ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତି  ଅଗ୍ରଣୀ ଭୂମିକା ନିଭାନ୍ତୁ –ରାଜ୍ୟପାଳ

ଭୁବନେଶ୍ୱର: ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତି ଅଗ୍ରଣୀ ଭୂମିକା ନିଭାଇବାକୁ ଓଡିଶାର ରାଜ୍ୟପାଳ ଡ . ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତିl ରବିବାର ଦିନ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଚେତନତା ଓ ଯୁବ ସଶକ୍ତୀକରଣ ଅଭିଯାନରେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ବାନ ଜଣାଇଛନ୍ତି l ଦେଶର ଭବିଷ୍ୟତ କେବଳ ସରକାରଙ୍କ ନୀତି କିମ୍ବା ଭିତ୍ତିଭୂମି ନିର୍ମାଣ ଦ୍ୱାରା ନୁହେଁ ବରଂ ଯୁବପିଢ଼ିର ମୂଲ୍ୟବୋଧ, ସଠିକ୍ ନିଷ୍ପତ୍ତି ଓ ଦାୟିତ୍ୱବୋଧ ଦ୍ୱାରା ନିର୍ଦ୍ଧାରିତ ହେବ ବୋଲି ରାଜ୍ୟପାଳ କହିଛନ୍ତି।

ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱର ପ୍ରଶଂସା କରି ରାଜ୍ଯପାଳ  କହିଥିଲେ ଯେ, ‘ନିଶାମୁକ୍ତ ଭାରତ’ର ପରିକଳ୍ପନା ଦେଶର ସବୁଠୁ ବଡ଼ ଶକ୍ତି ଭାବେ ଯୁବପିଢ଼ିକୁ ସ୍ୱୀକାର କରିଛି। ସୁସ୍ଥ, ଶୃଙ୍ଖଳିତ ଓ ଦୃଢ଼ସଂକଳ୍ପବଦ୍ଧ ଯୁବପିଢ଼ି ହିଁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ l

ରାଜ୍ୟପାଳ ପୁଣି କହିଥିଲେ ଯେ, ନିଶା ନୀରବରେ ଯୁବପିଢ଼ିର ସ୍ୱପ୍ନକୁ ଧ୍ୱଂସ କରିଥାଏ, ବିଚାରଶକ୍ତିକୁ ଦୁର୍ବଳ କରିବା ସହ ସେମାନଙ୍କଠାରୁ ସଫଳତାର ସୁଯୋଗ ଛଡ଼ାଇ ନେଇଥାଏ। ଏହା କେବଳ ବ୍ୟକ୍ତିବିଶେଷଙ୍କୁ କ୍ଷତି ପହଞ୍ଚାଏ ନାହିଁ, ପରିବାରକୁ ମାନସିକ ଓ ଆର୍ଥିକ ଦୁଃଖ ଦେବା ସହ  ଉତ୍ପାଦନକ୍ଷମ ନାଗରିକ ସୃଷ୍ଟି କରିବାରେ ସମାଜ ଓ ରାଷ୍ଟ୍ରକୁ ବଞ୍ଚିତ କରିଥାଏ। ନିଶାକୁ ପ୍ରତ୍ୟାଖ୍ୟାନ କରିବା କେବଳ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ବରଂ ପରିବାର, ଶିକ୍ଷକ, ବନ୍ଧୁ ଓ ଦେଶର ଏକ ଦାୟିତ୍ୱ ବୋଲି ସେ କହିଥିଲେ।

