କୋଣାର୍କ : ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଆୟୋଜିତ ୩୬ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ମଣିପୁରୀ ଓ ଓଡିଶୀ ନୃତ୍ୟର ଅପୂର୍ବ ସମ୍ଭାର। କୋଣାର୍କ ମନ୍ଦିର ହେଉଛି ଅପୂର୍ବ ଶିଳ୍ପକଳା, ପ୍ରାଚୀନ କୀର୍ତ୍ତିରାଜି ଓ ମୂଲ୍ୟବାନ ସାଂସ୍କୃତିକ ପରମ୍ପରାର ଚରମ ନିଦର୍ଶନ। ଓଡ଼ିଶୀ ମନ୍ଦିରର ଚାରୁକାରୁକଳା ସହିତ ପୁରୁଷ ଓ ପ୍ରକୃତିର ଏକ ଶୋଭନୀୟ ପ୍ରତିଷ୍ଠାନ – ଏହି ମନ୍ଦିର। ମନ୍ଦିର କଳାର ଶିଖର ମଣ୍ଡପ, ଗର୍ବ ଗୃହ, ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସହ ବହୁଳ କଳା ନିପୁଣତା ଏବଂ କଳା କୌଶଳର ନିଦର୍ଶନ ମିଳେ।
ଚତୁର୍ଥ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ କଲିକତାରୁ ଆସିଥିବା ବିମ୍ବାବତୀ ଦେବୀଙ୍କ ମଣିପୁରୀ ନର୍ତ୍ତନାଳୟର ଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ମଣିପୁରୀ ନୃତ୍ୟ। ବିମ୍ବାବତୀ ଦେବୀ ବିଗତ ପାଞ୍ଚ ଦଶନ୍ଧି ଧରି କୁଚିପୁଡ଼ି ନୃତ୍ୟ ଶୈଳୀର ଜଣେ ଧୂରୀଣ ନୃତ୍ୟାଙ୍ଗନା। ସେମାନଙ୍କ ଉପସ୍ଥାପନରେ ଥିଲା ଲୀଳାକମଳ, ଏହି ପ୍ରସ୍ତୁତିଟି ମୂଳତଃ କିମ୍ବଦନ୍ତୀ ବାଦକ ଗୁରୁ ବିପିନ ସିଂହଙ୍କ ଦ୍ୱାରା ରଚିତ ଗୋଷ୍ଠଲୀଳାର ପାରମ୍ପରିକ ନୃତ୍ୟ ଦ୍ୱାରା ଅନୁପ୍ରାଣିତ ଥିଲା ଯେଉଁଥିରେ କୃଷ୍ଣଙ୍କ ବିଭିନ୍ନ ସାହସିକ ଲୀଳାକୁ ଅନୁସରଣ କରଯାଇଥିଲା। ଏହି ପ୍ରସ୍ତୁତିଟିରେ ନୃତ୍ୟ ଏବଂ ସଙ୍ଗୀତ ସହିତ ମିଶ୍ରିତ କରାଯାଇଥିଲା ଯାହା ମଣିପୁରର ବିଭିନ୍ନ ବୈଷ୍ଣବ ପ୍ରଦର୍ଶନ ପରମ୍ପରାର ଏକ ଅତ୍ୟାବଶ୍ୟକ ଅଂଶ ଥିଲା ଯାହାର ନୃତ୍ୟ ସଂରଚନା ବିମ୍ବାବତୀ ଦେବୀ କରିଥିଲେ ।
ଦିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର ଭାରତୀ ନୃତ୍ୟ ମନ୍ଦିରର ଗୁରୁ ଭରତ ଚରଣ ଗିରି ଓ ସାଥୀଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ। ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ଚାରୁକେଶୀ ପଲ୍ଲବୀ ଯେଉଁଥିରେ, ତାଳ, ଲୟ ଓ ବିନ୍ୟାସର ମିଶ୍ରଣ ସହିତ ଗତି ଓ ସଙ୍ଗୀତ ମାଧ୍ୟମରେ ରାଗର ସୌନ୍ଦର୍ଯ୍ୟକୁ ପ୍ରକାଶ କରଯାଇଥିଲା ଯାହାର ନୃତ୍ୟ ନିର୍ଦ୍ଦେଶନା ଗୁରୁ ଭାରତ ଚରଣ ଗିରି, ସଂଗୀତ ସଂଯୋଜନା ଗୁରୁ ଡକ୍ଟର ବିଜୟ କୁମାର ଜେନା ତାଳ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ଅଜୟ କୁମାର ଚୌଧୁରୀ କରିଥିଲେ। ସେମାନଙ୍କର ଦିତୀୟ ପ୍ରସ୍ତୁତିରେ ଥିଲା ଗଜାନନ, ଭଗବାନ ଗଣେଶଙ୍କ ଦିବ୍ୟ ଉତ୍ପତ୍ତି ବର୍ଣ୍ଣନା କରି ଇନ୍ଦ୍ରଙ୍କ ଅହଂକାର ଏବଂ ଐରାବତ ଉପରେ ଦୁର୍ବାସଙ୍କ ଅଭିଶାପ ଠାରୁ ଶିବଙ୍କ ସହିତ ଯୁବ ଗଣେଶଙ୍କ ସାକ୍ଷାତ ଓ ତାଙ୍କ ମୁଣ୍ଡ କାଟିବା ଏବଂ ନବଜାତ ହାତୀର ମୁଣ୍ଡ ସହିତ ତାଙ୍କ ପୁନର୍ଜୀବନ ପର୍ଯ୍ୟନ୍ତ କଥାବସ୍ତୁକୁ ନେଇ ଅତି ଚମତ୍କାର ଭାବରେ ନୃତ୍ୟରେ ଉପସ୍ଥାପନ କରିଥିଲେ ଶିଳ୍ପୀମାନେ ଯାହାର ନୃତ୍ୟ ନିର୍ଦ୍ଦେଶନା ଶ୍ରୀ ଭାରତ ଚରଣ ଗିରି, ସଂଗୀତ ସଂଯୋଜନା ଗୁରୁ ଡକ୍ଟର ବିଜୟ କୁମାର ଜେନା ତାଳ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଗୁରୁ ଅଜୟ କୁମାର ଚୌଧୁରୀ କରିଥିଲେ।
ଚତୁର୍ଥ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଓଡିଶାର ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଡିଶା ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳୱନ୍ତ ସିଂହ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ବାଲୁକା ବେଳା ଭୁଇଁ ରେ ୧୫ତମ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବର ଚତୁର୍ଥ ଦିନର ବିଷୟ ବସ୍ତୁ ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ଥିଲା ଅତୁଳନୀୟ ଭାରତ ଏବଂ ମହିଳା ବାଲୁକା ଶିଳ୍ପୀମାନଙ୍କ ପାଇଁ ଥିଲା ଓଡିଶା ପର୍ଯ୍ୟଟନ।
