ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରବି ମେହେରା ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ଶ୍ରୀ ମେହରା ଓଡିଶାରେ ଏହି ବ୍ୟାଙ୍କର ରହିଥିବା ସଂପ୍ରସାରଣ ଯୋଜନା ବିଷୟରେ ଅବଗତ କରାଇଥିଲେ। ଶ୍ରୀ ମେହେରା ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାରେ ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କିଂ ସେବା ବୃଦ୍ଧି କରିବା ଲକ୍ଷ୍ୟ ରହିଥିବା ପ୍ରକାଶ କରି ଜଣାଇଥିଲେ ଯେ, ଓଡ଼ିଶାରେ ଏବେ ଏହି ବ୍ୟାଙ୍କର ବିଭିନ୍ନ ଜିଲ୍ଲାରେ ୩୦ଟି ଶାଖା କାର୍ଯ୍ୟକ୍ଷମ ରହିଛି ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟରେ ଏକ କ୍ଷେତ୍ରୀୟ କାର୍ଯ୍ୟାଳୟ(ଜୋନାଲ ଅଫିସ) ସହିତ ଆହୁରି ୨୦ଟି ଶାଖା ଖୋଲାଯିବା ପାଇଁ ଯୋଜନା ରହିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ଓଡିଶାର ଭୁବନେଶ୍ୱରରେ ଜୋନାଲ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଅନୁମୋଦନ କରିଛନ୍ତି, ଯଦ୍ୱାରା ଓଡ଼ିଶାରେ ଏହି ବ୍ୟାଙ୍କଗୁଡ଼ିକର ପରିଚାଳନା , ଆର୍ଥିକ ସେବା ବୃଦ୍ଧି ଅଧିକ ପ୍ରଭାବୀ କରିବାରେ ସମର୍ଥ ହେବ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଲୋଚନାରେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହି ବ୍ୟାଙ୍କ ଓଡ଼ିଶାର ବିଭିନ୍ନ ଯୋଜନାମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ବିଶେଷ କରି କୃଷି, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ),ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର ଉନ୍ନତି ଆଦିରେ ବ୍ୟାଙ୍କିଂ ସହଯୋଗ କରିଆସୁଛି। ଆଗାମୀ ଦିନରେ ଏହି ସହଯୋଗ ଅଧିକ ସୁଦୃଢ ହେବ ବୋଲି ସେ ପ୍ରକାଶ କରିଥିଲେ। ଶ୍ରୀ ମେହେରା ମଧ୍ୟ ଓଡ଼ିଶା ସରକାରଙ୍କ “ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭” ଦୃଷ୍ଟିକୋଣକୁ ଲକ୍ଷ୍ୟ ହାସଲରେ ରାଜ୍ୟର ମିଶନକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିବା ପାଇଁ ବ୍ୟାଙ୍କ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ।
ଓଡ଼ିଶାରେ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ନୂଆ ଶାଖା ଏବଂ ଜୋନାଲ କାର୍ଯ୍ୟାଳୟ ଖୋଲାଗଲେ ରାଜ୍ୟ ସରକାରଙ୍କ ତରଫରୁ ଏ ସଂପର୍କରେ ଆବଶ୍ୟକ ସହଯୋଗ ରହିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ, ବିଜୟଓ୍ୱାଡା ଜୋନର ଜୋନାଲ ମ୍ୟାନେଜର ବିନୟ ଖଣ୍ଡେଲଓ୍ୱାଲ ମଧ୍ୟ ଉପସ୍ଥିତ ଥିଲେ।