ସୁସ୍ଥ ଓ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନ ବିତାଇବାକୁ ଯୁବପିଢିଙ୍କୁ ଆହ୍ୱାନ ଜଣାଇ  ରାଜ୍ୟପାଳ କ୍ରୀଡ଼ା, ଫିଟନେସ୍, ଯୋଗ, ସଂସ୍କୃତି, ନବସୃଜନ ଓ ସ୍ୱେଚ୍ଛାସେବାକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଥିବାର ଉଲ୍ଲେଖ କରି ରାଜ୍ଯପାଳ ଯୁବପିଢ଼ିଙ୍କୁ ନିଶା ପରିବର୍ତ୍ତେ ଖେଳପଡ଼ିଆ, ନିଶା ପରିବର୍ତ୍ତେ ଶିକ୍ଷା ଏବଂ ଆତ୍ମବିନାଶ ପରିବର୍ତ୍ତେ ସମାଜସେବାକୁ ଆପଣେଇବାକୁ ଆହ୍ୱାନ ଜଣାଇଥିଲେ। ନିଶାମୁକ୍ତ ସମାଜ ଗଠନ ପାଇଁ ଅଭିଭାବକ, ଶିକ୍ଷକ, ଶିକ୍ଷାନୁଷ୍ଠାନ, ସମାଜ ଓ ଯୁବପିଢ଼ିଙ୍କ ସମ୍ମିଳିତ ପ୍ରୟାସର ଆବଶ୍ୟକତା ଉପରେ ରାଜ୍ଯପାଳ ଗୁରୁତ୍ୱାରୋପ କରିଥିଲେ। ଏହି ଅଭିଯାନର ଅଗ୍ରଦୂତ ସାଜିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇ  ନିଶାମୁକ୍ତ ରହିବା ସହ ସଚେତନତା, ସହାନୁଭୂତି ଓ ସାମାଜିକ ଦାୟିତ୍ୱର ବାର୍ତ୍ତାକୁ ସର୍ବତ୍ର ପହଞ୍ଚାଇବା ପାଇଁ ଶପଥ ନେବାକୁ ରାଜ୍ଯପାଳ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱର ପ୍ରଶଂସା କରି ନିଜ ଉଦବୋଧନରେ କହିଥିଲେ ଯେ, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ‘ଜେନ୍-ଜେଡ୍’ ପିଢ଼ି ଓ ଯୁବଶକ୍ତି ହିଁ ପ୍ରମୁଖ ବିଶ୍ୱକର୍ମା। ନିଶା ଏବେ କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ବରଂ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକ ବଡ଼ ପ୍ରତିବନ୍ଧକ। ରାଜ୍ୟରେ ନିଶାଦ୍ରବ୍ୟର ବେଆଇନ କାରବାର ଓ ସିଣ୍ଡିକେଟ୍‌ ବିରୋଧରେ ଓଡ଼ିଶା ସରକାର ‘ଶୂନ୍ୟ ସହନଶୀଳତା’ନୀତି ଆପଣାଇଥିବା କଥା ମୁଖ୍ଯମନ୍ତ୍ରୀ ଦୋହରାଇଥିଲେ। “ନିଶା କୁ ନା ଏଵଂ ଜୀବନ ଓ ପ୍ରଗତିକୁ ହଁ” ନାରା କୁ ସମର୍ଥନ କରି ଏହି ଜନ ଆନ୍ଦୋଳନକୁ ସଫଳ କରିବା ନିମନ୍ତେ  ଯୁବ ସମାଜ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ,ବେସରକାରୀ ସଂଗଠନ,ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହାନ ଜଣାଇଥିଲେl

କ୍ରୀଡ଼ା ଓ ଯୁବ ସେବା, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଯୁବପିଢିଙ୍କୁ ସମ୍ବୋଧିତ କରି ନିଶାମୁକ୍ତ ଭାରତ ଗଠନ ପାଇଁ ସକ୍ରିୟ ଭାବେ ଏହି ଜାତୀୟ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ରାଜ୍ୟପାଳ ଉପସ୍ଥିତ ସମସ୍ତଙ୍କୁ ‘ନିଶା ମୁକ୍ତ ଯୁବ- ବିକଶିତ ଭାରତ ସଂକଳ୍ପ ଅଭିଯାନ’ ସମ୍ପର୍କିତ ଶପଥ ପାଠ କରାଇଥିଲେI

Leave a Reply

Your email address will not be published. Required fields are marked *