ଭୁବନେଶ୍ୱର: ସମ୍ବଲପୁର ପୋଲିସ ପକ୍ଷରୁ ଆୟୋଜିତ ୩ୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଏବଂ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କ ଉଚ୍ଚକୋଟୀର କ୍ରୀଡ଼ା ନୈପୁଣ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ଖୁରାନିଆ ନିଜ ଅଭିଭାଷଣରେ କହିଥିଲେ ଯେ, ପୋଲିସ ବାହିନୀରେ କ୍ରୀଡ଼ା କେବଳ ଶାରୀରିକ ଦକ୍ଷତା ବଢ଼ାଏ ନାହିଁ, ବରଂ ଦୈନନ୍ଦିନ କର୍ତ୍ତବ୍ୟ ସମ୍ପାଦନରେ ଶୃଙ୍ଖଳା ଓ ସାହସର ମୂଳଦୁଆ ପକାଇଥାଏ। ପୋଲିସ ବାହିନୀରେ କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ଏହା ଶୃଙ୍ଖଳା, ସାହସ ଏବଂ ସମାଜ ସେବା କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ମୂଳଦୁଆ। ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ।
ନିକଟରେ ଉତ୍ତରାଖଣ୍ଡର ତେହେରିଠାରେ ଅନୁଷ୍ଠିତ ୨୫ତମ ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ କ୍ଲଷ୍ଟରରେ ୯ଟି ପଦକ ଏବଂ ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡ଼ାରେ ୨୦ଟି ପଦକ ଜିତି ଆମର କ୍ରୀଡ଼ାବିତମାନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ଅନ୍ୟ ଖେଳାଳିମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କ୍ରୀଡ଼ା ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ସମ୍ବଲପୁର ପୋଲିସ ଓ ଆୟୋଜକ ମଣ୍ଡଳୀକୁ ଡିଜିପି ସାଧୁବାଦ ଜଣାଇଥିଲେ। ଏହି ପ୍ରତିଯୋଗିତାରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବାଟାଲିୟନରୁ ୧୪୧ ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାର ଫଳାଫଳ ଅନୁଯାୟୀ, କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍ରେ ୮ମ ଏସ.ଆଇ.ଆର (SIR) ବାଟାଲିୟନ, ଭଞ୍ଜନଗର ଚାମ୍ପିୟନ ହୋଇଥିବା ବେଳେ କୋରାପୁଟ ଜିଲ୍ଲା ଦ୍ୱିତୀୟ ଏବଂ ୫ମ ବାଟାଲିୟନ, ବାରିପଦା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସନ୍ତରଣ ଚାମ୍ପିୟନସିପ୍ରେ ସମ୍ବଲପୁର ଦଳ ଶୀର୍ଷ ସ୍ଥାନ ବଜାୟ ରଖି ଚାମ୍ପିୟନ ହୋଇଥିବା ବେଳେ ଓ.ଆଇ.ଏସ.ଏଫ (OISF), ଭୁବନେଶ୍ୱର ରନର୍ସ ଅପ୍ ଏବଂ ଓଏସଏପି ୬ଷ୍ଠ ବାଟାଲିୟନ, କଟକ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଅନ୍ୟତମ ପ୍ରଧାନ ଆକର୍ଷଣ ସାଜିଥିଲେ କନଷ୍ଟେବଳ ଅଶୋକ ଦଣ୍ଡସେନା, ଯିଏ କ୍ରସ୍ କଣ୍ଟ୍ରି ବିଭାଗରେ ମାତ୍ର ୩୦ ମିନିଟ୍ ୪୪ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଏକ ନୂତନ ‘ମିଟ୍ ରେକର୍ଡ’ ସୃଷ୍ଟି କରିଛନ୍ତି।
ଉକ୍ତ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଡିଆଇଜି (ସିଆରପିଏଫ), ଦାଲିପ ସିଂ, ଡିଆଇଜି( ସିଆରପିଏଫ) ସଞ୍ଜୟ କୁମାର ସିଂ, ଡିଆଇଜି (ପଶ୍ଚିମାଞ୍ଚଳ) ବ୍ରିଜେଶ ରାୟ,ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନର କମିଶନର ରେହାନ ଖେତ୍ରୀ,ଝାରସୁଗୁଡା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
