ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା

ଭୁବନେଶ୍ୱର : ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ  ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଯୁଦ୍ଧ କୌଶଳ, ଶାରୀରିକ ସାମର୍ଥ୍ୟ, ରଣନୀତି କୌଶଳ ଓ ମାନସିକ ସହନଶୀଳତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଆୟୋଜନ କରାଯାଇଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ  ଦେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା କହିଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ବିଭିନ୍ନ ସଶସ୍ତ୍ର ବାଟାଲିୟନ୍‌ର ୧୭ ଟି ଟିମର ୪୦୨ ଜଣ କମାଣ୍ଡୋ ଅଂଶ ଗ୍ରହଣ କରିଛନ୍ତି । 

ଏହା ସହ ପ୍ରତିଯୋଗିତା କମାଣ୍ଡୋଙ୍କ ମଧ୍ୟରେ  ପେଶାଦାରିତା, ଶୃଙ୍ଖଳା ଓ ଦଳୀୟ ସମନ୍ୱୟକୁ ବଢ଼ାଇବାରେ ସକ୍ଷମ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ। ଏହା  ବ୍ୟତୀତ ଯେକୌଣସି ପ୍ରତିକୂଳ  ପରିସ୍ଥିତିକୁ ତ୍ୱରିତ ଓ ସଫଳ ଭାବେ ମୁକାବିଲା କରିବା ପାଇଁ କମାଣ୍ଡୋ ମାନଙ୍କୁ ମାନସିକ ସ୍ତରରେ ସୁଦୃଢ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଥିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆସୁଥିବା ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ୍‌ଗୁଡ଼ିକୁ ଦୃଷ୍ଟିରେ ରଖି କମାଣ୍ଡୋମାନେ ସଦା ସମୟରେ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବା ନିତ୍ୟାନ୍ତ ଆବଶ୍ୟକ।  ଏହା ସହ  ନୂତନ ପ୍ରଯୁକ୍ତି, ଆଧୁନିକ ଅସ୍ତ୍ର ଶସ୍ତ୍ର  ଓ ରଣନୀତି କୌଶଳ ସହ ନିଜକୁ  ଅପଡେଟ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। 

ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସଶସ୍ତ୍ର ପୋଲିସ ବ୍ୟାଟାଲିୟନ୍‌ର କମାଣ୍ଡୋ ମାନେ ଅଂଶଗ୍ରହଣ କରି ଓବସ୍ଟାକଲ୍ କୋର୍ସ, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ପିନ୍ଧି କନଫିଡେନ୍ସ କୋର୍ସରେ ୧.୩ କିଲୋମିଟର ଦୌଡ଼, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ସହିତ କ୍ରସ୍–କଣ୍ଟ୍ରି  ପଦଯାତ୍ରା, ଫାୟାରିଂ ଭଳି ପ୍ରତିଯୋଗିତାରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ।  ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ପଣ୍ଡା  ସମସ୍ତ ଅଂଶଗ୍ରହଣକାରୀ କମାଣ୍ଡୋମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପେଶାଦାର ପ୍ରଶିକ୍ଷଣ ଓ ପ୍ରତିଯୋଗିତା ଜାରି ରଖିବାକୁ ଗୁରୁତ୍ବାରୋପ କରିଥିଲେ। ରାଜ୍ୟର ଆଇନ ଶୃଙ୍ଖଳା ଓ ଶାନ୍ତି ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ସବୁବେଳେ  ପୋଲିସ ବାହିନୀକୁ ଅତ୍ୟାଧୁନିକ, ସକ୍ଷମ ଓ ବିଭିନ୍ନ ଚ୍ୟାଲେଞ୍ଜ୍‌ର ସଫଳ ମୁକାବିଲା କରିବା ନିମନ୍ତେ   ଓଡ଼ିଶା ପୋଲିସ ସଦା ସର୍ବଦା ପ୍ରସ୍ତୁତ ଓ ସଜାଗ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। 

ଉଦଘାଟନ ସମାରୋହରେ ଏସପି ସ୍ପେଶାଲ ବ୍ରାଞ୍ଚ ରାଜ ପ୍ରସାଦ, ଡେପୁଟି  କମାଣ୍ଡାଣ୍ଟ ପାୟଲ ଦୟାଲ ବା,  କ୍ରୀଡା ଅଧିକାରୀ ନୀଳ ମାଧବ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *