା ଅଞ୍ଚଳର ଦାୟିତ୍ଵ ନ୍ୟସ୍ତ କରାଯାଇଛି ଓ ଏକ WhatsApp ଗ୍ରପୁ କରି ସେଥିରେ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସଂଶ୍ଳିଷ୍ଟ କରାଯାଇଛି।
